କାହିଁକି ସ୍ଥାପନ କରିଥିଲେ ଏ ପ୍ରତିମୂର୍ତ୍ତି!

ଭୁବନେଶ୍ୱର: ମହାପୁରୁଷମାନଙ୍କୁ ସମ୍ମାନ ଜଣାଇବା ସହିତ ଉତ୍ତରପିଢ଼ିଙ୍କୁ ସେମାନଙ୍କର ତ୍ୟାଗ, ବଳିଦାନ ସମ୍ପର୍କରେ ସ୍ମରଣ କରାଇବା ପାଇଁ ପ୍ରତିଷ୍ଠାହୁଏ ପ୍ରତିମୂର୍ତ୍ତି। ସେହି କାରଣରୁ ଆମେ ପ୍ରତିଦିନ ଯା’ଆସ ସମୟରେ ନଜରରେ ପଡ଼ିବା ପାଇଁ ରାଜଧାନୀର ପ୍ରମୁଖ ଛକଗୁଡ଼ିକରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। କିନ୍ତୁ ଅଧିକାଂଶ ପ୍ରତିମୂର୍ତ୍ତିକୁ ଦେଖିଲେ ମନେ ହେଉଛି, ସତେ ଯେମିତି ସେଗୁଡ଼ିକୁ ସ୍ଥାପନ କରିବାପରେ ସ୍ଥାପନକାରୀ ସଂଗଠନ ବା ସଂସ୍ଥା ନିଜ କର୍ତ୍ତବ୍ୟ ସରିଗଲା ବୋଲି ଭାବି ‌ନେଉଛନ୍ତି। ଅଳ୍ପ କେ‌ତେଟି ଭାଗ୍ୟବାନ ପ୍ରତିମୂର୍ତ୍ତିକୁ ଛାଡ଼ିଦେଲେ ବର୍ଷ ତମାମ ଧୂଳି ଓ ପକ୍ଷୀଙ୍କ ମଳର ଆସ୍ତରଣ ସହିତ ଲଟାବୁଦା ଓ ଅଳିଆ ଗଦା ମଧ୍ୟରେ ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଅଧିକାଂଶ ପ୍ରତିମୂର୍ତି। ଉଦାହରଣ ଭାବରେ ୟୁନିଟ୍‌ ୯ ସ୍ଥିତ ମଧୁସୂଦନ ରାଓଙ୍କ ପ୍ରତିମୂର୍ତିକୁ ନିଆଯାଇପାରେ। ଏହାର ଚାରିପଟେ ଗଦା ହୋଇଛି ଆବର୍ଜନା। ପୁଣି ନିକଟରେ ଏକ ଭଙ୍ଗା ନର୍ଦ୍ଦମା ମଧ୍ୟ ରହିଛି। ଏହା ନିକଟରେ ଠିଆହେଲେ ଦୁର୍ଗନ୍ଧରେ ନାକ ଫାଟି ଯାଉଛି। ଅନାବନା ଘାସ ଓ ଗଛ ଗହଳରେ ପ୍ରତିମୂର୍ତ୍ତିଟି ରହିଛି। ଦୀର୍ଘ ୭ ବର୍ଷ ହେଲାଣି ଏହି ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲେ ସୁଦ୍ଧା ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କେବଳ ଜୟନ୍ତୀ ଅଥବା ଶ୍ରାଦ୍ଧ ଦିବସରେ ସରକାରୀ ଅଧିକାରୀ ଓ ଅନ୍ୟ କିଛି ଲୋକ ଆସୁଛନ୍ତି, ମାଳ ପିନ୍ଧେଇ ଚାଲିଯାଉଛନ୍ତି। ବାକି ଦିନରେ ମୂର୍ତ୍ତିଟି ଅବହେଳିତ ହୋଇ ପଡ଼ିରହୁଛି।

ଅନ୍ୟ ଏକ ଉଦାହରଣ ହେଉଛି ଜୟଦେବବିହାର ଛକ ଉପରେ ଥିବା ସ୍ବର୍ଗତ ବିରେନ ମିତ୍ରଙ୍କ ପ୍ରତିମୂର୍ତ୍ତି। ଏହାକୁ ସ୍ଥାପନ କରାଯିବାର କିଛି ବର୍ଷପରେ ୨୦୧୮ ମସିହାରେ ସେହି ସ୍ଥାନରେ କବି ଜୟଦେବଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି। ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ବାରିକେଡ୍‌ କରି ଏହି ପ୍ରତିମୂର୍ତ୍ତିଗୁଡିକ ସ୍ଥାପନ କରାଯାଇଥିଲା। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସେହି ସ୍ଥାନ ଏବେ ମଦ୍ୟପଙ୍କର ଆଡ୍ଡାସ୍ଥଳୀ ପାଲଟି ଯାଇଛି। ଦିନବେଳେ ମଧ୍ୟ କିଛି ବାରବୁଲା ଲୋକ ସେଠାରେ ବସୁଛନ୍ତି। ଚାରିପଟେ ଥିବା ବାରିକେଡ୍‌ ଓ ପିଣ୍ଡି ଫାଟିଲାଣି। ଭିତରେ ଥିବା ଲାଇଟ୍‌ ମଧ୍ୟ ଭାଙ୍ଗି ପଡ଼ିଛି। ମୂର୍ତ୍ତି ଚାରିପଟେ ଗଛ ଉଠିଗଲାଣି। ସେହିପରି ରେଳଷ୍ଟେସନ ସାମ୍‌ନା ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ରହିଛି ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଓ ଭାର‌ତରେ ‘ସମ୍ପୂର୍ଣ୍ଣ କ୍ରାନ୍ତି’ ଆନ୍ଦୋଳନର ପୁରୋଧା ଲୋକନାୟକ ଜୟପ୍ରକାଶ ନାରାୟଣ(ଜେପି)ଙ୍କ ପ୍ରତିମୂର୍ତ୍ତି। ଛକର ଦୁଇପାର୍ଶ୍ବରେ ଥିବା ଏହି ଦୁଇ ପ୍ରତିମୂର୍ତ୍ତି ଏବେ କିନ୍ତୁ ବଡ଼ କଦର୍ଯ୍ୟ ପରିବେଶରେ ଅଲୋଡ଼ା ହୋଇ ଠିଆ ହୋଇଛନ୍ତି। ଅନ୍ୟ ପ୍ରଦେଶରୁ ଆସିଥିବା କିଛି ବାରବୁଲା ଲୋକେ ଜୟପ୍ରକାଶଙ୍କ ପ୍ରତିମୂର୍ତ୍ତି ପାଖରେ ରହୁଛନ୍ତି, ସେଠାରେ ଚୁଲି ଜାଳି ରୋଷେଇ କରୁଛନ୍ତି। ସେମାନେ ସ୍ଥାନଟିକୁ ପୂରା ଅପରିଷ୍କାର କରି ରଖିଛନ୍ତି। ସେଇଠି ରହୁଛନ୍ତି, ଖାଉଛନ୍ତି ଓ ସ୍ନାନଶୌଚ ବି କରୁଛନ୍ତି। ସେ ପ୍ରତିମୂର୍ତ୍ତିରୁ ରଙ୍ଗ ଛାଡ଼ି ଗଲାଣି। ଉପରେ ପଡ଼ିଥିବା ପକ୍ଷୀଙ୍କ ମଳ ସଫା ହେଉନି। ସେହିପରି ବିଧାନସଭା ସମ୍ମୁଖ ତଥା ଲୋୟର ପିଏମ୍‌ଜି ଛକରେ ଥିବା କବିବର ରାଧାନାଥ ରାୟ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରତିମୂର୍ତ୍ତିରୁ ମଧ୍ୟ ରଙ୍ଗ ଛାଡ଼ିଗଲାଣି।

ସମ୍ବନ୍ଧିତ ଖବର