‘ଆପଣମାନେ ଖୁସି ତ?’, ‘ଏଇ ତ ଜୀବନ’

ଟି-ସାର୍ଟ ଲେଖାରେ ଉତ୍ତରଆଧୁନିକତା

ଭୁବନେଶ୍ୱର: ‘ଆମେ ବର୍ବାଦ’, ‘ଆପଣମାନେ ଖୁସି ତ?’, ‘ମନ ମୋର ଯାଯାବର’, ‘ଏଇ ତ ଜୀବନ’, ‘ଆମେ ଓଡ଼ିଆ ଭାରି ବଢ଼ିଆ’…। ରାଜଧାନୀର ରାସ୍ତାଘାଟରେ, ବିଶେଷକରି କଲେଜ କ୍ୟାମ୍ପସରେ ଏଭଳି ଲେଖା ଥିବା ଟି-ସାର୍ଟ ଆଜିକାଲି ଅଧିକରୁ ଅଧିକ ଦେଖିବାକୁ ମିଳୁଛି। କେବଳ ଏହି କଥା ନୁହେଁ, ନିଜ ନାମ, କଲେଜର ନାମ, ଓଡ଼ିଆ ବର୍ଣ୍ଣମାଳା, ପର୍ବପର୍ବାଣି, ନିଜ ଜିଲ୍ଲା ଠାରୁ ଆରମ୍ଭ ପ୍ରିୟ ଖାଦ୍ୟପେୟ, ଦଳୀୟ ଚିହ୍ନ ମଧ୍ୟ ବର୍ଣ୍ଣନା ଟି-ସାର୍ଟରେ ଦେଖା ଯାଉଛି। ଏହି ଭିନ୍ନ ଧରଣର ସାର୍ଟ ପିନ୍ଧିବାକୁ ଯୁବପିଢ଼ିଙ୍କ ଉତ୍ସାହ ବଢ଼ୁଛି। ପୂର୍ବରୁ ମୁମ୍ୱାଇ, ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା ପରି ମେଟ୍ରୋ ସହରମାନଙ୍କରେ ଲୋକପ୍ରିୟ ହୋଇଥିବା ଏହି ଟ୍ରେଣ୍ଡ ବର୍ତ୍ତମାନ ଭୁବନେଶ୍ବରରେ ମଧ୍ୟ କାୟାବିସ୍ତାର କରିବାରେ ଲାଗିଛି। ଆଉ ଗୋଟିଏ ଉଲ୍ଲେଖନୀୟ କଥା ହେଉଛି, ପୂର୍ବେ ଯୁବପିଢ଼ି ଯେଉଁ ଟି-ସାର୍ଟ ପିନ୍ଧୁଥିଲେ ସେଥିରେ ପ୍ରାୟତଃ ଇଂରାଜୀ ଲେଖା ଦେଖିବାକୁ ମିଳୁଥିଲା, କିନ୍ତୁ ଏବେ ଓଡ଼ିଆ ଓ ହିନ୍ଦୀ ଆଦି ଭାରତୀୟ ଭାଷାର ଲେଖା ଥିବା ଟି-ସାର୍ଟ, ଟୋପି ଓ ମୋବାଇଲ୍‌ର ଟ୍ରେଣ୍ଡ୍ ଚାଲିଛି ଏବଂ ଏହାକୁ ଉତ୍ତର ଆଧୁନିକ ଷ୍ଟାଇଲ୍‌ ବୋଲି ସ୍ବୀକାର ମଧ୍ୟ କରା ଯାଉଛି। ଏହା ଜରିଆରେ ପିନ୍ଧିଥିବା ଲୋକ ନିଜ ଜୀବନର ଆଦର୍ଶ ଓ ପସନ୍ଦ ମୁହଁ ନଖୋଲି କହିପାରୁଛି।

ରାଜଧାନୀରେ ପାଖାପାଖି ଏଭଳି ୪୦ଟି କଷ୍ଟମାଇଜଡ୍‌ ଷ୍ଟୋର ବା ପ୍ରେସ୍‌ ରହିଛି। ସେଠାରେ ଟି-ସାର୍ଟ, ଟୋପି, ମୋବାଇଲ ଓ କପ୍‌ ଆଦିରେ କଷ୍ଟମାଇଜେସନ୍‌ ହେଉଛି। ଅର୍ଥାତ୍‌ ଗ୍ରାହକଙ୍କ ପସନ୍ଦ ଅନୁସାରେ ତାଙ୍କ ଟି-ସାର୍ଟ ଆଦିରେ ତାଙ୍କ ପସନ୍ଦର କଥା ଛପା ଯାଉଛି। ବିଭିନ୍ନ ଉପାୟ, ଯେପରିକି ଡିଟିଜି(ଡାଇରେକ୍ଟ ଟୁ ଗାରମେଣ୍ଟ), ଡାଏ ସବ୍ଲିମେସନ, ହିଟ୍‌ ଟ୍ରାନ୍ସଫର ଭିନାଇଲ, ଏୟାର ବ୍ରସିଙ୍ଗ୍‌ ଆଦି ପଦ୍ଧତିରେ ଏହା କରାଯାଉଛି। ପଲିଷ୍ଟର, କଟନ୍‌, କଟନ୍‌ ବ୍ଲେଣ୍ଡ, ନାଇଲନ୍‌ ଆଦି ଉପରେ ଏହା ଛପା ହେଉଛି। ଏ-୪ ପ୍ରିଣ୍ଟ୍‌ ହେଲେ, ତା’ର ମୂଲ୍ୟ ୨୦ଟଙ୍କା ରହିଥିବା ବେଳେ ଏ-୩କୁ ୩୦ ଟଙ୍କା ପଡୁଛି। ଯୁବପିଢ଼ିର ଅନେକଙ୍କ ଭିତରେ ଏମିତି ପୋଷାକ ନିୟମିତ ପିନ୍ଧିବାର ସଉକ ହୋଇଗଲାଣି। ଆଉ କିଛି ପର୍ବପର୍ବାଣୀ, କଲେଜ ବାର୍ଷିକ ଉତ୍ସବ, ବାହାଘର, ନିର୍ବାଚନୀ ପ୍ରଚାର ଆଦିରେ ଏଭଳି କଷ୍ଟମାଇଜଡ୍‌ ବା ପ୍ରିଣ୍ଟେଡ୍‌ ଟି-ସାର୍ଟର ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଟି-ସାର୍ଟ ଓ ପ୍ରିଣ୍ଟ୍ ଖର୍ଚ୍ଚକୁ ମିଶାଇଲେ ଏଗୁଡ଼ିକର ଦାମ୍‌ ୧୫୦ରୁ ଆରମ୍ଭ ହୋଇ ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଟୋପି, ମୋବାଇଲ, କପ୍‌ ଆଦିର ଦାମ ୨୦୦ଟଙ୍କାରୁ ଆରମ୍ଭ ହୋଇ ୫୦୦ ପର୍ଯ୍ୟନ୍ତ ରହିଛି। ବଡ଼ କାର୍ଯ୍ୟକ୍ରମ ଅଥବା ବିଭିନ୍ନ କମ୍ପାନୀ ନିଜ ଚାହିଦା ଅନୁସାରେ ବଡ଼ ବଡ଼ ପ୍ରେସ୍‌କୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାର ବରାଦ ଦେଉଛନ୍ତି। ଏବେ ନିର୍ବାଚନ ଯୋଗୁଁ ଏମାନଙ୍କ ବ୍ୟବସାୟ ଆହୁରି ବଢ଼ି ଯାଇଛି। ଦଳ ପିଛା ୨୦ ରୁ ୩୦ ଲକ୍ଷର ବରାଦ ଆସୁଛି ବୋଲି ସଂପୃକ୍ତ ବ୍ୟବସାୟୀମାନଙ୍କଠାରୁ ପ୍ରକାଶ। ଏନେଇ ସାଇକମଲ୍‌ ପ୍ରିଣ୍ଟର ଏମ୍‌ଡି ଚାରବାକ୍‌ ସୁବୁଦ୍ଧି କହନ୍ତି, ‘‘ଗତ କିଛି ବର୍ଷ ଧରି ରାଜଧାନୀରେ ଏହି ଟ୍ରେଣ୍ଡ ବଢ଼ିବାରେ ଲାଗିଛି।’’ ସେହିପରି ଲକ୍ଷ୍ୟ ଏଣ୍ଟରପ୍ରାଇଜେସ୍‌ର ଜଣେ ବରିଷ୍ଠ କର୍ମଚାରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ନିର୍ବାଚନ ଥିବା ହେତୁ ଦଳୀୟ ଚିହ୍ନ, ପ୍ରାର୍ଥୀ ଓ ଦଳୀୟ ତାରକା ପ୍ରଚାରକଙ୍କ ଫଟୋ ଥିବା ଟି-ସାର୍ଟର ଚାହିଦା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର