ଲାଠୋର: ଖପ୍ରାଖୋଲ ବ୍ଲକ୍ ଲାଠୋର ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟର ପ୍ରତିବାଦ କରାଯାଇଛି। ସୋମବାର ଏଠାରେ ଦିନକ ପାଇଁ ଦୋକାନ ବଜାର ବନ୍ଦ କରାଯାଇଥିଲା। ଲାଠୋର ଗ୍ରାମର ସାବେତ୍ରୀ ବାଇ ଆମ୍ବେଦକର ବିର୍ସାମୁଣ୍ଡା ସାମାଜିକ ପରିବର୍ତନ ଅନୁଷ୍ଠାନ (ସାବାସ)ର ସଦସ୍ୟ ବିଶ୍ୱହରି ନାଗଙ୍କ ନେତୃତ୍ବରେ ସୋମବାର ସ୍ଥାନୀୟ କଲ୍ୟାଣ ମଣ୍ଡପଠାରୁ କଲେଜ ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ପରେ କଲେଜ ଛକ ଠାରେ ଧାରଣା ଦିଆଯାଇଥିଲା। ଏଥିରେ ଗ୍ରାମର ମାଁ ବସ୍ତ୍ରେନ ଓଡ଼ିଆ ବଣିକ ସଂଘ, ଡ୍ରାଇଭର ସଙ୍ଘ, କୋଶଳ ମୁକ୍ତିମୋର୍ଚ୍ଚା ଆଦି ଅନୁଷ୍ଠାନ ସହ ଗ୍ରାମବାସୀ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ଗାଁର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସେମାନଙ୍କ ଅଭିଯୋଗ ଅନୁସାରେ, ବହୁ ଦିନରୁ ଲାଠୋର ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଲାଗି ରହିଛି। ବିଭାଗୀୟ ଅଧିକାରୀମାନେ କେହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉ ନାହାନ୍ତି। ପ୍ରାୟ ୩୦ଟି ଗ୍ରାମ ଏହି ସମସ୍ୟାରେ ଯୁଝୁଛନ୍ତି। ପାଠପଢ଼ା ବ୍ୟାହତ ହେଉଛି। ବିଭିନ୍ନ କାମରେ ଆସୁଥିବା ଲୋକେ ହଇରାଣ ହେଉଛନ୍ତି। ଏହାର ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଥିଲା। ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବିଭାଗ ପକ୍ଷରୁ ପାଟଣାଗଡ଼ ସହକାରୀ ଯନ୍ତ୍ରୀ ପ୍ରତ୍ୟୁଷ ଦାଶ, ଖପ୍ରାଖୋଲ ସେକ୍ସନ କମର୍ସିଆଲ ଅଧିକାରୀ ଅମିତ ମିଶ୍ର ଧାରଣାସ୍ଥଳରେ ସମସ୍ୟାକୁ ନେଇ ଆଲୋଚନା କରିଥିଲେ।
ଆଗାମୀ ୧୫ ଦିନରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଧାରଣାରୁ ଓହରିଥିଲେ। ଅନୁଷ୍ଠାନ ପକ୍ଷରୁ ଏକ ୫ ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ପୁରୁଣା ତାରକୁ ବଦଳେଇ ନୂତନ କେବୁଲ ଲଗାଇବା, ଟ୍ରାନ୍ସଫର୍ମରରେ ଥିବା ତ୍ରୁଟି ସୁଧାରିବା ଆଦି ରହିଛି। ଆଗମୀ ଦିନରେ ସମସ୍ୟାର ସମାଧାନ ନହେଲେ ବିରାଟ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଥିଲା।