ପୁରୀ: ପୁଲିସ କ୍ୱାର୍ଟସ୍ରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ କୁମ୍ଭାରପଡ଼ା ପୁଲିସ ଗୁରୁବାର ବିଳମ୍ବିତ ରାତିରେ ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି । ମାତ୍ର ପୁଲିସ ଏପର୍ଯ୍ୟନ୍ତ ଆଉ ଜଣେ ଅଭିଯୁକ୍ତ ବୁଲୁ ବାରିକକୁ ଗିରଫ କରିପାରି ନାହିଁ । ଅଭିଯୁକ୍ତ ରାମଚନ୍ଦ୍ର ପ୍ରଧାନକୁ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଆଳିଆପୁଟୁ ଗାଁରୁ ରାତ୍ରିକାଳୀନ ଚଢ଼ାଉ ସମୟରେ ଗିରଫ କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଗୁରୁବାର ବିଳମ୍ବିତ ରାତିରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ସେହି ସମୟରେ ସ୍ୱର୍ଗତ କାଳୁ ପ୍ରଧାନଙ୍କ ପୁଅ ରାମଚନ୍ଦ୍ର ପ୍ରଧାନ ଶୋଇଥିଲା। ରାତିରେ ଘର ଭିତରେ ପୁଲିସକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଗତ ୨ ତାରିଖରେ ଘଟିଥିବା ଘଟଣାରେ ପୂର୍ବରୁ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନେ ହେଲେ ବହିଷ୍କୃତ ପୁଲିସ କର୍ମଚାରୀ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀ। ପୁଲିସ ପୀଡିତାଙ୍କ ବୟାନ ରେକର୍ଡ କରିଥିବା ବେଳେ ଡାକ୍ତରୀମାଇନା ବି କରାଯାଇଛି।
ଦୁଷ୍କର୍ମକାରୀ ନାବାଳିକାଙ୍କୁ ନିମାପଡ଼ା ବସଷ୍ଟାଣ୍ଡରୁ ଯେଉଁ କାରରେ ନେଇ ଯାଇଥିଲେ ସେହି କାରକୁ ପୁଲିସ ଖୋଜିବାରେ ଲାଗିଛି । ଏହି ଦୁଷ୍କର୍ମଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ତେବେ ଏହି ଘଟଣାରେ ଗିରଫ ହୋଇଥିବା ଜିତେନ୍ଦ୍ର ସେଠୀକୁ ବରିଷ୍ଠ କର୍ମଚାରୀଙ୍କୁ ଖରାପ ବ୍ୟବହାର କରିବା ଓ ନିଶା ସେବନ କରି ଡିୟୁଟିକୁ ଆସିବା ଅଭିଯୋଗରେ ବର୍ଷେ ତଳୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା।
ପୀଡିତାଙ୍କ କହିବାନୁସାରେ, ୪ ଜଣ ଦୁର୍ବୃତ୍ତ ଲିଫ୍ଟ ଦେବା ବାହାନାରେ ତାଙ୍କୁ କାକଟପୁରରେ ଛାଡ଼ି ଦେବାକୁ କହି ନିମାପଡ଼ା ବସଷ୍ଟାଣ୍ଡରୁ ଏକ କାରରେ ଉଠାଇ ନେଇଥିଲେ। ଏହି ୪ ଜଣ ଦୁର୍ବୃତ୍ତ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଥିଲେ।