କାବୁଲରେ ଝିଅ, ସମ୍ବଲପୁରରେ ଚିନ୍ତିତ ମା’

ସମ୍ବଲପୁର : ତାଲିବାନର ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲ ଦଖଲ ସମଗ୍ର ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇଛି। ଆଫ୍‌ଗାନିସ୍ତାନରେ ରହୁଥିବା ଭାରତୀୟମାନଙ୍କ ପାଇଁ ଭାରତ ସରକାର ମଧ୍ୟ ଚିନ୍ତିତ ଅଛନ୍ତି। ଏପଟେ କାବୁଲରେ ବାହା ହୋଇଥିବା ସମ୍ବଲପୁରିଆ ଝିଅ ସପରିବାର ସେଠାରେ ରହୁଥିବାବେଳେ ସମ୍ବଲପୁରରେ ରହୁଥିବା ତାଙ୍କ ମାଁ ଜୁହୁରା ବେଗମ୍ ଓ ଅନ୍ୟ ସଂପର୍କୀୟମାନଙ୍କ ମଧ୍ୟ ଚିନ୍ତା ବଢ଼ିଯାଇଛି।

ସମ୍ବଲପୁର ସହର ମୋତିଝରଣ ଅଂଚଳରେ ରହୁଥିବା ଜୁହୁରା ବେଗମଙ୍କ ଝିଅ ସକିଲା ବାନୁ କାବୁଲର ମୂଳନିବାସୀ ଆତଉଲ୍ଲା ଖାନଙ୍କୁ ବିବାହ କରିଛନ୍ତି। ଆତଉଲ୍ଲା ସମ୍ବଲପୁରରେ ରହୁଥିବା ସମୟରେ ସକିଲା ତାଙ୍କ ସହିତ ପ୍ରେମ ବିବାହ କରିଥିଲେ। ବିବାହର କିଛି ବର୍ଷ ପର୍ଯ୍ୟନ୍ତ ଦୁହେଁ ଏଠାରେ ରହୁଥିଲେ। ପ୍ରାୟ ୧୨ ବର୍ଷ ତଳେ ସେମାନେ ନିଜ ପିଲାଛୁଆଙ୍କୁ ଧରି କାବୁଲ ଚାଲି ଯାଇଥିଲେ। ‌କାବୁଲ ଯିବା ପରଠାରୁ ଆଉ କେବେ ସମ୍ବଲପୁର ଫେରି ନାହାନ୍ତି। ସକିଲାଙ୍କ ସହିତ ତାଙ୍କ ମା ଜୁହୁରା ବେଗମ କିନ୍ତୁ ମଝିରେ ମଝିରେ କଥାବାର୍ତ୍ତା ହୋଇଥାନ୍ତି। ସକିଲାଙ୍କ ସମ୍ବଲପୁର ଆସିବା ପାଇଁ ଆଗ୍ରହ ଥିଲେ ବି ଏହା ଭିତରେ ସେ ଆଉ ଆସିପାରିନାହାନ୍ତି। ହେଲେ, ଗତ ୨ ମାସ ହେଲା ଝିଅ ସହିତ କଥାବାର୍ତ୍ତା ହୋଇପାରିନାହିଁ। ଫୋନ୍‌ ସଂଯୋଗ ଆଉ ହୋଇପାରୁ ନଥିବାରୁ ଏଭଳି ସମସ୍ୟା ହୋଇଛି ବୋଲି ଜୁହୁରା କହିଛନ୍ତି। ତାଲିବାନର କାବୁଲ ଦଖଲ ପରେ ଆଫ୍‌ଗାନିସ୍ତାନର ଲୋକଙ୍କ ବିକଳ ଚିତ୍ର ଟିଭି ପରଦାରେ ଦେଖି ଚିନ୍ତିତ ଥିବା ଜୁହୁରା ବେଗମ କହିଛନ୍ତି। ଝିଅକୁ ଫେରାଇ ଆଣିବା ପାଇଁ ‌ସରକାରଙ୍କୁ ଅନୁରୋଧ କରିଛନ୍ତି ଜୁହୁରା।

ସମ୍ବନ୍ଧିତ ଖବର