ଭୁବନେଶ୍ବର: ଓଡ଼ିଆ ପର୍ବତାରୋହୀ ସାମ୍ ପଶୁପାଳକଙ୍କ ଆଉ ଏକ ସଫଳତା। ଗତ ସପ୍ତାହରେ ସେ ଦକ୍ଷିଣ ଆମେରିକାରେ ଥିବା ଆଣ୍ଡିସ ପର୍ବତମାଳାର ଆକୋଙ୍କାଗୁଆ ଶୃଙ୍ଗ ଆରୋହଣ କରିଛନ୍ତି। ୧୯ ତାରିଖରେ ଆକୋଙ୍କାଗୁଆ ଶିଖରରେ ପହଞ୍ଚିବା ସହ ସେଠାରେ ଜାତୀୟ ପତାକା ଉଡ଼ାଇଛନ୍ତି। ସାମ୍ଙ୍କ ଏଭଳି ସଫଳତା ନେଇ ରାଜ୍ୟ ସମେତ ଦେଶର ବିଭିନ୍ନ ଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ପୂର୍ବତନ କୁଳପତି ସୁରେନ୍ଦ୍ରନାଥ ପଶୁପାଳକ ଓ ବିଜୁ ପଟ୍ଟନାୟକ ଜୁନିଅର ସାଇନ୍ସ କଲେଜର ଅଧ୍ୟକ୍ଷା ନମିତା ପଶୁପାଳକଙ୍କ ଜ୍ୟେଷ୍ଠ ପୁତ୍ର ସାମ୍ ୨୦୧୯ ଡିସେମ୍ବରରେ ଲଣ୍ଡନ କଲେଜ ଅଫ୍ ଇକୋନୋମିକ୍ସରେ କମ୍ପାରେଟିଭ୍ ପଲିଟିକ୍ସରେ ସ୍ନାତକୋତ୍ତର ଶେଷ କରିଛନ୍ତି। ଏହା ପୂର୍ବରୁ ସେ ତାଞ୍ଜାନିଆସ୍ଥିତ ଉହୁରୁ ଶୃଙ୍ଗ, ରୁଷିଆର ଏଲବ୍ରୁସ୍ ଶୃଙ୍ଗ, ଦକ୍ଷିଣ ଆମେରିକାର ମୁଚୁପିଚୁ ଶୃଙ୍ଗ, ଆଲପସ ପର୍ବତମାଳାର ମଣ୍ଟବ୍ଲାଙ୍କ ଶୃଙ୍ଗ ଆରୋହଣ କରିସାରିଛନ୍ତି। ୨୦୧୮ ଜାନୁଆରିରେ ସାମ୍ ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ କରିଥିଲେ। ଆକୋଙ୍କାଗୁଆ ଶୃଙ୍ଗର ଉଚ୍ଚତା ସମୁଦ୍ର ପତନଠାରୁ ୨୨ ହଜାର ୮୩୭ ଫୁଟ୍ ରହିଛି।