ସମ୍ବଲପୁର/ହୀରାକୁଦ : ହୀରାକୁଦ ଜଳଭଣ୍ଡାରରେ ଅତିରିକ୍ତ ସ୍ପିଲ୍ୱେ ନିର୍ମାଣ ପାଇଁ ବ୍ୟୟ ଅଟକଳ ବଢ଼ିବଢ଼ି ଚାଲିଥିବା ବେଳେ ପ୍ରକଳ୍ପ ପାଇଁ ପ୍ରଶାସନିକ ମଞ୍ଜୁରି ମିଳିପାରି ନାହିଁ। ବର୍ଦ୍ଧିତ ବ୍ୟୟ ଅଟକଳ ପଠାଇବାର ପ୍ରାୟ ୬ ମାସ ପରେ ପ୍ରଶାସନିକ ମଞ୍ଜୁରି ନମିଳିବାରୁ ପ୍ରକଳ୍ପ କାମ ଆଗେଇ ପାରୁନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାର ୨୦୧୮ ମସିହାରେ ଏଥିପାଇଁ ନୂଆକରି ସ୍ପିଲ୍ୱେ ଡିଭିଜନ ଖୋଲଥିବା ପରେ ଟେଣ୍ତର ପାଇଥିବା ଟାଟା ଇନ୍ଫ୍ରା ପ୍ରୋଜେକ୍ଟ ଲିମିଟେଡ୍ ସହ ଚୁକ୍ତି ହୋଇଥିଲା। ୩୬୯.୫୩ କୋଟି ଟଙ୍କାରେ ଟେଣ୍ଡର ହାତେଇଥିବା ଏହି ଠିକାସଂସ୍ଥା ମାତ୍ର ୧୨ କୋଟି ଟଙ୍କାର କାମ କରିବା ପରେ ଜମି ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବ ହେବାର ଆଳ ଦେଖାଇ ୨୦୨୦ ମସିହାରେ ଏହି ପ୍ରକଳ୍ପରୁ ଓହରିଯାଇଥିଲା। ଏହାପରେ ଜଳସମ୍ପଦ ବିଭାଗ ସିଧାସଳଖ ଟେଣ୍ଡର ନଡାକି ଗତ ନଭେମ୍ବର ୨୦୨୧ରେ ଓଡ଼ିଶା ନିର୍ମାଣ ନିଗମ(ଓସିସି)ଉପରେ ଅତିରିକ୍ତ ସ୍ପିଲୱେ ନିର୍ମାଣ କାମ ନ୍ୟସ୍ତ କରିଥିଲା। ପ୍ରକଳ୍ପ କାମ ବିଳମ୍ବ ହେବା କାରଣରୁ ବ୍ୟୟ ଅଟକଳ ୩୬୯.୫୩ କୋଟି ଟଙ୍କାରୁ ବଢ଼ି ୬୨୪.୩୮ କୋଟି ଟଙ୍କାରେ ପହଂଚି ଥିଲା। ମାଟି କେନାଲ ଜାଗାରେ ସିମେଣ୍ଟ କଂକ୍ରିଟ କେନାଲ ନିର୍ମାଣ ପ୍ରସ୍ତାବ ରଖାଯାଇଥିଲା। ଏବେ ପୁଣି ଏହି ବ୍ୟୟ ଅଟକଳ ୭୮୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସିମେଣ୍ଟ, ଲୁହା ଛଡ଼ ଆଦି ନିର୍ମାଣ ସାମଗ୍ରୀର ଦର ବୃଦ୍ଧି ଯୋଗୁ ପୂର୍ବ ଦର ଅନୁଯାୟୀ କାମ କରିବା କଷ୍ଟକର ଥିବା ଦର୍ଶାଇ ଏହାର ପୁନର୍ବିଚାର କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିବା ଜଣାପଡ଼ିଛି।
ପୂର୍ବ ବ୍ୟୟ ଅଟକଳରୁ ଏହା ୧୫ ପ୍ରତିଶତରୁ ଅଧିକ ଥିବାରୁ ପ୍ରଶାସନିକ ମଞ୍ଜୁରିର ଆବଶ୍ୟକତା ରହିଛି। ତେବେ, ଗତ ମେ ମାସରୁ ଏହା ମଞ୍ଜୁରି ଅପେକ୍ଷାରେ ପଡ଼ି ରହିଛି। ସରକାରୀ ଅନୁମତି ମିଳୁନଥିବାରୁ ପ୍ରକଳ୍ପ କାମ ଠପ୍ ହୋଇଯାଇଛି। ଟାଟା ଇନ୍ଫ୍ରା ପ୍ରୋଜେକ୍ଟ ଲିମିଟେଡ୍ ଯେତିକି କାମ କରିଥିଲା, ସେତିକିରେ ହିଁ ପଡ଼ି ରହିଛି। ଏପଟେ ରାଜ୍ୟ ସରକାରଙ୍କଠାରୁ ଅନୁମତି ମିଳିବା ପରେ ଓଡ଼ିଶା ନିର୍ମାଣ ନିଗମ ପୁଣି ଉକ୍ତ କାମ ପାଇଁ ଟେଣ୍ଡର ଆହ୍ବାନ କରିବ।
ଅପରପକ୍ଷରେ, ଜମି ଅଧିଗ୍ରହଣ ସମସ୍ୟା ବି ତ୍ରୁଟି ନାହିଁ। ଅତିରିକ୍ତ ସ୍ପିଲ୍ୱେ ନିର୍ମାଣ ହେଲେ ହୀରାକୁଦ ସହରର ଫାଷ୍ଟ ଗ୍ୟାପ, ରିରୋଲିଂ ମିଲ୍ ଏରିଆ, କେବୁଲ କଲୋନି, ପ୍ରେମନଗର, ଗାନ୍ଧୀ ନଗର, ଲକ୍ଷ୍ମୀ ନଗର, ଗୁଜାତଳ ଆଦି ଅଞ୍ଚଳର ୧୪୧୫ ପରିବାର ବିସ୍ଥାପିତ ହେବେ। ତେବେ, ଏବେ ବି ଗାନ୍ଧୀନଗର, ଲକ୍ଷ୍ମୀନଗର, ଗୁଜାତଳ ଆଦି ଅଞ୍ଚଳର ଅନେକ ଲୋକ ଘର ଛାଡ଼ିନଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଜଳ ଆୟୋଗ ଓ ବିଶ୍ବବ୍ୟାଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ଦ୍ବାରା ଅତିରିକ୍ତ ସ୍ପିଲୱେ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି।