ଭୁବନେଶ୍ବର: ଭାରତ ସରକାରଙ୍କ ବୈଦେଶିକ ନୀତି ଏବେ କେବଳ ଉଚ୍ଚ ବର୍ଗର ଲୋକ ନୁହନ୍ତି, ସମସ୍ତେ ଜାଣିବାର ସମୟ ଆସିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କ’ଣ କରୁଛି, କ’ଣ କ’ଣ ନିୟମ ହେଉଛି, ତାହା ଦେଶବାସୀ ଜାଣିବା ଦରକାର। ଏଥିପାଇଁ ଆଞ୍ଚଳିକ ଗଣମାଧ୍ୟମଗୁଡ଼ିକୁ ପଦକ୍ଷେପ ନେବାକୁ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ତଥା ଯୁଗ୍ମ ସଚିବ (ଏକ୍ସପି) ରବୀଶ କୁମାର କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ହୋଟେଲ ମେ’ ଫେୟାରରେ ‘ବିଦେଶ ଆସିଲା ପ୍ରଦେଶ ଦ୍ବାରକୁ’ କାର୍ଯ୍ୟକ୍ରମରେ ରବୀଶ କୁମାର ଯୋଗଦେଇ କହିଲେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓଡ଼ିଶାକୁ ଗୁରୁତ୍ବ ଦେଉଛି। ବିଦେଶରେ ଓଡ଼ିଶାର କିପରି ପ୍ରଚାର କରିହେବ, ବିଦେଶୀ ପ୍ରତିନିଧି ଓଡ଼ିଶା ଆସିବେ ସେ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ତେଣୁ ଓଡ଼ିଶାର ଲୋକ ବି ବିଦେଶରେ ଭାରତ ସରକାର କ’ଣ କରୁଛନ୍ତି, ତାହା ସେମାନଙ୍କୁ ଜଣାଇବା ପାଇଁ ଆଞ୍ଚଳିକ ଗଣମାଧ୍ୟମଗୁଡ଼ିକୁ ପଦକ୍ଷେପ ନେବାକୁ ହେବ। ଏଥିପାଇଁ ସାରା ଦେଶରେ ‘ବିଦେଶ ଆସିଲା ପ୍ରଦେଶ ଦ୍ବାରକୁ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ହାଇଦ୍ରାବାଦ, ଗୌହାଟି, ପଞ୍ଜାବ ପରେ ଓଡ଼ିଶାରେ ଏପରି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ନିଖିଳେଶ ଗିରି କହିଲେ, ଯଦି ଓଡ଼ିଶାର କୌଣସି ଲୋକ ବିଦେଶରେ କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ତୁରନ୍ତ ସେଠାରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରନ୍ତୁ। ସେମାନଙ୍କୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ। ଏଥିପାଇଁ ମନ୍ତ୍ରଣାଳୟର ୱେବସାଇଟ୍ରେ ଏକ ଟୋଲ୍ ଫ୍ରି ନମ୍ବର ଦିଆଯାଇଛି। ବହୁ ଓଡ଼ିଆ ଟୁରିଷ୍ଟ ଭିସାରେ ବିଦେଶ ଯାଇ ସେଠାରେ କାମ କରୁଥିବାରୁ ଭିସା ଅବଧି ଶେଷ ହେବା ପରେ ପ୍ରତ୍ୟାବର୍ତ୍ତନ କରିବା କଷ୍ଟକର ହୋଇପଡ଼ୁଛି। ତେଣୁ ଏଠାରୁ ବିଦେଶକୁ କାମ କରିବାକୁ ଗଲା ବେଳେ ୱାର୍କ ଭିସାରେ ଯାଆନ୍ତୁ। ଭିସା ଅବଧି ସରିଲେ ବିଦେଶରେ ରହିବା ବେଆଇନ ହୋଇଥାଏ। ତେଣୁ ଏହିଭଳି ସମସ୍ୟା ଉପୁଜିଲେ ତୁରନ୍ତ ଦୂତାବାସ ସହ ଯୋଗାଯୋଗ କରି ସହାୟତା ନିଅନ୍ତୁ। ବିଦେଶରେ ଥିବା ଲୋକଙ୍କୁ ଟିକେଟ୍ କରି ପଠାଇବା ଦାୟିତ୍ବ ଦୂତାବାସର। ଏଥିପାଇଁ ଇଣ୍ଡିଆନ କମ୍ୟୁନିଟି ୱେଲଫେୟାର ଫଣ୍ଡ ଅଛି ବୋଲି ଶ୍ରୀ ଗିରି କହିଥିଲେ। କାର୍ଯ୍ୟକ୍ରମକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଗାରିମା ପଲ୍ ପରିଚାଳନା କରିଥିଲେ।