‘ଜୀବନ ଥିଲା ଯାଏ ମଦ ବିରୋଧରେ ସଚେତନ କରିବି’

ମଦପିଇ ସ୍ବାମୀ ଅକାଳରେ ଚାଲିଗଲାପରେ ମଦ ବିରୋଧରେ ରମୁଲଙ୍କର ଏକୁଟିଆ ଯୁଦ୍ଧ

ଭୁବନେଶ୍ବର: ‘ସାରା ଜୀବନ ଯାହା ହାତଧରି ଜିଇବି ବୋଲି ଭାବିଥିଲି ସେ ମଦପିଇ ଅକାଳରେ ଚାଲିଗଲେ। ଛୋଟବେଳୁ ଇଛା ନଥିଲେ ବି ପରିସ୍ଥିତି ଯୋଗୁଁ ମାତ୍ର ୧୫ ବର୍ଷ ବୟସରୁ ବିବାହ କରିବାକୁ ପଡ଼ିଲା। ପିଲାଛୁଆଙ୍କୁ ନେଇ ଚଳିବା କେତେ ଯେ କ‌ଷ୍ଟ ତାହା ମୁଁ ଜାଣିଛି। ମୋ ଭଳି କାହାର ଅବସ୍ଥା ଦେଖିଲେ ସହି ପାରେନି। ମନ ସବୁବେଳେ କାନ୍ଦି ଉଠେ। ସେଥିପାଇଁ ଶପଥ କଲି ଲୋକଙ୍କୁ ମଦବିରୋଧରେ ସଚେତନ କରିବି। ଅର୍ଥ ସବୁବେଳେ ବାଧା ସାଜେ। ତେଣୁ ପେଟ ପାଇଁ ଇସ୍ତ୍ରୀ କରି ପେଟ ପୋଷୁଛି। ତଥାପି ହାରି ନଯାଇ ଜୀବନର ‌ଶେଷ ନିଶ୍ବାସ ଯାଏ ମଦବିରୋଧରେ କାମ କରିବି।’ ଏକଥା କହୁଥିବା ରମୁଲ ସେଠୀ ପରିବାର ସୁଖ କଣ ଜାଣିବା ପୂର୍ବରୁ ସ୍ବାମୀ ଆରପାରିକୁ ଚାଲିଯିବାରୁ ବିଧବା ହୋଇଯାଇଥିଲେ। ଜୀବନରେ ସେ ବହୁତ ସଂଘ‌ର୍ଷ କରିଛନ୍ତି ଓ ଏବେବି କରୁଛନ୍ତି। କିନ୍ତୁ ପାଠପଢ଼ି ନଥିଲେ ମଧ୍ୟ ମଦ କେତେ ଯେ ମାରାତ୍ମକ ତାହା ସେ ଅଙ୍ଗେ ଲିଭାଇଛନ୍ତି। ସେଥିପାଇଁ ମଦବିରୁଦ୍ଧରେ ସଚେତନ କରୁଛନ୍ତି। ସେ ବଡ଼ଗଡ଼ର ତେଲୁଗୁ ବସ୍ତିରେ ରୁହନ୍ତି। ପେସାରେ ଜଣେ ଇସ୍ତ୍ରୀ ଦୋକାନୀ, କିନ୍ତୁ ନିଶା ତାଙ୍କର ସମାଜମୂଳକ ବାର୍ତ୍ତା ଦେବା।

