ବରେଲି : ମୃତ୍ୟୁ କେଉଁ ସମୟରେ ଆସିପାରେ କିଏ ଅବା ଜାଣେ ? ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲିର ଏକ ହୋଟେଲରେ। ଜଣେ ବ୍ୟକ୍ତି ଜନ୍ମଦିନ ପାର୍ଟିରେ ଡିଜେର ତାଳେତାଳେ ଆନନ୍ଦରେ ନାଚୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ନାଚୁନାଚୁ ସେ ହଠାତ୍ ତଳେ ପଡ଼ିଗଲେ ଏବଂ ମୃତ୍ୟୁ ତାଙ୍କୁ କୋଳରେ ନେଇଗଲା । ଏଭଳି ଏକ ଦୁଃଖଦାୟକ ଘଟଣାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୪୫ ବର୍ଷୀୟ ଲ୍ୟାବ ଟେକ୍ନିସିଆନ ପ୍ରଭାତ ପ୍ରେମୀ ବରେଲିରେ ଏକ ହୋଟେଲରେ ଆୟୋଜିତ ଏକ ଜନ୍ମଦିନ ପାର୍ଟିରେ ନାଚୁଥିଲେ । ପାର୍ଟିରେ ଉପସ୍ଥିତ ଥିବା ଲୋକମାନେ ତାଙ୍କ ନାଚର ଭିଡିଓ କରୁଥିଲେ ଏବଂ ତାଙ୍କର ଉତ୍ସାହ ବଢ଼ାଉଥିଲେ । ଡିଜେରେ ନାଚୁଥିବା ସମୟରେ ପ୍ରଭାତ ହଠାତ୍ ଚେତାଶୂନ୍ୟ ହୋଇଗଲେ । ତା’ପରେ ସେ ତଳେ ପଡ଼ି ଯାଇଥିଲେ ଆଉ ଉଠି ନଥିଲେ । ପାର୍ଟିରେ ଉପସ୍ଥିତ ଲୋକମାନେ ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନା ନେଇଯାଇଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପ୍ରଭାତ ତାଙ୍କ ବନ୍ଧୁ ଵିଶାଲଙ୍କ ଜନ୍ମଦିନ ଉତ୍ସବକୁ ଆସିଥିଲେ ।
ପାର୍ଟିରେ ନାଚୁଥିବା ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରଭାତ ଆନନ୍ଦରେ ନାଚୁଥିବାର ନଜର ଆସିଛନ୍ତି । ୧ ମିନିଟ୍ ୩୨ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି କି ପ୍ରଭାତଙ୍କ ମୁହଁରେ ୧ମିନିଟ୍ ୨୪ ସେକେଣ୍ଡ ଯାଏଁ କୌଣସି ଥକ୍କାପଣ ନଥିଲା । କିନ୍ତୁ ୧ମିନିଟ୍ ୨୫ ସେକେଣ୍ଡରେ ସେ ହଠାତ୍ ତଳେ ପଡ଼ିଯାଇଥିଲେ । ପାର୍ଟିର ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଆଉ ଉଠି ନଥିଲେ ।