ଗଞ୍ଜାମରେ ମୃତ୍ୟୁ ପଛର କାରଣ କ’ଣ?
ଆଉ ୨ଜଣଙ୍କ ଜୀବନ ନେଲା କରୋନା
ଦିନକରେ ୨୨୯ ପଜିଟିଭ୍, ସୁସ୍ଥ ହେଲେ ୧୩୯
ପୁରୁଷ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଲା
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ରାଜ୍ୟରେ ଆଉ ୨ଜଣ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୫୭ବର୍ଷର ଜଣେ ପୁରୁଷ ଅନୁଗୁଳର ହୋଇଥିବା ବେଳେ ଅନ୍ୟ ଜଣେ ୪୯ବର୍ଷର ପୁରୁଷ ଗଞ୍ଜାମ ଜିଲ୍ଲାର। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ସେଥିରୁ କେବଳ ଗଞ୍ଜାମ ଜିଲ୍ଲରେ ଏବେସୁଦ୍ଧା ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କ ବୟସ ୫୦ରୁ କମ୍ ରହିଛି। କାହିଁକି ଗଞ୍ଜାମ ଜିଲ୍ଲାରେ ୬୦ବର୍ଷରୁ କମ୍ ରୋଗୀ ଅଧିକ ସଂଖ୍ୟାରେ ପ୍ରାଣ ହରାଉଛନ୍ତି ତାହା ଏବେ ଲୋକଙ୍କୁ ଆନ୍ଦୋଳିତ କରିବାକୁ ଆରମ୍ଭ କରିଛି।
ଅନୁଗୁଳ ଜିଲ୍ଲାରେ କରୋନାରେ ପ୍ରାଣ ହରାଇଥିବା ପ୍ରଥମ ବ୍ୟକ୍ତି ଜଣକ ହେଉଛନ୍ତି ନାଲ୍କୋରେ କାର୍ଯ୍ୟରତ ଜଣେ ଉଚ୍ଚପଦସ୍ଥ ଅଧିକାରୀ। ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗତମାସ ୩୦ତାରିଖରେ ସେ ପଜିଟିଭ୍ ଥିବା ଜଣାପଡ଼ିଥିଲା। ତୁରନ୍ତ ତାଙ୍କୁ ତାଳଚେର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ମାତ୍ର ସେଠାରେ ସେ ପ୍ରାଣ ହରାଇଥିଲେ। ଗଞ୍ଜାମ ଜିଲ୍ଲାର ୪୯ବର୍ଷର ବ୍ୟକ୍ତିଙ୍କ ମୃତ୍ୟୁର କାରଣ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଶେଷ ସୂଚନା ଦିଆଯାଇ ନାହିଁ।
ଗତ ଜୁନ୍ ମାସରେ ରାଜ୍ୟରେ ୨୦ଟି କୋଭିଡ୍ ମୃତ୍ୟୁ ରେକର୍ଡ କରାଯାଇଛି। ତହିଁରୁ ସର୍ବାଧିକ ମୃତ୍ୟୁ ରହିଛି ଗଞ୍ଜାମ ଜିଲ୍ଲାରୁ। କ’ଣ ପାଇଁ ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ୫୦ବର୍ଷରୁ କମ୍ ରୋଗୀ ପ୍ରାଣ ହରାଉଛନ୍ତି ତାହା ଏବେ ରାଜ୍ୟ ପାଇଁ ଚିନ୍ତାର ବିଷୟ ହୋଇଛି। ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର(ବୈଷୟିକ) ପ୍ରଫେସର ଡା.ଜୟନ୍ତ ପଣ୍ଡାଙ୍କ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ରୋଗୀଙ୍କ ଦେହରେ କରୋନା ଲକ୍ଷଣ ପ୍ରକାଶ ପାଉଛି। ଯାହାକି ରାଜ୍ୟରେ ସର୍ବାଧିକ। ଗଞ୍ଜାମରେ ବହୁ ସଂଖ୍ୟାରେ ଯୁବକ ସଂକ୍ରମିତ ହେଉଥିବା ବେଳେ କମ୍ ବୟସରେ ମୃତ୍ୟୁ ହେଉଛି। ଜିଲ୍ଲାର ବହୁ ଲୋକ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଓ କିଛି ସଙ୍ଗରୋଧ କେନ୍ଦ୍ରରେ ପ୍ରାଣ ହରାଉଛନ୍ତି। ଗଞ୍ଜାମକୁ ଅଧିକାଂଶ ଲୋକ ଗୁଜୁରାଟରୁ ଆସିଥିବାରୁ ସେମାନଙ୍କ ଶରୀରରେ ଚୀନ୍ର ଉହାନ୍ରେ କରୋନା ଭୂତାଣରୁ ଯେଉଁ ଷ୍ଟ୍ରେନ୍(ଏଲ୍ ଷ୍ଟ୍ରେନ୍) ରହିଛି ତାହା ଦେଖିବାକୁ ମିଳୁଛି। ଜୀବ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟରେ କରୋନାର କେଉଁ ଭୂତାଣୁର ଷ୍ଟ୍ରେନ୍ ରହିଛି ତାହାର ଗବେଷଣା କରାଯାଇଛି। ପ୍ରଥମରେ ୪୯ଜଣଙ୍କ ରୋଗୀଙ୍କ ଗବେଷଣା ହୋଇଥିଲା ଓ ଏବେ ୧୦୦ରୁ ଅଧିକ ରୋଗୀଙ୍କ ଷ୍ଟ୍ରେନ୍ର ଗବେଷଣା ଚାଲିଛି। ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଆସିଥିବା ରୋଗୀଙ୍କ ଭିନ୍ନ ଭିନ୍ନ ଷ୍ଟ୍ରେନ୍ ଦେଖିବାକୁ ମିଳୁଛି ବୋଲି ଡା.ପଣ୍ଡା କହିଛନ୍ତି।
ତେବେ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ, ଗଞ୍ଜାମ ଜିଲ୍ଲାରୁ ପ୍ରଥମରୁ କିଛି ଲୋକ ପଶ୍ଚିମବଙ୍ଗରୁ ଆସିଥିବା ବେଳେ ପରବର୍ତୀ ସମୟରେ ଗୁଜୁରାଟରୁ ବହୁ ସଂଖ୍ୟାରେ ଲୋକ ଫେରିଥିଲେ। ଯେହେତୁ ସେଠାରେ କେସ୍ ଲୋଡ୍ ଅଧିକ ରହିଛି ତେଣୁ ଅଧିକ ମୃତ୍ୟୁ ହେଉଥିବା ନଜରକୁ ଆସୁଛି। ତେବେ ନିର୍ଦ୍ଦିଷ୍ଟ ଭାବେ ଏହାର କାରଣ ସଂପର୍କରେ କିଛି ଗବେଷଣା ହୋଇନାହିଁ। ରାଜ୍ୟରେ ଏବେ ପଜିଟିଭ୍ ସଂଖ୍ୟା ବଢ଼ିଥିବା ବେଳେ ମୃତ୍ୟୁ ବଢ଼ୁଥିବାରୁ ଡେଥ୍ ଅଡିଟ୍କୁ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ଅଧିକାରୀ କହିଛନ୍ତି।
ଅପରପକ୍ଷରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୯ଜଣ ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି। ତହିଁରୁ ସର୍ବାଧିକ ୯୫ଜଣ ଗଞ୍ଜାମ ଜିଲ୍ଲାରୁ ରହିଛନ୍ତି। ଏହାବାଦ୍ ବାଲେଶ୍ବର ୨୪, ଯାଜପୁର ୨୨, ଖୋର୍ଧା ୨୧, ସୁନ୍ଦରଗଡ଼ ୧୭, କଟକ ୧୨, ଝାରସୁଗୁଡ଼ା ୧୦, ବଲାଙ୍ଗୀର ୭, ନୟାଗଡ଼ ୫, ପୁରୀ ୪, ବୌଦ୍ଧ ୩, ମୟୂରଭଞ୍ଜ ୨, ଗଜପତି, ଜଗତସିଂହପୁର, ବରଗଡ଼, ଅନୁଗୁଳ, ଦେବଗଡ଼, କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି। ୨୨୯ ପଜିଟିଭ୍ଙ୍କ ମଧ୍ୟରୁ ୧୯୩ଜଣ ସଙ୍ଗରୋଧ କେନ୍ଦ୍ର ଓ ୩୬ଜଣ ସ୍ଥାନୀୟ ସଂକ୍ରମିତ ରହିଛି। ରାଜ୍ୟରେ ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି।
ସର୍ବାଧିକ ସଂକ୍ରମିତ ଜିଲ୍ଲା ଭିତରେ ଗଞ୍ଜାମ ଆଗରେ ରହିଛି। ଜିଲ୍ଲାର ରୋଗୀଙ୍କ ସଂଖ୍ୟା ୧୫୬୭ରେ ପହଞ୍ଚିଛି। ଏହାବାଦ୍ ଖୋର୍ଧା ୮୬୮, କଟକ ୬୨୦, ଯାଜପୁର ୫୩୭ ଅନ୍ୟତମ ସଂକ୍ରମିତ ଜିଲ୍ଲା ରହିଛନ୍ତି। ରାଜ୍ୟରେ କେବଳ ପୁରୁଷ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୬୧୫୦ରେ ପହଞ୍ଚିଛି।
ରାଜ୍ୟରେ ଆଉ ୧୪୯ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଗଞ୍ଜାମ ୪୯, ଖୋର୍ଧା ୨୪, ମୟୂରଭଞ୍ଜ ୧୪, କଟକ ୧୩, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୬ଜଣ ଲେଖାଏ, ରାୟଗଡ଼ା ୫, ଅନୁଗୁଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୪ଜଣ ଲେଖାଏଁ, ବଲାଙ୍ଗୀର, ଭଦ୍ରକ, ଯାଜପୁର ଓ ପୁରୀରୁ ୩ଜଣ ଲେଖାଏଁ, ବାଲେଶ୍ବର, ଜଗତସିଂହପୁର ଓ ନୟାଗଡ଼ରୁ ୨ଜଣ ଲେଖାଏ, ବରଗଡ଼ ଓ କୋରାପୁଟରୁ ଜଣେ ଲେଖାଏଁ ରହିଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୫୫୦୨ରେ ପହଞ୍ଚିଛି। ରାଜ୍ୟରେ ଏବେ ୨୦୦୮ ସକ୍ରିୟ ରୋଗୀ ରହିଛନ୍ତି। ରାଜ୍ୟରେ ପ୍ରଥମ ଥର ଲାଗି ଏତେ ସଂଖ୍ୟାରେ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି।