ବାଲିପାଟଣା: ବ୍ଲକ୍ ସଭାଗୃହରେ ଆଜି ବାଲିପାଟଣା ପଞ୍ଚାୟତ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ଘନଘନ ବିଦ୍ୟୁତ୍ କାଟ୍, ବିଲ୍ ଆଦାୟ ନାଁରେ ଜୁଲମ ଓ ପାନୀୟ ଜଳ ଯୋଗାଣରେ ଘୋର ଅବ୍ୟବସ୍ଥା ଥିବା ଦର୍ଶାଇ ସଭ୍ୟମାନେ ପ୍ରଶାସନ ଉପରେ ବେଶ୍ ବର୍ଷିଥିଲେ। ସେହିଭଳି ବିଦ୍ୟାଳୟମାନଙ୍କରେ ଶିକ୍ଷକ ଅଭାବ ସାଙ୍ଗକୁ ପାଚେରି ନଥିବା ଭଳି ପ୍ରସଙ୍ଗକୁ ନେଇ ମଧ୍ୟ ସଭ୍ୟମାନେ ପାଟିତୁଣ୍ଡ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ଲକ୍ ଅଧ୍ୟକ୍ଷା ହରପ୍ରିୟା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଡିଓ ଆଦିକନ୍ଦ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାୟ ସବୁ ପଞ୍ଚାୟତରେ ପାନୀୟ ଜଳ ଅଭାବ ଉତ୍କଟ ରୂପ ଧାରଣ କରିଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ୍କୁ ନେଇ ଉପସ୍ଥିତ ଜନପ୍ରତିନିଧିମାନେ ଅଭିଯୋଗ କରିଥିଲେ। ପାନୀୟ ଜଳ ବାବଦରେ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଲୋକେ ଅପମିଶ୍ରିତ ଓ ଲୌହ ଯୁକ୍ତ ପାଣି ପିଉଛନ୍ତି। ସେହିଭଳି ଅନେକ ଗାଁରେ ପାଇପ୍ ଜଳ ଯୋଗାଣ ସୁବିଧା ଉପଲବ୍ଧ ହୋଇପାରିନାହିଁ ବୋଲି ସରପଞ୍ଚ ଓ ସମିତି ସଭ୍ୟମାନେ ହୋ-ହଲ୍ଲା କରିଥିଲେ। ଏମିତିକି ବହୁ ବିଦ୍ୟାଳୟରେ ପିଲାମାନେ ଲୌହ ମିଶ୍ରିତ ପାଣି ପିଉଛନ୍ତି ବୋଲି ଅଭିଯୋଗ ଉଠିଥିଲା।
ଲୌହମିଶ୍ରିତ ଜଳ ଯୋଗାଣ ଯୋଗୁଁ ବିଦ୍ୟାଳୟରେ ଲାଗିଥିବା ବୈଦ୍ୟୁତିକ ପାନୀୟ ଜଳ ଯନ୍ତ୍ର ଶୀଘ୍ର ଅଚଳ ହୋଇଯାଉଛି ବୋଲି ବିଇଓ ଶୈଳାଧିରାଜ ତନୟା ଶତପଥୀ କହିଥିଲେ। ବହୁ ସ୍କୁଲରେ ପାଚେରି ନ ଥିବା ଯୋଗୁଁ ହତାରେ ବୁଲା ଗାଈଗୋରୁ ଓ ଅସାମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ଚିନ୍ତାର ବିଷୟ ହୋଇଛି ବୋଲି ବିଇଓ ଶ୍ରୀମତୀ ଶତପଥୀ କହିଥିଲେ। ବିଦ୍ୟୁତ କାଟ୍ ସମସ୍ୟା ଉପରେ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ମଲ୍ଲିକ ବର୍ଷିଥିଲେ। ପ୍ରତ୍ୟେକ ଦିନ ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ୍ ହେଉଥିବା ବେଳେ ଉପୋଭୋକ୍ତାଙ୍କ ଠାରୁ ଜୋର ଜବରଦସ୍ତ ବିଲ୍ ଆଦାୟ କରାଯାଉଛି ଏବଂ ବିନା ନୋଟିସରେ ଲାଇନ କାଟି ଦିଆଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ସେହିଭଳି ତ୍ରୁଟିପୂର୍ଣ୍ଣ ବିଲ୍ ସଂଶୋଧନ ହେଉନାହିଁ ବୋଲି ସେ କହିଥିଲେ। ବିଦ୍ୟାଳୟରେ ପିଲାଙ୍କୁ ନିମ୍ନମାନର ପୋଷାକ ଦିଆଯାଉଛି ବୋଲି ବିଧାୟକଙ୍କ ପ୍ରତିନିଧି କହିଥିଲେ। ବଡ଼ କଥା ହେଉଛି, ଧନୁଆ ବନ୍ୟାର ସ୍ଥାୟୀ ସମାଧାନ ବାବଦରେ ଦେଉଳିଧରପୁର ସମିତି ସଭ୍ୟା ସୌଭାଗ୍ୟଲକ୍ଷ୍ମୀ ଶୁଭଦର୍ଶିନୀ ଦାବି କରିଥିଲେ।
ଉକ୍ତ ବୈଠକରେ ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ, ମେଡିକାଲ ଅଫିସର ଶ୍ରୀକାନ୍ତ ବେହେରା, ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ ମଦନ ମୋହନ ଜେନା , ପାନୀୟ ଜଳ ଯୋଗାଣ ଅଧିକାରୀ ରଞ୍ଜନ ଘଡ଼େଇ, ଯୋଗାଣ ବିଭାଗ ଅଧିକାରୀ ନେତ୍ରାନନ୍ଦ ବେହେରା, ପଶୁ ସଂପଦ ଅତରିକ୍ତ ଅଧିକାରୀ ପ୍ରୀତିମ ପ୍ରୀତିମାନ ପଣ୍ଡା, କୃଷି ଅଧିକାରୀ ରାଧେଶ୍ୟାମ ଦାସ, ବ୍ଲକ୍ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ଜେନା, ଜିଲ୍ଲାପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ, ସୁକନ୍ୟା ସେଠୀ, ସରପଞ୍ଚ ସୋମନାଥ ଖଟେଇ, ବାହାନ ଭୋଇ, ସୁଶାନ୍ତ ବଳିଆ, ଅଜିତ କୁମାର ମହାନ୍ତି, ମିତାରାଣି ମଲ୍ଲିକ, ଚନ୍ଦ୍ରକାନ୍ତି ବେହେରା, ସମିତି ସଭ୍ୟ ଶୈଳେନ୍ଦ୍ର ଭୋଳ, କାହ୍ନୁ ଚରଣ ପାତ୍ର, ନମିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।