ଜାତୀୟ ଜରୁରୀ ପରିସ୍ଥିତି ନୁହେଁ ତ କ’ଣ? ବିପତ୍ତି ସମୟରେ ମୂକଦର୍ଶକ ହୋଇ ରହିବୁ ନାହିଁ: ସୁପ୍ରିମ୍ କୋର୍ଟ
ଟିକା ଦାମ୍ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଲେ
ରାଜ୍ୟମାନଙ୍କୁ ସ୍ବାସ୍ଥ୍ୟ ଭିତ୍ତିଭୂମି ରିପୋର୍ଟ ମାଗିଲେ
Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀ : କରୋନା ମହାମାରୀ ଦେଶ ପାଇଁ ଜାତୀୟ ବିପତ୍ତି ଏବଂ ଏଭଳି ସମୟରେ ଆମେ ମୂକଦର୍ଶକ ସାଜି ରହିପାରିବୁ ନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ସୁଦୃଢ଼ ରଣନୀତି ପ୍ରସ୍ତୁତ କରିବାକୁ ହେବ ବୋଲି ମତ ଦେଇ ସୁପ୍ରିମ୍ କୋର୍ଟ ସଲିସିଟର ଜେନେରାଲ ତୁଷାର ମେହଟ୍ଟାଙ୍କୁ କହିଥିଲେ ଯେ ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର ସରକାର କି କି ପଦକ୍ଷେପ ନେଇଛନ୍ତି ଏବଂ କ’ଣ ସବୁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ବିସ୍ତୃତ ଭାବେ ଅବଗତ କରାଇବାକୁ ହେବ। ଗତ ସପ୍ତାହରେ ସୁପ୍ରିମ କୋର୍ଟ ଦେଶର କରୋନା ସଙ୍କଟକୁ ‘ଜାତୀୟ ଜରୁରୀ ପରିସ୍ଥିତି’ ବୋଲି ଉଲ୍ଲେଖ କରିବା ସହ ଅକ୍ସିଜେନ୍ ଏବଂ ଜରୁରୀ ଔଷଧର ପର୍ଯ୍ୟାପ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଥିଲେ। ଆଜି ସୁପ୍ରିମ୍ କୋର୍ଟ ରାଜ୍ୟ ସରକାରମାନଙ୍କୁ ଗୁରୁବାର ସୁଦ୍ଧା ସ୍ବାସ୍ଥ୍ୟ ଭିତ୍ତିଭୂମି ସଂକ୍ରାନ୍ତ ସବିଶେଷ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର ହେବ ବୋଲି ଆଜି ଧାର୍ଯ୍ୟ ହୋଇଛି । ଦେଶରେ ବର୍ତ୍ତମାନ କରୋନାକୁ ନେଇ ଯେଉଁ ସ୍ଥିତି ଦେଖାଦେଇଛି ତାହା ଜାତୀୟ ଜରୁରୀ ପରିସ୍ଥିତି ନୁହେଁ ତ’ ଆଉ କ’ଣ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଦେଶରେ କୋଡିଭ୍ ଟିକାକୁ ନେଇ ଦର ନିର୍ଦ୍ଧାରଣ ପ୍ରକ୍ରିୟାରେ ମଧ୍ୟ ସୁପ୍ରିମ୍ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଏହା ପଛରେ ଥିବା ତର୍କ ଓ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।
ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ଏଲ୍ ନାଗେଶ୍ବର ରାଓ ଏବଂ ଏସ୍ ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ ହାଇକୋର୍ଟଗୁଡ଼ିକ ରାଜ୍ୟମାନଙ୍କର ସ୍ଥିତି ସଂକ୍ରାନ୍ତରେ ଅବଗତ ଥିବାରୁ ଏ ବାବଦ ମାମଲାଗୁଡ଼ିକ ସେମାନଙ୍କ ଅଧୀନରେ ମଧ୍ୟ ଶୁଣାଣି ଚାଲିଛି। ତେବେ ଜାତୀୟ ସ୍ତରରେ ସୁପ୍ରିମ୍ କୋର୍ଟ ବାବଦରେ ଶୁଣାଣି ଜାରି ରଖିବେ ଏବଂ ଆବଶ୍ୟକସ୍ଥଳେ ହାଇକୋର୍ଟଙ୍କୁ ସହାୟତା ଦେବେ ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଏହି ସଙ୍କଟର ମୁକାବିଲା ପାଇଁ ମିଳିତ ଭାବେ ଯୁଦ୍ଧସ୍ତରରେ କାମ କରୁଛନ୍ତି ବୋଲି କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ ଜଣାଇଛନ୍ତି।
କେନ୍ଦ୍ର ସରକାର ଆଜି ୨୦୦ ପୃଷ୍ଠାର ସତ୍ୟପାଠ ସୁପ୍ରିମ୍ କୋର୍ଟରେ ଦାଖଲ କରିଛନ୍ତି। କୋଭିଡ୍ ମୁକାବିଲା ପାଇଁ ଜାତୀୟସ୍ତରରେ କିଭଳି ରଣନୀତି ପ୍ରସ୍ତୁତ ହୋଇଛି ଏବଂ କିଭଳି ଯୁଦ୍ଧସ୍ତରରେ ଯୋଜନା ସବୁ ଲାଗୁ ହୋଇଛି ସେ ବାବଦରେ ବିସ୍ତୃତ ତଥ୍ୟ ରଖିଛନ୍ତି। ମହାମାରୀ ସମୟରେ ଅତ୍ୟବଶ୍ୟକ ଯୋଗାଣ ବ୍ୟବସ୍ଥା ଓ ସେବା କାଏମ ରଖିବାକୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସରକାର ସମସ୍ତ ତଥ୍ୟ ଦାଖଲ କରିଛନ୍ତି। ତେବେ ପ୍ରତ୍ୟେକ ଦିନ ପରିସ୍ଥିତିକୁ ଦେଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ଭାବେ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଦେଶରେ ଅକ୍ସିଜେନ୍ ଉତ୍ପାଦନ ଏବଂ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଲଗାତାର ତଦାରଖ କରୁଛନ୍ତି ଏବଂ ଶିଳ୍ପସଂସ୍ଥାଙ୍କ ପାଇଁ ଅକ୍ସିଜେନ୍ ପ୍ରସ୍ତୁତ କରୁଥିବା ସଂସ୍ଥାଗୁଡ଼ିକ ମେଡିକାଲ ଅକ୍ସିଜେନ୍ ତିଆରି କରିବାକୁ କୁହାଯାଇଥିବା ଏଥିରେ କୁହାଯାଇଛି।