ଆର୍ଏସ୍ପି, ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ : ଶ୍ରମିକ ଦିବସରୁ ଆର୍ଏସ୍ପିରେ ନୂଆ ଏସ୍ଓପି
ବୈଠକରେ ସାମିଲ ଥିଲେ ଶ୍ରମିକ ସଙ୍ଗଠନ, ଠିକା ସଂସ୍ଥାର ପ୍ରତିନିଧି
ରାଉରକେଲା : ଏଣିକି ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ରେ ଠିକା ଓ ସ୍ଥାୟୀ ଶ୍ରମିକଙ୍କ ମୃତ୍ୟୁ ନେଇ ଚାଲୁଥିବା ରାଜନୀତି ବନ୍ଦ ହେବ। କ୍ଷତିପୂରଣ, ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତରେ ଆର୍ଏ୍ସ୍ପି କର୍ତ୍ତୃପକ୍ଷ, ଠିକା ସଂସ୍ଥା ଓ ଶ୍ରମିକ ସଙ୍ଗଠନଗୁଡ଼ିକ ମଧ୍ୟରେ ଲାଗି ରହିଥିବା ବିବାଦର ପୂର୍ଣ୍ଣଚ୍ଛେଦ ପଡିବ। ନିକଟରେ ସାରନଗରୀର ଜଣେ ଠିକା ଶ୍ରମିକଙ୍କ ଶବ ୨୧ ଦିନ ମର୍ଗ ହାଉସରେ ସଢ଼ିବା ପରେ ତତ୍ପର ହୋଇଛି ଜିଲ୍ଲା ଓ ପୁଲିସ ପ୍ରଶାସନ। ଆଗାମି ଦିନରେ ଯେପରି ଏଭଳି ଘଟଣା ପୁନରାବୃତ୍ତି ନ ହୁଏ ସେଥିପାଇଁ ତିଆରି ହେବ ସ୍ବତନ୍ତ୍ର ଏସ୍ଓପି। ଆଗାମି ଶ୍ରମିକ ଦିବସ (ମେଇ ୧)ରୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଠିକା ଓ ସ୍ଥାୟୀ କର୍ମଚାରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ଉତ୍ତରାଧିକାରୀଙ୍କୁ କି କି ସହାୟତା ମିଳିବ ? କେତେ ଦିନରେ ମୃତଙ୍କ ପରିବାରକୁ ନିଯୁକ୍ତି ମିଳିବ ଆଦି ଏସ୍ଓପିରେ ରହିବ। ଏସ୍ଓପିକୁ ଆର୍ଏସ୍ପି କର୍ତ୍ତୃପକ୍ଷ, ଶ୍ରମିକ ସଙ୍ଗଠନ, ଠିକାସଂସ୍ଥା ମାନିବାକୁ ବାଧ୍ୟ ହେବେ ବୋଲି ଆଜି ଜିଲ୍ଲା ଓ ପୁଲିସ ପ୍ରଶାସନର ମିଳିତ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଉଦିତନଗର ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ। ଉପସ୍ଥିତ ଥିଲେ ରାଉରକେଲା ଏସ୍ପି ମୁକେଶ କୁମାର ଭାମୁ, ଡିଏସ୍ପି ଅସୀମ କୁମାର ପଣ୍ଡା। ବୈଠକରେ ସାମିଲ ଥିଲେ ଆର୍ଏସ୍ପିର ଏଜିଏମ୍ ଟି. କାନିତକର, ଏସ୍. ବଡପଣ୍ଡା, ଜ୍ଞାନରଞ୍ଜନ ଦାସ। କାରଖାନା ଓ ବାଷ୍ପିତ୍ତ ନିର୍ଦ୍ଦେଶାଳୟର ଅଧିକାରୀ, ଇଏସ୍ଆଇ ଅଧିକାରୀଙ୍କ ସମେତ ବିଭିନ୍ନ ଶ୍ରମିକ ସଙ୍ଗଠନର ପ୍ରତିନିଧି। ଏମାନଙ୍କ ମଧ୍ୟରେ ଥିଲେ ସିଆଇଟିୟୁର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ବସନ୍ତ ନାୟକ, ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ (ଆର୍ଆଇକେକେଏସ୍)ର ସାଧାରଣ ସମ୍ପାଦକ ହିମାଂଶୁ ବଳ, ପ୍ରଦୋଷ ପଣ୍ଡା, ରାଉରକେଲା ମଜଦୁର ସଭାର (ଆର୍ଏମ୍ଏସ୍)ର ସାଧାରଣ ସମ୍ପାଦକ ଶଶଧର ନାୟକ, ଚମ୍ପତି ରାୟ, ଆଇଏନ୍ଟିସିୟୁର ଜିଲ୍ଲା ସଭାପତି ନିହାର ଦାସ, ରାଉରକେଲା ଶ୍ରମିକ ସଂଘ (ଆର୍ଏସ୍ଏସ୍)ର ଆଲୋକ ବେହେରା, ଗାଙ୍ଗପୁର ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ। ଏଆଇଟିୟୁସିର ରମେଶ ସେଠି, ଏଆଇସିସିଟିୟୁର ଅଜିତ ନାୟକ, ଆର୍ଡବ୍ଲ୍ୟୁୟୁର ସତ୍ୟପ୍ରିୟ ମହାନ୍ତି, ସିୟରର ବୈଦନାଥ ଦାସଙ୍କ ସମେତ ପି.କେ. ମହାନ୍ତି, ଠିକାଦାର ସଂଘର ସାଧାରଣ ସମ୍ପାଦକ ସଜ୍ଜଲ ବାନାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ।
ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରହ୍ନ ପ୍ରାୟ ୨ଟା ପର୍ଯ୍ୟନ୍ତ ଆର୍ଏସ୍ପିର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ବରିଷ୍ଠ ଶ୍ରମିକ ନେତା ବିଷ୍ଣୁ ମହାନ୍ତି ଆଗାମି ଦିନରେ ଏଭଳି ସ୍ଥିତି ନ ଉପୁଜେ ସେଥିପ୍ରତି ଆର୍ଏସ୍ପି କର୍ତ୍ତୃପକ୍ଷ ଗୁରୁତ୍ବ ଦେବା ଆବଶ୍ୟକତା ରହିଛି ବୋଲି କହିଥିଲେ। ନିକଟରେ ଗ୍ୟାସ୍ ଲିକ୍ରେ ମୃତ୍ୟୁବରଣ କରିଥିବା ୪ ଠିକା ସଂସ୍ଥା କର୍ମଚାରୀଙ୍କ ପରିବାରକୁ ଏଯାଏଁ ଚାକିରି ମିଳି ନଥିବାରୁ ଅନେକ ଶ୍ରମିକ ସଙ୍ଗଠନ ପ୍ରଶ୍ନ ଉଠାଇିଲେ। ଆର୍ଏସ୍ପି ଅଧିକାରୀ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଆଗାମି ୭ ଦିନ ମଧ୍ୟରେ ୪ ମୃତ ଠିକା କର୍ମଚାରୀଙ୍କୁ ନିଯୁକ୍ତି ମିଳିବ ବୋଲି ଆର୍ଏସ୍ପି ଅଧିକାରୀ କହିଥିଲେ। ଆର୍ଏସ୍ପିରେ ସ୍ଥାୟୀ ଶ୍ରମିକଙ୍କ ପରି ଠିକା ଶ୍ରମିକଙ୍କ ପାଇଁ ଗ୍ରୁଫ୍ ଇନ୍ୟୁରାନ୍ସ କରିବାକୁ ଅନେକ ଶ୍ରମିକ ସଙ୍ଗଠନର ନେତାମାନେ ପ୍ରସ୍ତାବ ଦେଇଥିଲେ। ଶ୍ରମିକ ସଙ୍ଗଠନର ପ୍ରସ୍ତାବକୁ ଉପସ୍ଥିତ ଆର୍ଏସ୍ପି ଅଧିକାରୀ ଗ୍ରହଣ କରିଛନ୍ତି। ଖୁବ୍ଶୀଘ୍ର ଠିକା ଶ୍ରମିକଙ୍କର ଗ୍ରୁପ୍ ଇନ୍ସ୍ୟୁରାନ୍ସ କରାଯିବାକୁ ପ୍ରକ୍ରିୟା ହୋଇଛି। ବୈଠକରେ ଶ୍ରମିକ ସଙ୍ଗଠନର ପଞ୍ଜିକରଣ ବାତିଲ କରିବାକୁ ନେଇ କିଛି ଶ୍ରମିକ ସଙ୍ଗଠନ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା।