ଭୁବନେଶ୍ବର: ରାମ ମନ୍ଦିର ପଛ ଗଳିରେ ଥିବା ପ୍ଲାଷ୍ଟିକ୍ ଫୁଲ ଓ ଗିଫ୍ଟ ଦୋକାନ ‘ରାମ୍ଜୀ ଫ୍ଲାୱାର୍’ରେ ଆଜି ଅପରାହ୍ଣ ୫ଟାବେଳେ ନିଆଁ ଲାଗିଯିବାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ବି ଦୋକାନର ଶତକଡ଼ା ୯୦ ଭାଗ ଜଳି ଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ହେଁ କେହି ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇ ଦେଇଛି ବୋଲି ମାଲିକ ସନ୍ଦେହ କରିଛନ୍ତି। ତେବେ ଏନେଇ ସେ ପୁଲିସ ନିକଟରେ ଅଭିଯୋଗ କରିନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଅପରାହ୍ଣ ପ୍ରାୟ ୫ ସମୟରେ ଉକ୍ତ ଦୋକାନରେ ନିଆଁ ଲାଗି ଯାଇଥିଲା। ଦୋକାନରେ ପ୍ଲାଷ୍ଟିକ୍ ଫୁଲ, ଫୁଲ କୁଣ୍ଡ ଓ ଗିଫ୍ଟ ସାମଗ୍ରୀ ଥିବାରୁ ନିଆଁ ବେଶ୍ ଦ୍ରୁତବେଗରେ ବ୍ୟାପୀ ଯାଇଥିଲା। ଫଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ଦୋକାନର ୯୦ ଭାଗ ଜଳି ସାରିଥିଲା। ଅଗ୍ନିଶମ ବାହିନୀର ଅଧିକାରୀ ବିଶ୍ବବିଦିତ ରାଜଗୁରୁଙ୍କ ସୂଚନା ଅନୁସାରେ ନିଆଁ ଲିଭେଇବାରେ ୩ଟି ଟ୍ୟାଙ୍କର ନିୟୋଜିତ ହୋଇଥିବା ବେଳେ ଗ୍ୟାସ୍ ମଧ୍ୟ ବ୍ୟବହାର କରାଯାଇଥିଲା। ସର୍ଟ ସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ ଅଧିକାରୀ ସନ୍ଦେହ କରିଛନ୍ତି। କିନ୍ତୁ ସେତେବେଳେ ଦୋକାନରେ ବିଦ୍ୟୁତ୍ ନଥିଲା ବୋଲି ମାଲିକ ପ୍ରଦୀପ ଅଗ୍ରୱାଲ୍ କହିଛନ୍ତି।