ଅକ୍ଷୟ ଶକ୍ତି ବିକାଶରେ ଓଡ଼ିଶା ନେତୃତ୍ବ ନେଉ
ବିଜୟ କୁମାର ମିଶ୍ର
ଓଡ଼ିଶାରେ ଅକ୍ଷୟ ଶକ୍ତି (ରିନିୱେବଲ୍ ଏନର୍ଜି)- ସୌର ଶକ୍ତି, ପବନ ଶକ୍ତି, ବାୟୋ ଶକ୍ତି ଇତ୍ୟାଦିର ଉତ୍ପାଦନ ପାଇଁ ଅନେକ ଅନୁକୂଳ ପରିସ୍ଥିତି, ସମ୍ଭାବନା, ଆବଶ୍ୟକତା ଓ ଚାହିଦା ଥାଇ ମଧ୍ୟ ଓଡ଼ିଶାର ନେତୃତ୍ବ ଏ ଦିଗରେ ଏତେ ଉଦାସୀନ ଓ ନିସ୍ପୃହ କାହିଁକି? କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣର ରିନିୱେବଲ୍ ଏନର୍ଜି ପ୍ରୋଜେକ୍ଟ ମନିଟରିଂ ଡିଭିଜନ୍ ରିପୋର୍ଟ ଅନୁସାେର ଭାରତରେ ୨୦୨୧ ଜାନୁଆରି ମାସରେ ଅକ୍ଷୟ ଶକ୍ତି ଉତ୍ପାଦନ ଜାତୀୟ ହାର ପୂରା ବିଦ୍ୟୁତ୍ ଶକ୍ତି ଉତ୍ପାଦନର ୯.୬ ପ୍ରତିଶତ ଥିଲା ବେଳେ ସେହି ମାସରେ ଓଡ଼ିଶାର ଅକ୍ଷୟ ଶକ୍ତିର ଅଂଶ ପୂରା ବିଦ୍ୟୁତ୍ ଶକ୍ତି ଉତ୍ପାଦନର ମାତ୍ର ୧.୯ ପ୍ରତିଶତ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ରିପୋର୍ଟରୁ ଜଣାଯାଏ ଭାରତର ଅନେକ ରାଜ୍ୟ ପୂରା ବିଦ୍ୟୁତ୍ ଉତ୍ପାଦନରେ ଅକ୍ଷୟ ଶକ୍ତିର ଅଂଶ ବେଶ୍ ବଢ଼େଇଲେଣି, ଯଥା କର୍ଣ୍ଣାଟକ (୩୨.୯୫%), ରାଜସ୍ଥାନ (୧୯.୭%), ତାମିଲନାଡୁ (୧୪.୮୯%) ଆନ୍ଧ୍ରପ୍ରଦେଶ (୧୬.୫୨%), ଗୁଜୁରାଟ (୧୬.୩୨%)। ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ଅକ୍ଷୟ ଶକ୍ତି କ୍ଷେତ୍ରରେ ଯେ ବହୁ ପଛରେ ପଡ଼ିଛି ତାହା ଜଳ ଜଳ ଦେଖାଯାଏ। ଆଜିର ଜଳବାୟୁ ସଂକଟ ସମୟରେ ଏହା ଯେତିକି ଆଶ୍ଚର୍ଯ୍ୟଜନକ, ତା’ଠାରୁ ଅଧିକ ଚିନ୍ତାଜନକ ବିଷୟ।
ଓଡ଼ିଶାରେ ବିଭିନ୍ନ ଉତ୍ସରୁ କେତେ ବିଦ୍ୟୁତ୍ ଉତ୍ପାଦନ ହେଉଛି। ଓଡ଼ିଶାରେ ଜାନୁଆରି ୨୦୨୧ ମାସରେ ପୂରା ୫୧୧୨ ଏମ୍.ୟୁ (ମିଲିଅନ୍ ୟୁନିଟ୍) ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୋଇଥିଲା ଯେଉଁଥିରେ ତାପଜ ଶକ୍ତିରୁ ୪୬୬୨ ଏମ୍.ୟୁ, ଜଳ ଶକ୍ତିରୁ ୩୮୩ ଏମ୍.ୟୁ ଏବଂ ଅକ୍ଷୟ ଶକ୍ତିରୁ ମାତ୍ର ୬୬ ଏମ୍.ୟୁ ଶକ୍ତି ଉତ୍ପନ କରାଯାଇଛି। ଏହି ପ୍ରକାର ଧାରାରୁ ସ୍ପଷ୍ଟ ଜଣାପଡ଼େ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ଓଡ଼ିଶା ତାପଜ ଶକ୍ତି ତଥା କୋଇଲା ଉପରେ କେତେ ନିର୍ଭରଶୀଳ। ଓଡ଼ିଶା ପାଇଁ ଅକ୍ଷୟ ଶକ୍ତିର ଆବଶ୍ୟକତାକୁ ଓଡ଼ିଶା ସରକାର ତାଙ୍କର ୨୦୧୬ ମସିହା ଏନର୍ଜି ରିପୋର୍ଟରେ ଅଗ୍ରାଧିକାର ଦେଲେ ମଧ୍ୟ ଯୋଜନାର କାର୍ଯ୍ୟକାରିତା ଦୁର୍ବଳ ଓ ନିରାଶାଜନକ।
ଭାରତର ପୂରା କୋଇଲାର ୨୪ ପ୍ରତିଶତ ଓଡ଼ିଶାରେ ଅଛି; ସେଥିପାଇଁ ବୋଧେ ଓଡ଼ିଶା ସରକାର ନିଜକୁ ଏକ ବିଦ୍ୟୁତ୍ ବଳକା ରାଜ୍ୟ ଭାବରେ ଦାବି କରନ୍ତି ଓ ଅନ୍ୟ ରାଜ୍ୟକୁ କୋଇଲା ଯୋଗାଇ ଦେବାକୁ ଆଗେଇ ଆସନ୍ତି। କିନ୍ତୁ କୋଇଲା ଏକ ବିନାଶକାରୀ ଫସିଲ୍ ଫୁଏଲ୍ ଯାହାର ଅବାରିତ ଖଣି ଖନନ ଦ୍ବାରା ପୂରା ଅଂଚଳର ଭୂତଳ ଜଳ, ଜଂଗଲ, ତାପମାନ ଓ ପରିବେଶ ଇତ୍ୟାଦିର ଅପୂରଣୀୟ କ୍ଷତି ଘଟେ ଏବଂ ସ୍ଥାନୀୟବାସୀଙ୍କର ଓ ଆଗ ପିଢ଼ି ପାଇଁ ଦୀର୍ଘକାଳୀନ ଭିତ୍ତିରେ ସେମାନଙ୍କର ସ୍ବାସ୍ଥ୍ୟ, ଘର, ଜଳାଧାର, ଜୀବିକା ନଷ୍ଟ କରେ। ତାଳଚେର ଉପରେ ଏକ ଗବେଷଣାତ୍ମକ ଲେଖାରୁ କୋଇଲା ଖଣି ଖନନର ନାନାଦି କୁପ୍ରଭାବ ବିଷୟରେ ବିସ୍ତୃତ ଭାବରେ ବିବରଣୀ ଦିଆଯାଇଛି। ତା’ଛଡ଼ା ମହନଦୀ କୋଲ୍ ଫିଲ୍ଡସ ଦ୍ବାରା କୋଇଲା ଯୋଗାଣ ପରିଚାଳନାରେ ତ୍ରୁଟି ଯୋଗୁଁ ନିକଟରେ ବନହରୀପାଲିରେ ୬୬୦ ମେଗାୱାଟ୍ ତାପଜ ଶକ୍ତି ୟୁନିଟ୍ ବନ୍ଦ କରିବାକୁ ପଡ଼ିଲା।
ଓଡ଼ିଶାରେ ୭ଟି ବଡ଼ ବଡ଼ ଜଳ ପ୍ରକଳ୍ପ (ହାଇଡେଲ୍ ଶକ୍ତି)ରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୁଏ, କିନ୍ତୁ ବର୍ତ୍ତମାନ କେତୋଟି ଜଳଭଣ୍ଡାରରେ ପାଣିର ସ୍ତର କମି ଯାଉଛି। କେତୋଟି ଜଳଭଣ୍ଡାରରେ ବିଭିନ୍ନ କାରଣରୁ କମ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି। ଗ୍ରୀଷ୍ମ ଋତୁରେ ଏହା ଆହୁରି ଗୁରୁତର ହୋଇଯାଏ। ଅଣ ଫସିଲ୍ ଏନର୍ଜି ଭାବରେ ଏହା ଗ୍ରହଣୀୟ ହେଲେ ବି ବର୍ଷାର ଅନିୟମିତତା ନେଇ ହାଇଡେଲ୍ ପ୍ରକଳ୍ପରେ ଅନିଶ୍ଚିତତା ବଢ଼ିଗଲାଣି।
ଓଡ଼ିଶାର ଲୋକମାନେ ଦୈବ ଦୁର୍ବିପାକରେ ବାର ବାର କ୍ଷତିଗ୍ରସ୍ତ ହୋଇଛନ୍ତି ଯେଉଁଥିରେ ବିଦ୍ୟୁତ୍ ସରବରାହ ଦୁଇ ସପ୍ତାହରୁ ମାସେ ପର୍ଯ୍ୟନ୍ତ ବ୍ୟାଘାତ ହୋଇଯାଏ। ବିଗତ ୨୨ ବର୍ଷରେ ଓଡ଼ିଶା ସୁପର୍ ସାଇକ୍ଲୋନ୍, ଫାଇଲିନ୍, ହୁଡୁହୁଡୁ, ତିତିଲି, ଅମ୍ଫାନ୍ ଓ ଫନି ଭଳି ୧୦ଟି ମହାବାତ୍ୟାର ଶିକାର ହୋଇଛି। ଫନି ପରେ ଭୁବନେଶ୍ବରରେ ବ୍ୟକ୍ତିଗତ ସ୍ତରରେ ହାତ ଗଣତି ଲୋକ ନିଜର ସୌର ଶକ୍ତି ପ୍ଲାଣ୍ଟ୍ ଯୋଗୁଁ ନିଜର ବିଦ୍ୟୁତ୍ ଶକ୍ତି ଜଲ୍ଦି ପାଇଲେ ଯାହା ଅନ୍ୟମାନଙ୍କ ପାଇଁ ଅତି କମ୍ରେ ଦୁଇ ସପ୍ତାହ ଲାଗିଲା।
ଏ ସବୁ ଅନିଶ୍ଚିତତାକୁ ଆଖିରେ ରଖି କାର୍ବନ ମୁକ୍ତ ଏନର୍ଜି ଉତ୍ପାଦନର ବିବିଧ ପନ୍ଥାର ବ୍ୟବସ୍ଥା କରିବା ଆବଶ୍ୟକ। ବିଦ୍ୟୁତ୍ ଉତ୍ପାଦନକୁ ଅକ୍ଷୟ ଶକ୍ତି ଦ୍ବାରା ବିକେନ୍ଦ୍ରୀକରଣ କରି ରାଜ୍ୟର ଦୂର ଅଂଚଳରେ ବିଦ୍ୟୁତ୍ ଶକ୍ତି ଯୋଗାଇ ହେବ। ଅକ୍ଷୟ ଶକ୍ତି ଆଡ଼କୁ ଆଗେଇବାର ଅନ୍ୟ କାରଣ ହେଲା ସୌର ଶକ୍ତି ଖର୍ଚ୍ଚ ୟୁନିଟ୍ ପ୍ରତି ୨୦୧୪ରେ ୭ ଟଙ୍କା ପଡୁଥିଲା ବେଳେ, ତାହା ଏବେ ୟୁନିଟ୍ ପ୍ରତି ୧.୯୯ ଟଙ୍କାକୁ ଖସିଲାଣି। ପବନ ଶକ୍ତିରେ ୩.୫୦ ଟଙ୍କାର ଟାରିଫ୍ ୨.୭୭ ଟଙ୍କାକୁ ଖସିଲାଣି।
ଦୀର୍ଘକାଳୀନ ଭିତ୍ତିରେ ଅକ୍ଷୟ ଶକ୍ତି ଉତ୍ପାଦନ କରିବା ଲାଗି ଆମ ରାଜ୍ୟରେ ପ୍ରାୟ ସବୁ ଅଂଚଳରେ ଅନୁକୂଳ ପରିସ୍ଥିତି ଓ ସୁଯୋଗ ଅଛି। ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ଊର୍ଜା ବିଭାଗର ୨୦୧୩ ସୋଲାର ପଲିସି ଅନୁସାରେ ଓଡ଼ିଶା ୫୩,୩୦୦ ମେଗାୱାଟ୍ର ଅକ୍ଷୟ ଶକ୍ତି ଉତ୍ପାଦନ କରିବାେର ସକ୍ଷମ ଅଛି। ଯଦିଓ ଓଡ଼ିଶାରେ ମାସକୁ ପ୍ରାୟ ହାରାହାରି ୫୦୦୦ ମେଗାୱାଟ୍ ବିଦ୍ୟୁତ୍ ଶକ୍ତିର ଆବଶ୍ୟକତା ଅଛି, ଚାହିଦା ମେଣ୍ଟେଇବା ପାଇଁ ସୂର୍ଯ୍ୟ, ପବନ, ଜଳ, ବାୟୋମାସ୍ ଭଳି ପ୍ରାକୃତିକ ଉତ୍ସ ଆମ ପାଖରେ ଯଥେଷ୍ଟ ଅଛି।
ସୌର ଶକ୍ତି ବିଦ୍ୟୁତ୍ ଉତ୍ପାଦନର ଗୋଟିଏ ବଡ଼ ଅକ୍ଷୟ ଶକ୍ତିର ଉତ୍ସ। ଓଡ଼ିଶାରେ ବର୍ଷରେ ପ୍ରାୟ ୩୦୦ ଦିନ ସୂର୍ଯ୍ୟକିରଣ ମିଳେ ଏବଂ ହାରାହାରି ୧ ବର୍ଗ ମିଟର ପ୍ରତି ୫.୫ KWh ସୋଲାର ଇରାଡିଆନ୍ସ (GHI: Global Horizontal Irradiance) ମିଳେ ଯାହାକି ବିଭିନ୍ନ ଜିଲ୍ଲାରେ ସୌର ଶକ୍ତି ଉତ୍ପାଦନ ପାଇଁ ଅନୁକୂଳ। ସହଜରେ ୧୦୦୦୦ ମେଗାୱାଟ୍ ସୌର ଶକ୍ତି ଉତ୍ପାଦନ ହୋଇପାରିବ ବୋଲି ସରକାର ତାଙ୍କ ଆକଳନରେ କହିଛନ୍ତି। ଅକ୍ଷୟ ମନ୍ତ୍ରାଳୟ ଅନୁସାରେ ୩୧-୩-୨୦୨୨ ତାରିଖରେ ସୌର ଶକ୍ତିରେ ସଂସ୍ଥାପିତ ଶକ୍ତି (installed)ରେ ଅଗ୍ରଣୀ ରାଜ୍ୟ ହେଲେ ରାଜସ୍ଥାନ (୧୨୫୬୪ ମେଗାୱାଟ୍), କର୍ଣ୍ଣାଟକ (୭୫୯୦ ମେଗାୱାଟ୍), ଗୁଜୁରାଟ (୭୧୮୦ ମେଗାୱାଟ୍), ତାମିଲନାଡୁ (୫୦୬୭ ମେଗାୱାଟ୍), ଆନ୍ଧ୍ରପ୍ରଦେଶ (୪୩୮୬ ମେଗାୱାଟ୍)। ଏମାନଙ୍କ ତୁଳନାରେ ଓଡ଼ିଶାରେ ସୌର ଶକ୍ତିରେ ସଂସ୍ଥାପିତ ଶକ୍ତି ମୋଟେ ୪୫୧ ମେଗାୱାଟ୍। ତା’ଛଡ଼ା ପ୍ରତି ମାସର ପ୍ରକୃତ ଉତ୍ପାଦନ ଆଶାଜନକ ନୁହେଁ। ସରକାରଙ୍କ ରିନିୱେବଲ୍ ଏନର୍ଜି ନୀତି ୨୦୧୬ ଓ ଭାରତ ସରକାରଙ୍କ ରିନିୱେବଲ୍ ପର୍ଚେଜ୍ ଓବ୍ଲିଗେସନ୍ (ଆର୍. ପି. ଓ) ଅନୁଯାୟୀ ୨୨୦୦ ମେଗାୱାଟ୍ ସୌର ଶକ୍ତି ଚଳିତ ୨୦୨୨ ମସିହା ସୁଦ୍ଧା ଉତ୍ପାଦନ ହେବା କଥା।
