ଆଇପିଏଲ୍‌ ନିଲାମିର ୬ ଆଲୋଚିତ ମୁଖ୍ୟାଂଶ

୮ ପୁରୁଣା ଦଳରେ ବହୁ ଖେଳାଳିଙ୍କ ଜର୍ସି ବଦଳିଯାଇଛି। ଦୁଇ ନୂଆ ଦଳ ସେମାନଙ୍କ ପ୍ରଥମ ଦଳ ଗଠନ କରିନେଇଛନ୍ତି। କିଛି ଯୁବ ଖେଳାଳି ରାତାରାତି କୋଟି ପତି ପାଲଟିଯାଇଛନ୍ତି। ବହୁ ବଡ଼ ବଡ଼ ତଥା ବୟସ୍କ ଖେଳାଳି ବି ଅଲୋଡ଼ା ରହିବା ‌ଦେଖିବାକୁ ମିଳିଛି। ଘମାଘୋଟ ଟକ୍କର ଭିତରେ ୧୦ ଦଳ ୨୦୪ ଖେଳାଳିଙ୍କୁ ଗତ ନିଲାମିରେ କିଣି ନେଇଥିଲେ। ଏମାନଙ୍କ ମଧ୍ୟରେ ୬୭ ବିଦେଶୀ ମଧ୍ୟ ରହିଛନ୍ତି। ନିଲାମର ୬ଟି ମୁଖ୍ୟାଂଶ ଏବେ ଚର୍ଚ୍ଚାରେ ରହିଛି।

ଆଇପିଏଲ୍‌ ଇତିହାସରେ ସର୍ବାଧିକ ୧୧ ଜଣ ଏଥର ୧୦ କୋଟିରୁ ଊର୍ଧ୍ବ ମୂଲ୍ୟରେ ବିକ୍ରି ହୋଇଥିଲେ। ୨୩ ବର୍ଷୀୟ ଈଶାନ କିଶନ ସର୍ବାଧିକ ୧୫.୨୫ କୋଟିରେ ମୁମ୍ବାଇ ଇଣ୍ଡିଆନ୍ସରେ ସୁରକ୍ଷିତ ରହିଲେ। ଈଶାନଙ୍କ ବ୍ୟତୀତ ଦୀପକ ଚହର (୧୪ କୋଟି), ଶ୍ରେୟସ ଆୟର (୧୨.୨୫ କୋଟି), ଲିଆମ ଲିଭିଂଷ୍ଟୋନ୍ (୧୧.୫ କୋଟି), ଶାର୍ଦୁଳ ଠାକୁର (୧୦.୭୫ କୋଟି), ହର୍ଷଲ ପଟେଲ୍ (୧୦.୭୫ କୋଟି), ୱାନିନ୍ଦୁ ହସରଙ୍ଗା (୧୦.୭୫ କୋଟି), ନିକୋଲାସ୍ ପୂରନ (୧୦.୭୫ କୋଟି), ଅଭେସ୍ ଖାନ୍ (୧୦ କୋଟି), ପ୍ରସିଦ୍ଧ କୃଷ୍ଣ (୧୦ କୋଟି), ଲୋକି ଫର୍ଗୁସନ୍ (୧୦ କୋଟି) ଏହି ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି।

ଚେନ୍ନାଇ ସୁପର୍‌ କିଙ୍ଗ୍ସ ପ୍ରଥମ ଥର ପାଇଁ ଜଣେ ଖେଳାଳିକୁ ୧୦ କୋଟିରୁ ଊର୍ଧ୍ବ ଦରରେ ‌କିଣିଲା। ନିଜ ଦଳର ସଫଳ ଅଲରାଉଣ୍ଡର୍‌ ଦୀପକ ଚହରଙ୍କୁ ନ ଛାଡ଼ିବାକୁ ଯାଇ ୧୪ କୋଟିରେ ରଖିଛି ମାହିସେନା। ମହେନ୍ଦ୍ର ସିଂହ ଧୋନିଙ୍କ ରିଟେନ୍ ମୂଲ୍ୟ ୧୨ କୋଟିରୁ ଅଧିକ ପାଇବେ ଚହର। ଗତବର୍ଷ ଦୀପକ ଚହର ୧୫ ମ୍ୟାଚ୍‌ରୁ ୧୪ ୱିକେଟ୍‌ ନେଇଥିଲେ। ମୋଟ ଉପରେ ସେ ୬୩ ଆଇପିଏଲ୍‌ ମ୍ୟାଚ୍‌ରୁ ୫୯ ୱିକେଟ୍‌ ନେବା ସହ ନିମ୍ନକ୍ରମରେ ଉପଯୋଗୀ ବ୍ୟାଟିଂ କରିବା କ୍ଷମତା ରଖିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ପ୍ରଥମ ଥର ପାଇଁ ଜଣେ ଖେଳାଳିକୁ ୧୦ କୋଟିରୁ ଊର୍ଧ୍ବ ଦରରେ ‌କିଣିଲା। ଝାଡ଼ଖଣ୍ଡର ୨୩ ବର୍ଷୀୟ ୱିକେଟରକ୍ଷକ ପ୍ରାରମ୍ଭିକ ବ୍ୟାଟର୍‌ ଈଶାନ କିଶନ ସର୍ବାଧିକ ୧୫.୨୫ କୋଟିରେ ରଖିଛି ରୋହ‌ିତ ଶର୍ମାଙ୍କ ଦଳ। ନିଜ ମୂଳ ଦର ୨ କୋଟିର ୭ ଗୁଣାରୁ ଉର୍ଧ୍ବ ରାଶି ପାଇବେ ଈଶାନ। ୨୦୧୬ରେ ଯୁବରାଜ ସିଂହଙ୍କୁ ୧୬ କୋଟିରେ ଦିଲ୍ଲୀ ନେବା ପରେ ଈଶାନ ଦ୍ବିତୀୟ ସର୍ବାଧିକ ରାଶିରେ ବିକ୍ରି ହୋଇଥିବା ଭାରତୀୟ ଖେଳାଳି‌ ହୋଇଛନ୍ତି।

ଅନ୍ୟତମ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏଥର ନିଲାମ ବେଳେ ବେଶ ଗୋପନ ତଥା ଯୋଜନାବଦ୍ଧ ଭାବେ ଖେଳାଳିଙ୍କୁ କିଣିଥିଲା। ୨୦୨୨ରେ ସମ୍ପୂର୍ଣ୍ଣ ଉପଲବ୍‌ଧ ନ ହେବା କଥା ଜାଣିଥିଲେ ମଧ୍ୟ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ୮ କୋଟିରେ କିଣିଥିଲା। କାରଣ ଭବିଷ୍ୟତକୁ ନଜରରେ ରଖି ମୁମ୍ବାଇ ଏଭଳି କରିଛି। ସେହିଭଳି ଦ୍ବିତୀୟ ଦିନରେ ମୋଟ ୧୧ ଜଣ ଯୁବ ଭାରତୀୟ ଖେଳାଳିଙ୍କୁ ନେଇ ନିଜ ଗୁରୁ ଦାୟିତ୍ବ ମଧ୍ୟ ତୁଲାଇଥିଲା। ତଥାପି ୯୦ କୋଟିରୁ ମୁମ୍ବାଇ ୮୯ କୋଟି ଖର୍ଚ୍ଚ କରିଛି ନିଲାମ ଓ ରିଟେନ୍‌ସନ୍‌ ରାଶିରେ।

ଅଭେସ୍‌ ଖାନ୍‌ ଆଇପିଏଲ୍‌ ଇତିହାସରେ ସବୁଠୁ ଦାମୀ ଅଣଅନ୍ତର୍ଜାତୀୟ ଖେଳାଳି ହୋଇଛନ୍ତି। ଲକ୍ଷ୍ନୌ ସୁପର୍‌ଜ୍ୟାଣ୍ଟ୍ସ ତାଙ୍କୁ ୧୦ କୋଟିରେ କିଣିଛି। ଭାରତୀୟ ଦଳ ଦ୍ବାର ଦେଶରେ ଥିବା ଏହି ଦ୍ରୁତ ବୋଲର ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିଲେ। ୨୦୧୭ରୁ ଆଇପିଏଲ୍‌ ଖେଳୁଥିବା ଅଭେସ୍‌ ୨୫ ମ୍ୟାଚ୍‌ରୁ ୨୯ ୱିକେଟ୍ ଦଖଲ କରିଛନ୍ତି। ୨୦୧୬ କନିଷ୍ଠ ବିଶ୍ବକପ୍‌ ଦଳର ସଦସ୍ୟ ହେବା ପରଠାରୁ ସେ ଆଉ ପଛକୁ ଫେରିଚାହିଁନାହାନ୍ତି।

ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଆଭ୍ୟନ୍ତରୀଣ ଅଙ୍ଗ ଥିବା ସୁରେଶ ରାଇନାଙ୍କ ଯୁଗ ଶେଷ ହୋଇଯାଇଛି। ନିଲାମରେ କୌଣସି ଦଳ ତାଙ୍କ ପ୍ରତି ଆଗ୍ରହ ଦେଖାଇନଥିଲେ। ଏକଦା ଆଇପିଏଲ୍‌ର ଅଗ୍ରଣୀ ରନ୍‌ ସଂଗ୍ରହକାରୀ ତାଲିକାରେ ଶୀର୍ଷରେ ଥିଲେ। ଏବେ ବିରାଟ କୋହଲି, ଶିଖର ଧାୱନ, ରୋହିତ ଶର୍ମାଙ୍କ ତଳକୁ ଚତୁର୍ଥରେ ରହିଛନ୍ତି। ୨୦୧୮ ପର୍ଯ୍ୟନ୍ତ ରାଇନା ଚେନ୍ନାଇ ପାଇଁ ପ୍ରତିଟି ଏକାଦଶରେ ଖେଳି ୧୫୮ ମ୍ୟାଚ୍‌ରେ ପ୍ରତିନିଧିତ୍ବର କୀର୍ତ୍ତିମାନ କରିଥିଲେ।

ସମ୍ବନ୍ଧିତ ଖବର