ମାଓ ହିଂସା: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ରିପୋର୍ଟ ୯ ବର୍ଷରେ ୩୩୪ ମୃତ
ନୂଆଦିଲ୍ଲୀ: ୨୦୧୦ ରୁ ୨୦୧୮ ମସିହା- ଗତ ୯ ବର୍ଷ ଭିତରେ ଓଡ଼ିଶାରେ ମାଓବାଦୀ ହିଂସାର ସମୁଦାୟ ୩୩୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟସୀମା ମଧ୍ୟରେ ସମୁଦାୟ ୧୦୧୯ଟି ଘଟଣା ଘଟିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ସଦ୍ୟ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ ଅଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୮-୧୯ ମସିହା ପାଇଁ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ଏହି ସମୟସୀମା ମଧ୍ୟରେ ଓଡ଼ିଶା ସମେତ ଦେଶର ୧୦ ଟି ମାଓ ପ୍ରବଣ ରାଜ୍ୟରେ ସମୁଦାୟ ୧୦,୬୬୦ ଟି ହିଂସା ଘଟଣା ଘଟିଥିଲା, ଯେଉଁଥିରେ ୩,୭୦୦ ରୁ ଅଧିକ ଲୋକମାନେ ପ୍ରାଣ ହରାଇଥିଲେ। ସବୁଠାରୁ ଅଧିକ ମାଓ ହିଂସା ଘଟଣା ଛତିଗଡ଼ରେ ହୋଇଥିଲା। ଛତିଶଗଡ଼ରେ ୩,୭୬୯ ମାଓ ହିଂସା ଘଟଣାରେ ୧,୩୭୦ ଲୋକ ପ୍ରାଣ ହରାଇଥିଲେ। ମାଓବାଦୀ ହିଂସାରେ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ପରେ ମାଓପ୍ରବଣ ରାଜ୍ୟର ହିଂସା ଓ ମୃତ୍ୟୁ ମାମଲାରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ୨୦୧୮ରେ ଓଡ଼ିଶାରେ ସମୁଦାୟ ୭୫ଟି ମାଓ ହିଂସା ଘଟଣା ଘଟିଥିବାବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗତ ୫ ବର୍ଷରୁ ଓଡ଼ିଶାରେ ମାଓ ହିଂସା ଘଟଣା କ୍ରମାଗତ ଭାବେ ହ୍ରାସ ପାଇଛି। ୨୦୧୪ରେ ଓଡ଼ିଶାରେ ମାଓ ହିଂସାର ସଂଖ୍ୟା ୧୦୩ ଟି, ୨୦୧୫ରେ ୯୨ ଟି, ୧୦୧୬ରେ ୮୬ ଟି, ୨୦୧୭ରେ ୮୧ ଟି ଓ ୨୦୧୮ରେ ୭୫ଟି ରହିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ସେହିଭଳି, ଚଳିତବର୍ଷ ଜାନୁଆରି ୧ ରୁ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାରେ ୧୫ଟି ମାଓବାଦୀ ହିଂସାକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାର ଉଲ୍ଲେଖ କରାଯାଇଛି।
ଉଲ୍ଲେଖଯୋଗ୍ୟ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ୨୦୧୮-୧୯ ବାର୍ଷିକ ରିପୋର୍ଟରେ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଦେଶର ୧୦ଟି ମାଓ ପ୍ରବଣ ରାଜ୍ୟ ବୋଲି ଉଲ୍ଲେଖ କରାଯାଇଛି।