ଦିନକରେ ମହାମାରୀ ନେଲା ୫ ଜୀବନ; ୩ କୋଭିଡ଼ ଯୋଦ୍ଧାଙ୍କ ସମେତ ୧୬୩ ଆକ୍ରାନ୍ତ
୧୩ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୮୬
ରାୟଗଡ଼ା: ରାୟଗଡ଼ାରେ ଦିନକରେ ମହାମାରୀ କରୋନା ନେଇଛି ୫ ମୁଣ୍ଡ। ଏଥି ସହିତ ଗତ ୨୪ ଘଣ୍ଟାରେ ୩ କୋଭିଡ଼ ଯୋଦ୍ଧାଙ୍କ ସମେତ ୧୬୩ ଆକ୍ରାନ୍ତ ହେବା ଘଟଣା ଜିଲ୍ଲାବାସୀଙ୍କ ସ୍ତବ୍ଧ କରିଛି। ଦିନକୁ କରୋନାରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଶାସନର ପ୍ରଚେଷ୍ଟା ସତ୍ତ୍ବେ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ କରୋନା ମାଡ଼ି ଚାଲିଥିବା ବେଳେ ଗାଁରେ ସ୍ଥିତି ସାଂଘାତିକ ହୋଇ ପଡ଼ିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ରାୟଗଡ଼ା ବ୍ଲକର ବୈରାଗୀହାଲୁଆ ପଞ୍ଚାୟତ ସମେତ ଜିଲ୍ଲାର ଅନ୍ୟ କିଛି ଗ୍ରାମାଞ୍ଚଳରେ ଏବେ ଜ୍ବର, କାଶ, ଥଣ୍ଡାର ପ୍ରକୋପ ଦେଖିବାକୁ ମିଳିଛି। କରୋନା ଟେଷ୍ଟ ଭୟରେ ଲୋକେ ମେଡ଼ିକାଲକୁ ନ ଆସି ମେଡ଼ିସିନ୍ ଖାଇ ଘରେ ପଡ଼ି ରହିଛନ୍ତି। ଆସନ୍ତା ୨୪ ତାରିଖରୁ ଆଶା କର୍ମୀ ଘରକୁ ଘର ବୁଲି ସର୍ଭେ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏପଟେ ଜିଲ୍ଲାରେ କରୋନା ମୃତକଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଜିଲ୍ଲାବାସୀ ସ୍ତମ୍ଭୀଭୂତ ହୋଇ ପଡ଼ିଛନ୍ତି। ଗତ ୨୪ ଘଣ୍ଟାରେ କରୋନା ସଂକ୍ରମିତ ହୋଇଥିବା ୧୬୩ ଜଣଙ୍କ ମଧ୍ୟରେ ସ୍ବାସ୍ଥ୍ୟ, ରେଳ, ପୁଲିସ ବିଭାଗର ଜଣେ ଲେଖାଁଏ ଯୋଦ୍ଧା ରହିଛନ୍ତି।
ରାୟଗଡ଼ା ସହରରୁ ସର୍ବାଧିକ ୫୩, ଗୁଣପୁର ସହରରୁ ୨୦, କଲ୍ୟାଣସିଂହପୁରରୁ ୧୯, ରାମନାଗୁଡ଼ାରୁ ୧୯, ବିଷମକଟକରୁ ୩, ଚନ୍ଦ୍ରପୁରରୁ ଜଣେ, ଗୁଡାରିର ୨, ଗୁଣପୁର ଗ୍ରାମାଞ୍ଚଳରୁ ୮, କାଶୀପୁରରୁ ୧୮, କୋଲନରାରୁ ଜଣେ, ମୁନିଗୁଡ଼ାରୁ ୭, ପଦ୍ମପୁରରୁ ୩, ରାୟଗଡ଼ା ଗ୍ରାମାଞ୍ଚଳରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଶହେ ପୁରୁଷ, ୬୩ ମହିଳା ରହିଛନ୍ତି। ୨୨ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଜଣଙ୍କ ଗସ୍ତ ବିବରଣୀ ରହିଛି। ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୩ ହଜାର ୧୦୮ ଓ ମୃତ୍ୟୁ ସଂଖ୍ୟା ୮୬ରେ ପହଞ୍ଚିଛି। ଏବେ ସୁଦ୍ଧା ଜିଲ୍ଲାରୁ ୧୧ ହଜାର ୬୨୩ ସୁସ୍ଥ ହୋଇ ସାରିଥିବା ବେଳେ ୧୩୯୯ ଚିକିତ୍ସାଧୀନ ଅଛନ୍ତି।