ଓଡ଼ିଶାରେ ପବନ ଶକ୍ତି ଉତ୍ପାଦନ ପାଇଁ ଯଥେଷ୍ଟ ସୁଯୋଗ ଅଛି। ଓଡ଼ିଶାରେ ୪୫୦ କିଲୋମିଟର ଦୀର୍ଘ ସମୁଦ୍ର ତଟ ଅଛି। ଦାମନଯୋଡ଼ି ଭଳି ବିଭିନ୍ନ ସ୍ଥାନ ବି ବଛା ଯାଇଛି। ଏକ ପ୍ରାଥମିକ ଆକଳନରୁ ଜଣାଯାଏ ଯେ ଓଡ଼ିଶା ଅତି କମ୍ରେ ୧୭୦୦ ମେଗାୱାଟ୍ ପବନ ଶକ୍ତି ଉତ୍ପାଦନ କରିବା ପାଇଁ ସକ୍ଷମ। ୨୦୨୨ ଜାନୁଆରି ମାସରେ ପବନ ଶକ୍ତି ଉତ୍ପାଦନରେ ଗୁଜୁରାଟ (୧୨୯୬ ଏମ୍. ୟୁ.), ତାମିଲନାଡୁ(୫୧୮ ଏମ୍. ୟୁ.), କର୍ଣ୍ଣାଟକ (୪୫୯ ଏମ୍. ୟୁ.), ଆନ୍ଧ୍ରପ୍ରଦେଶ (୩୨୩ ଏମ୍. ୟୁ.) କରିଥିବା ସ୍ଥଳେ ଓଡ଼ିଶାରେ ପବନ ଶକ୍ତିରୁ କିଛି ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୋଇନି। ଯଦିଓ ୨୦୨୨ ମସିହା ସୁଦ୍ଧା ୨୦୦ ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରିବା କଥା, ସରକାରଙ୍କ ପ୍ରସ୍ତୁତିକୁ ଦେଖିଲେ ଠିକ୍ ସମୟରେ ଏ ଟାର୍ଗେଟ୍ ପୂରଣ କରିବା ସମ୍ଭବ ନୁହେଁ। ଆର.ପି.ଓ. ଓବ୍ଲିଗେସନ୍ ପାଇଁ ତାମିଲନାଡୁରୁ କିଛି ପବନ ଶକ୍ତି ଆମଦାନି କରିବାର ଅଛି।
ଏହି ବର୍ଷ ଜାନୁଆରି ମାସରେ ଓଡ଼ିଶା ବାୟୋମାସ୍ରୁ ୯.୪ ଏମ୍.ୟୁ ଏବଂ କ୍ଷୁଦ୍ର ଜଳ ଯୋଜନାରୁ ୧୬.୪ ଏମ୍.ୟୁ ଏନର୍ଜି ଉତ୍ପାଦନ କରିଛି। ୩୧-୦୩-୨୦୨୨ ତାରିଖରେ ସଂସ୍ଥାପିତ ବାୟୋ ଶକ୍ତି ୫୯ ମେଗାୱାଟ୍ ଓ କ୍ଷୁଦ୍ର ହାଇଡେଲ୍ ପାୱାର୍ ୧୦୬ ମେଗାୱାଟ୍ ରହିଛି, ଏହାର ପ୍ରକୃତ ଉତ୍ପାଦନ ସଂସ୍ଥାପିତ ଶକ୍ତି ଅନୁପାତରେ େହଉଛି କି ନାହିଁ, ଏହା ମାସକୁ ମାସ ଦେଖିବାକୁ ପଡ଼ିବ। ବୈତରଣୀ, ସପ୍ତଧାରା ଇତ୍ୟାଦି ସ୍ଥାନରେ ଏ ସବୁ କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ କେତେଦୂର କାର୍ଯ୍ୟକାରୀ ହେଉଛି, ସେ ବିଷୟରେ ସଠିକ୍ ତଥ୍ୟ ସହଜରେ ଜଣାପଡ଼େ ନାହିଁ।
ଅକ୍ଷୟ ଶକ୍ତିର ବିକାଶ ପାଇଁ ଓଡ଼ିଶାରେ ଦୁଇଟି ସଂସ୍ଥା ସ୍ଥାପିତ ହୋଇଛି। ଓରେଡା (OREDA) ଏବଂ ଜେଡକଲ୍ (GEDCOL)। ଏହି ଦୁଇଟି ସଂସ୍ଥାର ୱେବ୍ସାଇଟ୍ ଦେଖିଲେ ପ୍ରତିଶ୍ରୁତି, ପ୍ରସ୍ତାବ ଓ ଯୋଜନା ଛଡ଼ା ବେଶି କିଛି ତଥ୍ୟ ଉପଲବ୍ଧ ବା ବିଶେଷ ସଫଳତାର କାହାଣୀ ମିଳେନି। ଖାସ୍ କରି ଏହାର କାର୍ଯ୍ୟକାରିତାର ବିବରଣୀ ଠିକ୍ ରୂପେ ଜାଣିବା ବି ମୁସ୍କିଲ। କର୍ଣ୍ଣାଟକ ସରକାରଙ୍କ ଏନର୍ଜି ଡିପାର୍ଟମେଣ୍ଟ୍ର ୱେବ୍ସାଇଟ୍ ଦେଖିଲେ ଏକ ସ୍ପଷ୍ଟ ସାମଗ୍ରିକ ରୂପରେଖ ମିଳେ, କିନ୍ତୁ ଆମ ଏନର୍ଜି ସଂସ୍ଥାର ୱେବ୍ସାଇଟ୍ ଗୁଡ଼ିକ ଅସ୍ପଷ୍ଟ, ଅସଂପୂର୍ଣ୍ଣ ଓ ନିରାଶାଜନକ।
ଅକ୍ଷୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ଓଡ଼ିଶା ସରକାର ମାର୍ଚ୍ଚ ୨୦୨୨ ସୁଦ୍ଧା ୧୮୪୭୯ ସୋଲାର ବତି ଖୁଣ୍ଟ, ୯୯୮୪୩ ସୋଲାର ଲଣ୍ଠନ, ୫୨୭୪ ହୋମ୍ ଲାଇଟିଂ ସିଷ୍ଟମ୍ ଦ୍ବାରା ଦୂର ଅଂଚଳର ଗାଁରେ ଆଲୋକୀକରଣ କରାଇଛନ୍ତି। ସୋଲାର ଷ୍ଟୋଭ୍ ବିଭିନ୍ନ ଗାଁରେ ବଣ୍ଟା ହୋଇଛି, ୧୦୩୦୮ ସୋଲାର ପମ୍ପ୍ ଲାଗିଛି। ଏ ସବୁର କାର୍ଯ୍ୟକାରିତା ଓ ତଦାରଖକୁ ନେଇ ଗ୍ରାମବାସୀଙ୍କର ଅନେକ ଅଭିଯୋଗ ନଜରକୁ ଆସୁଛି। ଏଥିରେ ହେଉଥିବା ଦୁର୍ନୀତି ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି। ଭୁବନେଶ୍ବର ନିକଟରେ ବାରପୀଠ ପ୍ରଥମ ସୋଲାର ଗ୍ରାମ ହିସାବରେ ୨୦୧୫ ମସିହାରେ ସ୍ଥାପିତ ହୋଇଥିଲା, କିନ୍ତୁ ଫନି ପର ଠାରୁ ଏହା ଅକାମୀ ହୋଇ ପଡ଼ିଛି। ଏ ସବୁ ଅନେକ କ୍ଷେତ୍ରରେ ବିଫଳ ହେବାର କାରଣ ହେଉଛି ଗୁଣାତ୍ମକ କାର୍ଯ୍ୟ, ଠିକଣା ମରାମତି ଓ ରକ୍ଷଣାବେକ୍ଷଣର ଅଭାବ; ତା’ଛଡ଼ା ପରିଚାଳନାରେ ତ୍ରୁଟି ଓ ଦୁର୍ନୀତି।
କେତୋଟି ଅନୁଷ୍ଠାନ ଯଥା ଜାଭିୟର ୟୁନିଭର୍ସିଟି, ଶଂକର ଚକ୍ଷୁ ହସ୍ପିଟାଲ୍, ସରକାରୀ ଅନୁଷ୍ଠାନ ଓ ବ୍ୟକ୍ତିଗତ ବାସଭବନରେ ଛାତ ଉପରେ (ରୁଫ ଚପ୍) ସୋଲାର ପାନେଲ୍ ଦ୍ବାରା ସୌରଶକ୍ତିରୁ ବିଦ୍ୟୁତ୍ ଶକ୍ତି ଉପଯୋଗ ହୋଇପାରୁଛି। କେନ୍ଦ୍ର ସରକାର ୩୪୦ ମେଗାୱାଟ୍ର ସୋଲାର ପାର୍କ ଗଂଜାମର ଲଣ୍ଡେଇ ପାହାଡ଼, ଇନ୍ଦ୍ରାବତୀ ଓ ହୀରାକୁଦ ପାଇଁ ନିକଟରେ ଅନୁମୋଦନ ଦେଇଛନ୍ତି, କିନ୍ତୁ ଏ ସବୁ ଯୋଜନା ୨୦୨୨ ସୁଦ୍ଧା ହୋଇପାରିବ କି ନାହିଁ ସନ୍ଦେହ ରହିଛି। ଓଡ଼ିଶାର ୨୦୧୯-୨୦ରେ ରିନିୱେବଲ୍ ପର୍ଚେଜ୍ ଓବ୍ଲିଗେସନ୍ (ଆର୍. ପି. ଓ) ଅନୁଯାୟୀ ପୂରା ବିଦ୍ୟୁତ୍ ଶକ୍ତିର ଟାର୍ଗେଟ୍ ଶତକଡ଼ା ୧୧ ପ୍ରତିଶତ ଥିଲା ଯାହା ଓଡ଼ିଶା ପୂରାପୂରି ନିଜେ ଭରି ନ ପାରିବାରୁ ଏଥିପାଇଁ କିଛି ଅଂଶ ଓଡ଼ିଶା ବାହାର ରାଜ୍ୟରୁ ଯୋଗାଡ଼ କରୁଛି।
ଏବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ବିଦ୍ୟୁତ୍ ଏକ ବଡ଼ ସଂକଟ ଭାବରେ ଠିଆ ହେଲାଣି। ଗ୍ରାମ ଓ ଦୂରାଚଂଳରେ ବିଦ୍ୟୁତ୍ କାଟ୍ ବଢ଼ିଗଲାଣି। କୋଇଲା ଯୋଗାଣରେ ସମସ୍ୟା ବି ଦେଖାଗଲାଣି। ତା’ ସାଂଗକୁ ଜଳ ସଂକଟ ଓ ପ୍ରଦୂଷଣର ବିପଦ। ଯେତେ ଶୀଘ୍ର ସମ୍ଭବ ଅକ୍ଷୟ ଶକ୍ତିକୁ ଗୁରୁତ୍ବ ଦେବା ଅତ୍ୟନ୍ତ ଜରୁରୀ। ଆଜି ଯେଉଁପରି ଜଳବାୟୁର ପରିବର୍ତ୍ତନ ବିଗିଡ଼ି ଗଲାଣି, ସମୂହ ହିତ ପାଇଁ କାର୍ବନ ମୁକ୍ତ, ସ୍ବଚ୍ଛ ଓ ସବୁଜ ଟେକ୍ନୋଲୋଜି ଦ୍ବାରା ଅକ୍ଷୟ ଶକ୍ତିକୁ ତତ୍ପରତା ସହ କାର୍ଯ୍ୟକାରୀ କରିବା ଦରକାର। ସବୁଠୁ ବଡ଼କଥା ହେଲା ଊର୍ଜା ଉତ୍ପାଦନର ବିକଳ୍ପ ଭାବରେ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପାଇଁ ଏକ ନୂଆ ଓ ସ୍ବଚ୍ଛ ଉପାୟର ବ୍ୟବସ୍ଥାକୁ ଏବେ ଠାରୁ ସୁଦୃଢ଼ କରି ହେବ ଏବଂ ଦୂରାଚଂଳରେ ବିଦ୍ୟୁତ୍ ଶକ୍ତି ଯୋଗାଇ ହେବ। ଅକ୍ଷୟ ଶକ୍ତିର ବିକାଶ ପାଇଁ ଉତ୍କଣ୍ଠା, ଆନ୍ତରିକତା ଓ ଗମ୍ଭୀର ଦାୟିତ୍ବର ଆବଶ୍ୟକତା ଅଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦୁର୍ବିପାକ ନିରାକରଣ ଲାଗି ଭାରତରେ ବେଶ୍ ସୁନାମ ଅର୍ଜନ କରିଛନ୍ତି, ବର୍ତ୍ତମାନ ଅକ୍ଷୟ ଶକ୍ତି ବିକାଶ ଦିଗରେ ତାଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ତାଙ୍କ ନେତୃତ୍ବର ପରାକାଷ୍ଠା ଓ ଦୂରଦୃଷ୍ଟିର ପ୍ରତୀକ ହେବ।
ମୋ: ୯୯୭୧୨୦୦୪୮୯