ତିନିଜଣ ପିଲାଙ୍କୁ ନେଇ ରମୁଲଙ୍କ ସଂସାର। ବାହାଘରର ୧୨ ବ‌ର୍ଷ ପରେ ସ୍ବାମୀ ଚାଲିଯିବାପରେ ତିନି ପିଲାଙ୍କ ପେଟରେ ଟିକେ ଦାନା ଦେବା ପାଇଁ ବ୍ରହ୍ମପୁରରୁ ରାଜଧାନୀ ଚାଲି ଆସିଥିଲେ। ତାଙ୍କ ପରିବାର ଲୋକ ଏଠାରେ ରହୁଥିବାରୁ ସେହି ସାହାସରେ ରସୁଲଗଡ଼ଠାରେ ଦୀର୍ଘ ୩୫ ବର୍ଷ ହେବ ଇସ୍ତ୍ରୀ ଦୋକନ ଟିଏ ଦେଇଛନ୍ତି। କିନ୍ତୁ ସମୟ କାଢ଼ି ବସ୍ତିରେ ମଦ ବିରୁଦ୍ଧରେ ସଚେତନ କରନ୍ତି। କେବଳ ରାଜଧାନୀରେ ନୁହେଁ ବିଭିନ୍ନ ସଂସ୍ଥା ସହିତ ଜଡ଼ିତ ହୋଇ ଅନେକ ଗାଁକୁ ଯାଇ ମଦ ଉପରେ ସଚେତନ କରୁଛନ୍ତି। ସେ କୁହନ୍ତି କେବଳ ଅଶିକ୍ଷିତ ଲୋକ ମଦ ପିଉନାହାଁନ୍ତି। ବହୁ ଶିକ୍ଷିତ ଲୋକ ମଦ ପିଇ ଜୀବନ ହାରୁଛନ୍ତି। ଲୋକଙ୍କୁ ଯେତେ ବୁଝେଇଲେ ବି ତାର ଫାସରେ ଯିଏ ବି ପଡ଼ିଯାଉଛି ଆଉ ମୁକୁଳି ପାରୁନି। ସହରୀ ଲୋକଙ୍କଠାରୁ ଗାଁ ଲୋକମାନେ କଥା ଶୁଣନ୍ତି। ସରକାରଙ୍କୁ ଅନେକ ନିବେଦନ କରିବାପରେ ବି କିଛି ଲାଭ ହେଉନି। ସେ ମଦ ବିରୁଦ୍ଧରେ କେବଳ ସଚେତନତା ବାର୍ତ୍ତା ବାଣ୍ଟୁ ନାହାନ୍ତି ମଦ କମେତି ଛାଡ଼ିବେ ସେଥିପାଇଁ ତାଙ୍କୁ ସକାଳେ ଯୋଗ କରାଉଛନ୍ତି। କାହାର ଦୁଃଖ ଦେଖିଲେ ସହି ପାରନ୍ତି ନାହିଁ। ନିଜେ ରୋଜଗାର କରୁଥିବା କିଛି ପଇସାରୁ ବସ୍ତି ପିଲାଙ୍କୁ ପଢ଼ିବାରେ ସହାୟତା କରନ୍ତି। ନିଜେ ଅର୍ଥ ଅଭାବରୁ ପଢ଼ି ପାରି ନଥିଲେ ବୋଲି ପଇସା କିଛି ସଞ୍ଚୟ କରି ଅନ୍ୟକୁ ସାହାଯ୍ୟ କରୁଛନ୍ତି। ମଦ ବିରୁଦ୍ଧରେ ସଚେତନ କରିବାକୁ ଯାଇ କେତେ ଗାଳି ଶୁଣିଛନ୍ତି। ରାମୁଲାଙ୍କ ବୟସ ୬୨ ବର୍ଷ ହେଲାଣି। ନିଜେ ଖଟି ଖାଇବା ସହ ଅନ୍ୟକୁ ମଧ୍ୟ ସାହାଯ୍ୟ କରନ୍ତି। ତାଙ୍କର ଦୁଇ ପୁଅ ଗୋଟିଏ ଝିଅ। ବଡ଼ ପୁଅ ବିବାହ ହୋଇ ଅଲଗା ରହୁଛି। ଝିଅକୁ କଷ୍ଟେମଷ୍ଟେ ବିବାହ କରି ଦେଇଛନ୍ତି। ନିଜେ ଖଟି ଚଳୁଛନ୍ତି। ସାନ ପୁଅ ଏହି କାମରେ ଟିକେ ତାଙ୍କୁ ସାହାଯ୍ୟ କରୁଛି। ରମୁଲା କହନ୍ତି, ‘ଏହି କାମରେ ତାଙ୍କୁ ଖୁସି ଲାଗେ ବୋଲି ଦୁଃଖ ସବୁ ଭୁଲି ଯାଉଛି। ମୋ ସ୍ବାମୀ ଯଦି ବଞ୍ଚିଥାନ୍ତେ ତେବେ ଏତେ କଣ ମୋତେ କଷ୍ଟ କରିବାକୁ ପଡ଼ିଥାନ୍ତା କି। ତେଣୁ ଅନ୍ୟ ମୁହଁରେ ହସ ଦେଖିଲେ ମନର ସବୁ ଦୁଃଖ କୁଆଡ଼େ ଉଭେଇ ଯାଏ। ’

ସମ୍ବନ୍ଧିତ ଖବର