ଶାହିନ ବାଗ୍ରେ ଫୁଟିଲା ଗୁଳି: ଯୁବକ ଗିରଫ, ସୁରକ୍ଷା କଡ଼ାକଡ଼ି
ଆଲୋଚନା ପାଇଁ ସରକାର ପ୍ରସ୍ତୁତ: ରବିଶଙ୍କର
ନୂଆଦିଲ୍ଲୀ: ଜାମିଆ ଅଞ୍ଚଳରେ ଜଣେ ନାବାଳକ ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚାଳନା କରିବାର ୨ ଦିନ ପରେ ଆଜି ପୁଣିଥରେ ଶାହିନ ବାଗ୍ ଅଞ୍ଚଳରେ ୨ ରାଉଣ୍ଡ୍ ଗୁଳି ଫୁଟିଛି। ଜଣେ ବ୍ୟକ୍ତି ଆଜି ଅପରାହ୍ନରେ ସିଏଏ ବିରୋଧୀ ଆନ୍ଦୋଳନ ସ୍ଥଳ ନିକଟରେ ଫାଙ୍କା ଗୁଳି ଚାଳନା କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଶାହିନ୍ ବାଗ୍ ଆନ୍ଦୋଳନ ସ୍ଥଳ ଜସୋଲା ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି। ତେବେ ଗୁଳିକାଣ୍ଡ ଯୋଗୁଁ କେହି ମୃତାହତ ହୋଇନାହାନ୍ତି। ମିଳିଥିବା ସୂଚନାନୁଯାୟୀ ଯୁବକ ଜଣଙ୍କ ଆନ୍ଦୋଳନ ସ୍ଥଳର ପଛପଟେ ଫାଙ୍କା ଗୁଳିଚାଳନା କରିଥିଲା। ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ବ୍ୟକ୍ତିକୁ ଧରି ପୁଲିସରେ ଦେଇଥିବା କହିଛନ୍ତି। ଏହି ଘଟଣା ପରେ ସଂପୃକ୍ତ ଅଂଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ତେବେ ପୁଲିସ କହିଛି ଯେ ଉକ୍ତ ଯୁବକ ଫାଙ୍କା ଗୁଳି ଚାଳନା କରିବା ମାତ୍ରେ ତୁରନ୍ତ ତାକୁ କାବୁ କରାଯାଇ ହାଜତକୁ ଅଣାଯାଇଥିଲା। ଉଲ୍ଲେଖଯୋଗ୍ୟ ଜଣେ ସ୍ଥାନୀୟ ଠିକାଦାର ନିକଟରେ ବନ୍ଧୁକ ଧରି ଶାହିନ ବାଗ୍ ଆନ୍ଦୋଳନ ସ୍ଥଳକୁ ଆସିଥିଲେ ଏବଂ ଆନ୍ଦୋଳନକାରୀଙ୍କୁ ତୁରନ୍ତ ସ୍ଥାନ ଛାଡ଼ିବାକୁ ଧମକ ଦେଇଥିଲେ । ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଶାହିନ ବାଗ୍ ଆନ୍ଦୋଳନ ସ୍ଥଳରେ ସୁରକ୍ଷା କଡ଼ାକଡ଼ି କରିବାକୁ ଦିଲ୍ଲୀ ପୁଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଦୋଳନ ସ୍ଥଳରେ ବ୍ୟାରିକେଡ୍ ବ୍ୟବସ୍ଥା କରିବାପାଇଁ ଏବଂ କୌଣସି ବାହାର ଲୋକଙ୍କୁ ପ୍ରବେଶ କରାଇ ନଦେବାପାଇଁ ବୈଜଲ୍ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଗୁଳି ଚଳାଇଥିବା ବ୍ୟକ୍ତି ଜଣଙ୍କ ପୂର୍ବ ଦିଲ୍ଲୀର ଦଲ୍ଲୁପୁର ଗ୍ରାମ ବାସିନ୍ଦା। ତାଙ୍କୁ କପିଲ ଗୁଜ୍ଜର ବୋଲି ଚିହ୍ନଟ କରାଯାଇଛି। ଦ୍ବାଦଶ ଶ୍ରେଣୀରୁ ପଢ଼ା ଛାଡ଼ି ଦେଇଥିବା ଏହି ଯୁବକ କୌଣସି ଗୋଷ୍ଠୀ ସହ ସମ୍ପୃକ୍ତ ନଥିବା କହିଛି। ତେବେ ଲଗାତାର ଆନ୍ଦୋଳନ ଯୋଗୁଁ ସେ ଖୁବ୍ ଅସନ୍ତୁଷ୍ଟ ଥିଲା ଏବଂ ଲୋକମାନଙ୍କୁ ଭୟଭୀତ କରିବାପାଇଁ ଏମିତି ଫାଙ୍କା ଗୁଳି ଚାଳନା କରିଥିବା ପୁଲିସକୁ କହିଛି। ଶାହିନ୍ ବାଗ୍ରେ ସିଏଏ ବିରୋଧୀ ଆନ୍ଦୋଳନ ହେବାର ପ୍ରାୟ ୨ ମାସ ପରେ ସରକାର ଶେଷରେ ଆନ୍ଦୋଳନକାରୀଙ୍କ ସହ କଥା ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବାବେଳେ ସରକାର ଆଜି ଏହି ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ରବି ଶଙ୍କର ପ୍ରସାଦ ଆଜି ଏକ ଟ୍ବିଟ୍ କରି କହିଛନ୍ତି ଯେ, ମୋଦୀ ସରକାର ଶାହିନବାଗ୍ ଆନ୍ଦୋଳନକାରୀଙ୍କ ସହ କଥା ହେବାକୁ ପ୍ରସ୍ତୁତ ଅଛନ୍ତି ଏବଂ ସିଏଏ ସଂକ୍ରାନ୍ତରେ ସେମାନଙ୍କ ସମସ୍ତ ଦ୍ବନ୍ଦ୍ବ ଦୂର କରାଯିବ। ଗତକାଲି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ ଶାହିନ ବାଗ୍ ଆନ୍ଦୋଳନ ସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ।