ନୂଆଦିଲ୍ଲୀ: କ୍ରିକେଟରୁ ଅବସର ପରେ ଚାଷରେ ମନ ବଳାଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ନିଜ ଫାର୍ମରେ ଧୋନି ଟମାଟୋ ଓ ଦୁଗ୍ଧ ଚାଷ କରୁଛନ୍ତି । ରାଞ୍ଚିର ଧୁର୍ବାସ୍ଥିତ ସେମ୍ଭୋଠାରେ ୫୫ ଏକର ଜମିରେ ଏହି ଚାଷ କରୁଛନ୍ତି ଧୋନି । ଧୋନି ଡାଏରି ଫାର୍ମ ସହ ଜୈବିକ ଚାଷ ମଧ୍ୟ କରୁଛନ୍ତି । ବର୍ତ୍ତମାନ ତାଙ୍କ ଫାର୍ମରେ ଟମାଟୋ, ଫୁଲକୋବି, ବ୍ରୋକଲି ଆଦି ପନିପରିବା ଚାଷ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଧୋନିଙ୍କ ଫାର୍ମ ହାଉସରେ ଚାଷ ହେଉଥିବା ଟମାଟୋ ଜୈବିକ ପ୍ରଣାଳୀରେ ଚାଷ ହେଉଛି । ଏଥିପାଇଁ ବଜାରରେ ଏହାର ଭଲ ଚାହିଦା ମଧ୍ୟ ରହିଛି । ୧ ସପ୍ତାହ ପରେ ଫାର୍ମରେ ଚାଷ ହେଉଥିବା କୋବିର ସ୍ୱାଦ ମଧ୍ୟ ଲୋକମାନେ ପାଇପାରିବେ । ବର୍ତ୍ତମାନ ଧୋନିଙ୍କ ଫାର୍ମର ଟମାଟୋ କିଲୋ ପିଛା ୪୦ ଟଙ୍କାରେ ବିକ୍ରି ହେଉଛି ।
ଏହା ସହ ଏକ ଡାଏରି ଫାର୍ମ ମଧ୍ୟ ଚଳାଉଛନ୍ତି ଧୋନି । ନିଜ ଡାଏରି ଫାର୍ମରେ ଧୋନି ଭାରତୀୟ ପ୍ରଜାତିର ସାହିୱାଲ ଓ ପ୍ରାନ୍ସ ପ୍ରଜାତିର ଫିଜିଆନା ଗାଈ ରଖିଛନ୍ତି । ବର୍ତ୍ତମାନ ତାଙ୍କ ଫାର୍ମରେ ୭୦ଟି ଗାଈ ରହିଛି । ଏହାର ଦେଖାଶୁଣା ଶିବାନନ୍ଦ ନାମଜ ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀ କରୁଛନ୍ତି ।
ପ୍ରତିଦିନ ଧୋନିଙ୍କ ଫାର୍ମରୁ ୩୦୦ ଲିଟର କ୍ଷୀର ଉତ୍ପାଦନ ହେଉଛି । ଏହା ସିଧା ବଜାରରେ ଯାଇ ବିକ୍ରି ହେଉଛି । ଲିଟର ପିଛା ୫୫ ଟଙ୍କାରେ କ୍ଷୀର ବିକ୍ରି କରୁଛନ୍ତି ଧୋନି । କିଛିଦିନ ପୂର୍ବରୁ ଧୋନି କଡକନାଥ କୁକୁଡ଼ା ଚାଷ କରିବେ ବୋଲି ଚର୍ଚ୍ଚା ହୋଇଥିଲା । ଏନେଇ ଧୋନି ୨ ହଜାର କୁକୁଡ଼ା ଚିଆଁ ପାଇଁ ମଧ୍ୟ ବରାଦ ଦେଇଥିଲେ ।
ଚଳିତ ବର୍ଷ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଏହାପରଠୁ କ୍ରିକେଟରୁ ଏବେ ଦୂରେଇ ରହିଛନ୍ତି ଧୋନି। ସେ ଚଳିତବର୍ଷ ଆଇପିଏଲ ଖେଳିଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିପାରିନଥିଲେ । ଏବେ ତାଙ୍କୁ ଚାଷ କରିବାର ଦେଖିବାକୁ ମିଳୁଛି ।