ସ୍ବାସ୍ଥ୍ୟସେବା ସ୍ଥିତି ପରଖିଲେ ପାଣ୍ଡିଆନ, ୫୦୦ଟଙ୍କା ତଣ୍ଡ ଗଣିଲେ ସିଡିଏମ୍‌ଓ

ଅନୁଗୁଳ: ଆଜି ୫ଟି ସଚିବ ଭି.କେ. ପାଣ୍ଡିଆନ ଓ ତାଙ୍କ ଟିମ୍ ଅନୁଗୁଳ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ଗସ୍ତ ବେଳେ ‘ମୋ ସରକାର’ର ଅସଲ ଚିତ୍ର ପଦାକୁ ଆସିଛି। ସରକାର ନିରାମୟ ଯୋଜନାରେ ମାଗଣାରେ ଔଷଧ ଯୋଗାଉଥିବା ବେଳେ ଡାକ୍ତରମାନେ କିନ୍ତୁ ବାହାରୁ ଔଷଧ କିଣିବାକୁ ପରାମର୍ଶ ଦେଉଛନ୍ତି। କେବଳ ସେତିକି ନୁହେଁ, ସିକଲିନ ରୋଗୀ(ସିକଲ ସେଲ)ମାନଙ୍କୁ ସରକାରଙ୍କ ଦେଉଥିବା ୫୦୦ ଟଙ୍କ ଭତ୍ତା ବି ଏଠାରେ ମିଳୁ ନାହିଁ। ଏଠାକାର ଏଭଳି ସ୍ଥିତି ଦେଖି ୫ଟି ସଚିବ ଶ୍ରୀ ପାଣ୍ଡିଆନ ଏବଂ ତାଙ୍କ ସହିତ ଆସିଥିବା ଅର୍ଥ ସଚିବ କେ.କେ.ମୀନା, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଭୀଷଣ ବିରକ୍ତ ପ୍ରକାଶ କରିଥିଲେ। ବିକ୍ରମପୁରର ତୀର୍ଥବାସୀ ସାହୁ(୭୨) ନାମକ ଜଣେ ଗରିବ ବୃଦ୍ଧଙ୍କୁ ନିରାମୟ ଯୋଜନାରେ ଉପଲବ୍‌ଧ ଔଷଧ ଦିଆନଯାଇ କାହିଁକି ବାହାରୁ କିଣି ଆଣିବାକୁ କୁହାଗଲା ବୋଲି ଶାଳିନୀ ପଣ୍ଡିତ ପ୍ରଶ୍ନ କରିଥିଲେ। ତୀର୍ଥବାସୀଙ୍କୁ ଔଷଧ କ୍ରୟ ବାବଦ ଅର୍ଥ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ‌ ଦେଇଥିଲେ। ଟିମ୍‌ ଯିବା ପରେ ସିଡିଏମ୍ଓ ଅମରେନ୍ଦ୍ର ମହାନ୍ତି ବାହାରୁ ଔଷଧ ଆଣିବାକୁ କହିଥିବା ଡାକ୍ତର ଦୀପକ ଗଡ଼ନାୟକଙ୍କୁ ନିଜ ପ୍ରକୋଷ୍ଠକୁ ଡାକି ତାଗିଦ୍ କରିଥିଲେ। ଆଉ ଏଭଳି ଭୁଲ୍‌ କଦାପି ନକରିବା ପାଇଁ କହିଥିଲେ। ତୀର୍ଥବାସୀ ୨୦୦ ଟଙ୍କାର ଔଷଧ ବାହାରୁ କିଣିଥିଲେ ହେଁ ସିଡିଏମ୍‌ଓ ତାଙ୍କୁ ନଗଦ ୫୦୦ ଟଙ୍କା ଦେଇଥିଲେ।

ଗତ ମାର୍ଚ୍ଚ ୨୦୧୮ରେ ରାଜ୍ୟ ସରକାର ସିକିଲ ସେଲ୍‌ ରୋଗୀମାନଙ୍କୁ ସହାୟତା ପାଇଁ ମାସିକ ଭତ୍ତା ବାବଦକୁ ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି। ଏସବୁ ଦେଖିବା ପାଇଁ ଅନୁଗୁଳରେ ସ୍ବତନ୍ତ୍ର ଭାବେ ଜଣେ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ୫ଟି ଟିମ୍ ଆଜି ପରିଦର୍ଶନ ବେଳେ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ସିକିଲ ସେଲ୍‌ ରୋଗୀଙ୍କ ସଂପର୍କୀୟ ସଂଗୀତା ପ୍ରଧାନଙ୍କଠାରୁ ମାସିକ ଭତ୍ତା ମିଳୁନଥିବା ଜାଣିବାକୁ ପାଇଥିଲେ। ଏହାକୁ ନେଇ ଶାଳିନୀ ପଣ୍ଡିତ ପ୍ରବଳ ବିଗିଡ଼ି ଥିଲେ। ‌େସଠାରେ ଚିକିତ୍ସିତ ହେଉଥିବା ଅନ୍ୟ କେଇ ଜଣ ରୋଗୀଙ୍କ ସଂପର୍କୀୟଙ୍କୁ ବି ଚିକିିତ୍ସା ସଂପର୍କରେ ପଚାରି ବୁଝିଥିଲେ। ଭତ୍ତାରୁ ବଂଚିତ ରୋଗୀମାନଙ୍କୁ ଶୀଘ୍ର ଭତ୍ତା ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ଏହି ଟିମ୍‌ ପୁରୁଷ ମେଡିସିନ, ଯକ୍ଷ୍ମା ଓ ସଂକ୍ରାମକ ରୋଗ ବିଭାଗ, ପ୍ରସୂତି ବିଭାଗ, ଶିଶୁ ରୋଗ ବିଭାଗରେ ବୁଲି ରୋଗୀ, ରୋଗୀମାନଙ୍କ ସଂପର୍କୀୟଙ୍କୁ ଏଠାକାର ସ୍ବାସ୍ଥ୍ୟ ସେବା ସଂପର୍କରେ ପଚାରି ବୁଝିଥିଲେ। ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ଚିକିତ୍ସା ପାଇଁ ଅର୍ଥ ମାଗୁଛନ୍ତି କି? ଦୁର୍ବ୍ୟବହାର ପ୍ରଦାର୍ଶନ କରୁଛନ୍ତି କି? ମାଗଣା ‌ଔଷଧ ମିଳୁଛି କି ନାହିଁ ? ଖାଦ୍ୟର ମାନ କେମିତି ଅଛି ? ବୋଲି ସଚିବ ଶ୍ରୀ ପାଣ୍ଡିଆନ ରୋଗୀ ଓ ତାଙ୍କ ସଂପର୍କୀୟମାନଙ୍କୁ ପ୍ରଶ୍ନ କରିଥିଲେ। ସଫେଇ ବ୍ୟବସ୍ଥା ଉପରେ ବି ଦେଖିଥିଲେ। ପିପିପି ମୋଡ୍‌ରେ ଚାଲିଥିବା ଡାଏଲିସିସ, ଏମ୍ଆର୍‌ଆଇ ୟୁନିଟ ବି ପରିଦର୍ଶନ କରି ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ। ପ୍ରଶିକ୍ଷଣ କେନ୍ଦ୍ରରେ ଡାକ୍ତର ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଡାକ୍ତର ଓ କର୍ମଚାରୀମାନଙ୍କ ସହିତ ଆଲୋଚନା କରି ଭଲ କାମ ପାଇଁ ପୁରସ୍କାର ଦିଆଯିବ, କିନ୍ତୁ କାର୍ଯ୍ୟରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସତର୍କ କରାଇଥିଲେ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ଲୋକେ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ନେଇ ଅବଗତ କରାଯାଇଥିଲା। ୧୯୨ ଶଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟର ପୁରୁଷ ମେଡିସିନ ବିଭାଗ ଓ ଶିଶୁରୋଗ ବିଭାଗରେ ଚଟାଣରେ ‌ରୋଗୀମାନେ ଚିକିତ୍ସିତ ହେଉଥିବା ଦେଖି ସଚିବ ଶ୍ରୀ ପାଣ୍ଡିଆନ ଉଦ‌୍‌ବେଗ ପ୍ରକାଶ କରିଥିଲେ। ରୋଗୀଙ୍କ ଶଯ୍ୟା ସଂଖ୍ୟା ୩୦୦ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯିବାରୁ ତୁରନ୍ତ ନିର୍ମାଣ କାର୍ଯ୍ୟ ନିମନ୍ତେ ଜମି ଚିହ୍ନଟ କରିବାକୁ ଜିଲ୍ଲାପାଳ ମନୋଜ ମହାନ୍ତିଙ୍କୁ ନିର୍ଦ୍ଦେଶ‌ ଦେଇଥିଲେ। ଡିଜିଟାଲ ଏକ୍ସ-ରେ’ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ପଣ୍ଡିଆନ କହିଥିଲେ। ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଜିଲ୍ଲାର ସ୍ବାସ୍ଥ୍ୟ ନକ୍‌ସା ପ୍ରସ୍ତୁତ କରିବାକୁ ପରାମର୍ଶ‌ ଦେଇଥିଲେ। ସେହିପରି ଅର୍ଥ ସଚିବ ଶ୍ରୀ ମୀନା ରୋଗୀ କଲ୍ୟାଣ ସମିତିର ସୁଦୃଢ଼ୀକରଣ କରାଇ ଜିଲ୍ଲା ସ୍ବାସ୍ଥ୍ୟ ମିଶନ ତରଫରୁ ପ୍ରଦାନ କରାଯାଉଥିବା ବାର୍ଷିକ ଅନୁଦାନ ରୋଗୀଙ୍କ ସ୍ବାସ୍ଥ୍ୟସେବାରେ ସୁବିନିଯୋଗ କରିବାକୁ ସିଡିଏମ୍‌ଓ ଅମରେନ୍ଦ୍ର ମହାନ୍ତିଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାର ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ପ୍ରଦାନ କରିବା ଏବଂ ଏ ସଂକ୍ରାନ୍ତରେ ଆବଶ୍ୟକ ଏକ ପତ୍ର ରାଜ୍ୟ ସରକାରଙ୍କୁ ପଠାଇବାକୁ ସେ ଜିଲ୍ଲାପାଳ ମନୋଜ ମହାନ୍ତିଙ୍କୁ ପରାମର୍ଶ ଦେଇଥିଲେ। ଉତ୍ତରାଞ୍ଚଳ ଡିଆଇଜି ନରସିଂହ ଭୋଳ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ପରିଦର୍ଶନ ବେଳେ ଏହି ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ପ୍ରକାର ଠିକ୍‌ଠାକ୍ ଚାଲିଥିବା ଅନୁଭବ କରିଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ମାଗଣାରେ ଦିଆଯାଉଥିବା ଔଷଧ ତାଲିକାରେ ଆହୁରି କେତେକ ପ୍ରକାର ଔଷଧକୁ ସାମିଲ କରିବାକୁ ଆଲୋଚନା ବେଳେ ଡାକ୍ତରମାନେ କହିିଥିଲେ ବୋଲି ସେ କହିଛନ୍ତି।

ଅପରପକ୍ଷରେ ପାଣ୍ଡିଆନଙ୍କ ଗସ୍ତ ନେଇ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବେଶ୍‌ ତତ୍ପରତା ଦେଖାଇଥିଲା। ଯୁଦ୍ଧକାଳୀନ ଭତ୍ତିିରେ ସଫାସୁତରା କରାଯିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ବରୁ ଦୋକାନୀମାନଙ୍କ କ୍ୟାବିନ ଉଠାଇ ଦିଆଯାଇଥିଲା। ପୁଲିସ ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏକ ପ୍ରକାର ପୁଲିସ ଛାଉଣି ହୋଇଯାଇଥିଲା।

ସମ୍ବନ୍ଧିତ ଖବର