କରୋନାକୁ ଡରନି, ଏହାର ମୁକାବିଲା କର: ଦୂତି
ଭୁବନେଶ୍ବର: କରୋନା ଏକ ଭୂତାଣୁ ଜନିତ ରୋଗ। ଏଥିନେଇ ଭୟଭିତ କିମ୍ବା ଆତଙ୍କିତ ହୁଅନ୍ତୁ ନାହିଁ। ଗୁଜବକୁ ଆଖିବୁଜି ବିଶ୍ବାସ କରନ୍ତୁନି କିମ୍ବା ନିଜେ ଗୁଜବ ସୃଷ୍ଟି କରନ୍ତୁ ନାହିଁ। ଉଚିତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରନ୍ତୁ। ସବୁବେଳେ ସଫାସୁତରା ରହିବାକୁ ଚେଷ୍ଟା କରନ୍ତୁ। ଖାଇବା ପିଇବାରେ ଧ୍ୟାନ ଦିଅନ୍ତୁ। କାମ ନଥିଲେ ଅଯଥାରେ ବାହାରକୁ ବାହରନ୍ତୁ ନାହିଁ। ସରକାର ଜାରି କରିଥିବା ସମସ୍ତ ନିର୍ଦେଶାବଳୀକୁ ଅନୁସରଣ କରନ୍ତୁ। ନିଜେ ସଚେତନ ରହିବା ସହ ଅନ୍ୟକୁ ସଚେତନ କରନ୍ତୁ। ସତର୍କ ରହି ଏହି ଭୟାବୟ ଭୂତାଣୁର ସଂକ୍ରମଣରୁ ଦୂରେଇ ରହୁନ୍ତୁ। ମୁଁ ସ୍ଥିର ନିଶ୍ଚିତ ଯେ ଆମେ ସମସ୍ତେ ଏକାଠି ହୋଇ ଏହି ମାରାତ୍ମକ ଭୂତାଣୁକୁ ହରାଇ ପାରିବା। କାରଣ କରୋନା ସମଗ୍ର ବିଶ୍ବ ଓ ମାନବଜାତି ପାଇଁ ବଡ଼ ବିପଦ। ଓଡ଼ିଶାରେ ପ୍ରଥମ କରୋନା ଭୂତାଣୁ ସଂକ୍ରମଣ ଘଟଣା ପଦାକୁ ଆସିବା ପରେ ଦୌଡ଼ରାଣୀ ଦୂତି ଚାନ୍ଦ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି। ସେହିଭଳି ପ୍ରକ୍ଷାଳକ ଓ ମାସ୍କ ଭଳି ଜିନିଷ ଲାଗି ବ୍ୟସ୍ତ ବିବ୍ରତ ନହୋଇ, ଆବଶ୍ୟକ ସ୍ଥଳେ ସାଧାରଣ ସାବୁନ ଓ ସଫା ରୁମାଲ ବ୍ୟବହାର କରିବାକୁ ଆହ୍ବାନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କ୍ରୀଡ଼ାବିତ୍ ଅଧିକ ସତର୍କ ରୁହନ୍ତୁ
କ୍ରୀଡ଼ାବିତମାନଙ୍କୁ ଅଧିକ ସତର୍କ ରହିବାକୁ ଦୂତି ପରାମର୍ଶ ଦେଇଛନ୍ତି। ‘‘କ୍ରୀଡ଼ା ଜଗତ କଥା ବିଚାରକୁ ନେଲେ, ମୁଁ କହିବି ଯେ ଆମେ ସମସ୍ତେ ଏକାଠି ରହୁ, ଗୋଟିଏ ପରିବାର ଭଳି ଚଳୁ, ଏକାଠି ଅଭ୍ୟାସ ମଧ୍ୟ କରୁ। କ୍ରୀଡ଼ା ଛାତ୍ରାବାସଗୁଡ଼ିକରେ ଗୋଟିଏ କୋଠରୀରେ ୧୦ରୁ ୧୫ ଜଣ ପିଲା ରୁହନ୍ତି। ଏଭଳି ସ୍ଥିତିରେ ଯଦି ଜଣକୁ ସଂକ୍ରମଣ ହୁଏ, ତାହାଲେ ସମସ୍ତେ ଏଥିରେ ପୀଡ଼ିତ ହେବାର ଆଶଙ୍କା ରହିଥାଏ। ସେଥିପାଇଁ ସବୁ କ୍ରୀଡ଼ାଛାତ୍ରାବାସରେ ସ୍ବତନ୍ତ୍ର ବ୍ୟବସ୍ଥା ହେବା ଦରକାର। ସରକାର ଏହି ଦିଗରେ ପଦକ୍ଷେପ ନେଉଛନ୍ତି। ଅଧିକାଂଶ ପ୍ରଶିକ୍ଷଣ ଶିବିରକୁ ବାତିଲ କରି ଦିଆଯାଇଛି। ମୁଁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରୁଥିବାରୁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଜାରି ରଖିଛି। ଏଥିଲାଗି ସ୍ବତନ୍ତ୍ର ଅନୁମତି ନେଇଛି। ଆମେ ଅନାବଶ୍ୟକ ଭାବେ କୌଣସି ଜିନିଷକୁ ଛୁଉଁନାହୁଁ। କେବଳ ଅଭ୍ୟାସ କରି ଚାଲି ଯାଉଛୁ।
ଅଲିମ୍ପିକ୍ସ ଘୁଞ୍ଚିବା ସମସ୍ତଙ୍କ ପାଇଁ ଭଲ ହେବ
ଟୋକିଓ ଅଲିମ୍ପିକ୍ସ ପାଇଁ ଦୂତି ଏ ପର୍ଯ୍ୟନ୍ତ ଯୋଗ୍ୟତା ଅର୍ଜନ କରି ନାହାନ୍ତି। ଏଥିଲାଗି ସେ କିନ୍ତୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ତେବେ ଗୋଟିଏ ପରେ ଗୋଟିଏ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ବାତିଲ ହୋଇ ଚାଲିଥିବାରୁ ତାଙ୍କ ଚିନ୍ତା କିନ୍ତୁ ବଢ଼ି ଚାଲିଛି। ଏଥିନେଇ ଦୂତି କହିଛନ୍ତି ଯେ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ବାତିଲ ହୋଇଗଲାଣି। ହେଲେ ଅଲିମ୍ପିକ୍ସ ବାତିଲ ହୋଇନି। ଯେଉଁମାନେ ଯୋଗ୍ୟତା ଅର୍ଜନ କରି ନେଇଛନ୍ତି। ସେମାନଙ୍କର କୌଣସି ଅସୁବିଧା ନାହିଁ। ହେଲେ ମୋ ଭଳି ଖେଳାଳି ଯେଉଁମାନେ ଏଥିଲାଗି ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କ ସମସ୍ୟା ଦ୍ବିଗୁଣିତ ହୋଇଛି। ଉନ୍ନତ ପ୍ରଶିକ୍ଷଣ ପାଇଁ ମୁଁ ତିନି ମାସ ପାଇଁ ଜର୍ମାନି ଯିବାକୁ ଯୋଜନା କରିଥିଲି। ଏଥିଲାଗି ସମସ୍ତ ପ୍ରସ୍ତୁତି ସରିଥିଲା। ଭିସା ମିଳି ସାରିଥିଲା। ହେଲେ କରୋନା ପାଇଁ ଏହାକୁ ବାତିଲ କରିବାକୁ ବାଧ୍ୟ ହୋଇଛି। କାରଣ ଜର୍ମାନି ସରକାର ଅନ୍ୟ ଦେଶର ଖେଳାଳି ସେଠାକୁ ଯିବା ଉପରେ କଟକଣା ଜାରି କରିଛନ୍ତି। ଅନ୍ୟ କେତେକ ଅନ୍ତର୍ଜାତୀୟ ପ୍ରତିଯୋଗିତା ମଧ୍ୟ ବାତିଲ ହୋଇଛି। ଏଥିରେ ଭଲ ଭଲ ଖେଳାଳି ଭାଗ ନେବାର ଥିଲା। କରୋନା ପାଇଁ କେବଳ ମୁଁ ନୁହେଁ, ଅଲିମ୍ପିକ୍ସ ଆଶାୟୀ ବହୁ ଖେଳାଳି ଏଥିଲାଗି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଅନ୍ୟପଟରେ ଭାରତରେ ହେଉଥିବା ପ୍ରତିଯୋଗିତାର ସ୍ତର ବି ସେତେଟା ଭଲ ରହୁନି। ଭଲ ପିଲା ଆସୁନାହାନ୍ତି। ଯେଉଁମାନେ କେବେବି ୧୦୦ ମିଟରରେ ଭାଗ ନିଅନ୍ତିନି, ସେମାନେ ଭାଗ ନେଉଛନ୍ତି। ଯାହା ଫଳରେ ଭଲ ଟାଇମିଂ ମିଳୁନି। ସେଥିପାଇଁ ଅଲିମ୍ପିକ୍ସକୁ କିଛି ଦିନ ବା ମାସ ପାଇଁ ବାତିଲ କରିଦେବା ସମସ୍ତଙ୍କ ପାଇଁ ଭଲ ହେବ। ପିଲାମାନେ ଯୋଗ୍ୟତା ଅର୍ଜନ କରି ନପାରିଲେ, କାହାକୁ ନେଇ ଅଲିମ୍ପିକ୍ସ ଆୟୋଜନ ହେବ?