ଭୁବନେଶ୍ୱର: ରାଜନୈତିକ ପଣ୍ଡିତଙ୍କ ସମସ୍ତ ଅଙ୍କକଷାକୁ ଭୁଲ ପ୍ରମାଣିତ କରି ବିଜେପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରୀତା ସାହୁ ନିଜର ବିଜୟ ଜରିଆରେ ରାଜ୍ୟ ନିର୍ବାଚନ ଇତିହାସରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଏଯାବତ୍ ବିଧାନସଭା ଲାଗି ଅନୁଷ୍ଠିତ ସମସ୍ତ ନିର୍ବାଚନରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ବିଧାନସଭା ଇତିହାସରେ ସବୁଠାରୁ ବଡ଼ ବିଜୟର ରେକର୍ଡ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାମରେ ଥିଲା। ସେ ୨୦୦୦ ମସିହାରେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରି ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ବୀଙ୍କୁ ୯୪, ୫୫୪ ଭୋଟରେ ପରାଜିତ କରିଥିଲେ। ତେବେ ତାଙ୍କର ଏହି ରେକର୍ଡକୁ ଆଜି ବିଜୁ ଜନତା ଦଳ ପ୍ରାର୍ଥୀ ରୀତା ସାହୁ ଭଙ୍ଗ କରିଛନ୍ତି। ବିଜେପୁର ଉପନିର୍ବାଚନରେ ରୀତା ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ବିଜେପିର ସନତ ଗଡ଼ତିଆଙ୍କୁ ୯୭, ୯୯୦ ଭୋଟରେ ପରାଜିତ କରିଛନ୍ତି।
ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପାରମ୍ପରିକ ଆସନ ହିଞ୍ଜଳି ସହ ବିଜେପୁରରୁ ମଧ୍ୟ ନିର୍ବାଚିତ ହୋଇଥିଲେ। ସେ ହିଞ୍ଜିଳି ଆସନକୁ ରଖି ବିଜେପୁର ଆସନରୁ ଇସ୍ତଫା ଦେବା ପରେ ଗତ ୨୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରୀତା ସାହୁଙ୍କ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଥିଲେ। ଏଥିସହ ଓଡ଼ିଶାର ନିର୍ବାଚନ ଇତିହାସରେ ସର୍ବବୃହତ ବିଜୟ ଲାଗି ତାଙ୍କୁ ଶୁଭେଚ୍ଛା ଦେଇଥିଲେ।
ଅନ୍ୟପକ୍ଷରେ ଚଳିତ ଉପନିର୍ବାଚନରେ ଦଳୀୟ ସୁପ୍ରିମୋଙ୍କ ରେକର୍ଡ ଭାଙ୍ଗି ନିଜ ନାଁରେ ନୂଆ ରେକର୍ଡ କରିଛନ୍ତି ରୀତା । ଏହାପୂର୍ବରୁ ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁରରୁ ୧୧୦୬୦୪ ଖଣ୍ଡ ଭୋଟ ପାଇଥିବା ବେଳେ ୫୭୧୨୨ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନତ ଗଡତିଆଙ୍କୁ ପରାଜିତ କରିଥିଳେ । କିନ୍ତୁ ରୀତା ୧ ଲକ୍ଷ ୩୫ ହଜାର ୯୪୯ ଭୋଟ ପାଇବା ସହ ୯୭୯୯୪ ଭୋଟ ବ୍ୟବଧାନରେ ସନତଙ୍କୁ ହରାଇ ରାଜ୍ୟ ନିର୍ବାଚନୀ ଇତିହାସରେ ନୂଆ ରେକର୍ଡ ଯୋଡ଼ିଛନ୍ତି।