ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ୍ରୁ ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣା: ପୁଲିସ ହାତ ଖାଲି, ସନ୍ଦେହ ଘେରରେ ଘରୋଇ ସଂସ୍ଥା କର୍ମଚାରୀ
ବ୍ରହ୍ମପୁର : କ୍ରାଇମ୍ ସିଟି ବ୍ରହ୍ମପୁରରେ ଗତକାଲି ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ୍ରୁ ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣା ପୁଲିସର ନିଦ ହଜାଇ ଦେଇଛି। ଘଟଣାକୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ହେଁ ଗୁରୁବାର ସଂଧ୍ୟା ସୁଦ୍ଧା ପୁଲିସ ହାତ ଖାଲି ରହିଛି। ତେବେ; ପ୍ରକୃତରେ ଟଙ୍କା ଲୁଟ୍ ହୋଇଛି ନା ଏହାପଛରେ ଅନ୍ୟ କିଛି ରହସ୍ୟ ଲୁଚି ରହିଛି, ତାହା ଉନ୍ମୋଚନ ହେବା ପରେ ପୂରା ଘଟଣା ପର୍ଦ୍ଦାଫାସ୍ ହେବ ବୋଲି ପୁଲିସ ଆଶା ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଜିଏସ୍ ସିକ୍ୟୋର୍ ନାମକ ଏକ ଘରୋଇ ସଂସ୍ଥା ବ୍ୟାଙ୍କରୁ ଟଙ୍କା ନେଇ ସହରର ବିଭିନ୍ନ ଏଟିଏମ୍ କାଉଣ୍ଟର୍ରେ ଭର୍ତ୍ତି କରିଥାଏ। ବୁଧବାର ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ସଂସ୍ଥାର ୪ ଜଣ କର୍ମଚାରୀ ୨୬ ଲକ୍ଷ ଟଙ୍କା ଭ୍ୟାନ୍ରେ ଧରି ବାହାରିଥିଲେ। ସେମାନେ ରଜାସାହିସ୍ଥିତ ଏଟିଏମ୍ କାଉଣ୍ଟର୍କୁ ଯାଇ ସେଠାରେ ୨ ଲକ୍ଷ ଟଙ୍କା ଭର୍ତ୍ତି କରିବା ପରେ ଆସିକା ରୋଡ଼ ଆକ୍ସିସ୍ ବ୍ୟାଙ୍କ ଏଟିଏମ୍ କାଉଣ୍ଟର୍କୁ ଯାଇଥିଲା। ଭ୍ୟାନ୍ଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଡ୍ରାଇଭର୍ ଗାଡ଼ିରେ ବସିଥିଲେ। ଗନ୍ମ୍ୟାନ୍ ଓ ଦୁଇଜଣ କର୍ମଚାରୀ ଗାଡ଼ିରୁ ଓହ୍ଲାଇ ବ୍ୟାଙ୍କ ଭିତରକୁ ଯାଇଥିଲେ। କିଛି ସମୟ ପରେ ଆସି ଦେଖିବା ବେଳେ ଗାଡ଼ିଟି ସେଠାରୁ ଉଭାନ୍ ହୋଇ ଯାଇଥିଲା। ଏହାପରେ ଗାଡ଼ି ଜବତ ହୋଇଥିଲେ ମଧ୍ୟ ୨୪ ଲକ୍ଷ ଟଙ୍କା ଗାଏବ୍ ହୋଇଯାଇଥିଲା।
ଅନ୍ୟପଟେ ଏଟିଏମ୍ରେ ଟଙ୍କା ଭର୍ତ୍ତି କରୁଥିବା ଘରୋଇ ସଂସ୍ଥାର କର୍ମଚାରୀଙ୍କ ବୟାନ୍ରେ ତାଳମେଳ ରହୁ ନଥିବା ଯୋଗୁଁ ସେମାନଙ୍କୁ ମଧ୍ୟ ପୁଲିସ ସନ୍ଦେହ ଘେରରେ ରଖିଛି। ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍କୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିଛି। ଖୁବ୍ଶୀଘ୍ର ଘଟଣାର ପର୍ଦ୍ଦାଫାସ୍ ହେବ ବୋଲି ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।