ଲେଖାର ସ୍ବୀକୃତି ହିଁ ଲେଖକର ସର୍ବଶ୍ରେଷ୍ଠ ପ୍ରାପ୍ୟ, ୧୧ ସାହିତ୍ୟିକଙ୍କୁ ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ
ଭୁବନେଶ୍ୱର: ସ୍ଥାନୀୟ ଜୟଦେବ ଭବନଠାରେ ୨୪ତମ କଳିଙ୍ଗ ପୁସ୍ତକ ମେଳା କମିଟି ପକ୍ଷରୁ ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ-୨୦୨୧ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଆୟକର କମିସନର ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ପୁସ୍ତକ ମେଳା ସାହିତ୍ୟ ଓ ସଂସ୍କୃତିର ମିଳନ ସ୍ଥଳ ହେବା ଉଚିତ। ଓଡ଼ିଶାରେ ଅନ୍ତର୍ଜାତୀୟସ୍ତରର ପୁସ୍ତକ ମେଳାର ଆବଶ୍ୟକତା ରହିଛି। ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ବରଂଜନ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଲେଖାର ସ୍ବୀକୃତି ହିଁ ଲେଖକର ସର୍ବଶ୍ରେଷ୍ଠ ପ୍ରାପ୍ୟ। ତେଣୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ନୂତନ ଓ ଯୁବପିଢ଼ିର ପ୍ରତିଭାମାନଙ୍କୁ ଆବିଷ୍କାର କରି ସେମାନଙ୍କ ଲେଖାକୁ ସ୍ବୀକୃତି ଦିଆଯାଉ। ଏହି ଆବିଷ୍କାର ପାଇଁ ଦୂରଦୃଷ୍ଟି ରହିବା ଉଚିତ।
Sambad is now on WhatsApp
Join and get latest news updates delivered to you via WhatsApp
ସଭାରେ ଅନ୍ୟତମ ଅତିଥି ଭାବେ ସଂସ୍କୃତି ବିଭାଗର ପୂର୍ବତନ ନିର୍ଦ୍ଦେଶକ ବିଜୟ ନାୟକ, ପ୍ରଫେସର୍ ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ସାମାଜିକ କର୍ମୀ ଗୀତାଞ୍ଜଳି ପଣ୍ଡାଙ୍କୁ କଳିଙ୍ଗ ପୁସ୍ତକ ମେଳା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହା ସହ ଓଡ଼ିଆ ସାହିତ୍ୟର ୧୧ଟି ବିଭାଗରେ ୧୧ ଜଣ ବିଶିଷ୍ଟ ସାରସ୍ଵତ ପ୍ରତିଭାଙ୍କୁ ୨୪ତମ କଳିଙ୍ଗ ମେଳା ଓ ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ- ୨୦୨୧ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦିକା ରେଣୁକା ମିଶ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ଚମକ ଚାନ୍ଦିନୀ ଦାସ ମଞ୍ଚ ପରିଚାଳନା କରିଥିଲେ।