ପୌଷ ଶୁକ୍ଳ ଏକାଦଶୀ ହେଉଛି ‘ପୁତ୍ରଦା ଏକାଦଶୀ’। କିନ୍ତୁ ଦକ୍ଷିଣ ଭାରତର ଅନେକ ବିଷ୍ଣୁ ମନ୍ଦିରରେ ଏହାକୁ ‘ବୈକୁଣ୍ଠ ଏକାଦଶୀ’ ରୂପେ ପାଳନ କରାଯାଏ। ଏହାର କାହାଣୀ ମାର୍ଗଶିର କୃଷ୍ଣ ଏକାଦଶୀ ବା ‘ଉତ୍ପନ୍ନା ଏକାଦଶୀ’ର କାହାଣୀ ସହିତ ସମାନ। ବିଶେଷତଃ ଦକ୍ଷିଣ ଭାରତର ଶ୍ରୀରଙ୍ଗମ୍ ମନ୍ଦିରରେ ଏହା ଏକ ଉତ୍ସବ ରୂପେ ମହା ସମାରୋହରେ ପାଳିତ ହୁଏ। କୁହାଯାଏ, ଏହି ଏକାଦଶୀ ପାଳନର ପୁଣ୍ୟ, ବର୍ଷର ଅନ୍ୟ ୨୩ଟି ଏକାଦଶୀ ପାଳନର ପୁଣ୍ୟ ସହ ସମାନ।
Sambad is now on WhatsApp
Join and get latest news updates delivered to you via WhatsApp
ଏକାଦଶୀ ବୈଷ୍ଣବ ବା ବିଷ୍ଣୁଭକ୍ତମାନଙ୍କର ଏକ ପୁଣ୍ୟ ତିଥି। ପୌରାଣିକ ଉପାଖ୍ୟାନ ଅନୁସାରେ, ଏହି ତିଥି କିପରି ଉତ୍ପନ୍ନ ହେଲା ତାହାର କାହାଣୀ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ। ତାହା ଅନୁସାରେ, ପ୍ରାଚୀନ କାଳରେ ଚନ୍ଦ୍ରାବତୀ ପୁରରେ ଥିଲେ ତଳଜଙ୍ଗ ନାମକ ଜଣେ ଅସୁରରାଜା। ତାଙ୍କର ପୁତ୍ର ମୁର ଅତ୍ୟନ୍ତ ଅତ୍ୟାଚାରୀ ହେବାରୁ ଦେବଗଣ ଶିବଙ୍କୁ ପ୍ରାର୍ଥନା କଲେ। ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିବାକୁ ଶିବ ସେମାନଙ୍କୁ କହିଲେ। ଦେବଗଣଙ୍କ ପ୍ରାର୍ଥନା ଶୁଣି, ବିଷ୍ଣୁ ଚନ୍ଦ୍ରାବତୀପୁର ଯାଇ ମୁରର ସହଯୋଗୀ ଅସୁରମାନଙ୍କୁ ନିହତ କଲେ। ସେଠାରୁ ବଦରିକା ଆଶ୍ରମ ଯାଇ ସିଂହାବତୀ ଗୁମ୍ଫାରେ ସେ ବିଶ୍ରାମ ନେଉଥିବାବେଳେ, ମୁର ସେଠାକୁ ଆସି ସେହି ସୁଯୋଗରେ ତାଙ୍କୁ ନିହତ କରିବାକୁ ପ୍ରୟାସ କଲା। ମାତ୍ର ସେହି ସମୟରେ ନିଦ୍ରିତ ବିଷ୍ଣୁଙ୍କ ଶରୀରରୁ ଏକ ରୂପବତୀ କନ୍ୟା ଉତ୍ପନ୍ନ ହୋଇ ମୁରାସୁରକୁ ନିହତ କଲେ।
ଭଗବାନ ବିଷ୍ଣୁ ନିଦରୁ ଉଠି, ତାହା ଜାଣିଲେ ଏବଂ ସେହି କନ୍ୟାଙ୍କୁ ବର ଦେବାକୁ ଚାହିଁଲେ। ମାତ୍ର କନ୍ୟା କହିଲେ- ଏକାଦଶୀ ତିଥିରେ ମୋର ଉତ୍ପନ୍ନ ହୋଇଛି। ଏଣୁ ଏହି ତିଥିରେ ଯେ ଉପବାସ କରି ଓ ଉଜାଗର ରହି, ଆପଣଙ୍କର ଜପ ଓ ଧ୍ୟାନ କରିବ, ତାହାର ବୈକୁଣ୍ଠ ପ୍ରାପ୍ତି ହେବ; ମୋତେ ଏହି ବର ଦିଅନ୍ତୁ। ସେହିଠାରୁ ‘ଏକାଦଶୀ’ ବ୍ରତର ଉତ୍ପନ୍ନ ହେଲା। ବିଷ୍ଣୁ ସେହି କନ୍ୟାଙ୍କର ନାମ ରଖିଲେ ‘ଏକାଦଶୀ’। ସେ ହେଲେ ଏକାଦଶୀ ତିଥିର ଦେବୀ। ବିଷ୍ଣୁ ‘ମୁରାରି’ ନାମରେ ଏକାଦଶୀର ଆରାଧ୍ୟ ଦେବତା ବା ଅଧିପତି ହେଲେ।
ଏହି ବ୍ରତ ପାଳନ କରୁଥିବା ଦକ୍ଷିଣ ଭାରତର ବିଷ୍ଣୁଭକ୍ତମାନେ ବିଶ୍ୱାସ କରନ୍ତି, ଯେ ଏହି ଦିନ ବୈକୁଣ୍ଠ ଲୋକର ଦ୍ୱାର ଉନ୍ମୁକ୍ତ ରହେ। ଏହି ବ୍ରତ ପାଳନକାରୀଙ୍କର ବୈକୁଣ୍ଠ ପ୍ରାପ୍ତି ନିମନ୍ତେ ଭଗବାନ ବିଷ୍ଣୁଙ୍କର କୌଣସି କୁଣ୍ଠା ନଥାଏ।