୬ ମାସ ପାଇଁ ସରକାରୀ କର୍ମଚାରୀଙ୍କ ଉପରେ ଲାଗିଲା ଏସମା, ଆନ୍ଦୋଳନ କଲେ ହେବ କଡା କାର୍ଯ୍ୟନୁଷ୍ଠାନ

ଲଖନଉ: କରୋନା ସଙ୍କଟ ମଧ୍ୟରେ ଉତ୍ତରପ୍ରଦେଶ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶରେ ଜରୁରୀ ସେବା ରକ୍ଷଣାବେକ୍ଷଣ ଅଧିନିୟମ (ଏସମା ଆକ୍ଟ) ଆସନ୍ତା ୬ ମାସ ପାଇଁ ଲାଗୁ ହୋଇଛି | ଅର୍ଥାତ୍ ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟରେ ଧର୍ମଘଟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ୬ ମାସ ମଧ୍ୟରେ କୌଣସି ସରକାରୀ କର୍ମଚାରୀ ସଂଘ ବା ସରକାରୀ ଅନୁବନ୍ଧିତ ସଂଗଠନର କର୍ମଚାରୀ ଆନ୍ଦୋଳନ କରିବା ପାଇଁ କାମ ବନ୍ଦ କରିପାରିବେ ନାହିଁ | ଏଭଳି କଲେ କର୍ମଚାରୀଙ୍କ ପ୍ରତି କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ | ବୁଧବାର ରାଜ୍ୟ ସରକାରଙ୍କ ଦ୍ୱାରା ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଦେଶ ଭିତରେ ପୁଣି କରୋନା ସଂକ୍ରମଣ ବଢୁଥିବାବେଳେ ଟିକା ଆସିବାର ସମ୍ଭାବନା ରହିଛି | ଆଉ ଟିକା ଆସିବା ପରେ ଟିକା ବଣ୍ଟନ ପାଇଁ ସରକାର ମଧ୍ୟ ପ୍ରସ୍ତୁତି କରୁଛନ୍ତି | ଆଉ ଏହି ସମୟରେ କାର୍ଯ୍ୟରେ ଯେଭଳି କୌଣସି ବାଧା ନ ଉପୁଜେ ସେଥିପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଏହି ନିୟମ ଅନୁଯାୟୀ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଏହାକୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକାରୀ କରିପାରିବେ।

ଏହି ନିୟମ ସେହି ସମୟରେ କାର୍ଯ୍ୟକାରୀ ହୋଇଥାଏ, ଯେତେବେଳେ ରାଜ୍ୟରେ କର୍ମଚାରୀଙ୍କ ଅଧିକ ଆବଶ୍ୟକତା ରହିଥାଏ । ମାର୍ଚ୍ଚ ପୂର୍ବରୁ, କରୋନା ସଂକ୍ରମଣ ଆରମ୍ଭ ବେଳେ ମଧ୍ୟ ଉତ୍ତରପ୍ରଦେଶ ସରକାର ସମାନ ନିଷ୍ପତ୍ତି ନେଇଥିଲେ। ଆଉ କରୋନା ସଂକ୍ରମଣ ପୁଣି ବଢ଼ୁଥିବାରୁ ରାଜ୍ୟ ସରକାର ସକ୍ରିୟ ହୋଇପଡିଛନ୍ତି।

ସମ୍ବନ୍ଧିତ ଖବର