ସୋରଡ଼ା ପରେ ଭଞ୍ଜନଗରରେ ଅଭିନବ ଉପାୟରେ ଠକେଇ
ଗ୍ରାହକ ସାଜି ୨ ଦୋକାନୀଙ୍କଠୁ ଟଙ୍କା ଲୁଟ୍, ହଟହଟା ହେଲେ ଅଟୋ ଚାଳକ
ଭଞ୍ଜନଗର : ଗତ ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲା ସୋରଡ଼ା ଇଲାକାରେ ଗ୍ରାହକ ସାଜି ଜଣେ ଯୁବକ ୨ ଦୋକାନୀ ଓ ଜଣେ ଅଟୋଚାଳକଙ୍କଠୁ ଟଙ୍କା ଲୁଟି ନେଇଥିଲା। ଆଉ ସମାନ ଢଙ୍ଗରେ ଭଞ୍ଜନଗରରେ ବି ଜଣେ ଯୁବକ ଦୁଇ ଦୋକାନୀଙ୍କଠୁ ଟଙ୍କା ଲୁଟି ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଗତକାଲି ମଧ୍ୟାହ୍ନ ଗୋଟାଏରେ ଜଣେ ଯୁବକ ଜଳସମ୍ପଦ କାର୍ଯ୍ୟାଳୟ ନିକଟରୁ ଏକ ଡାଲାଅଟୋ ବୁକ୍ କରିଥିଲେ। ଚାଳକ ଗୋବିନ୍ଦ ରାଉତଙ୍କୁ ପନିପରିବା ଓ ଆସବାବପତ୍ର ସାମଗ୍ରୀ ଆଣିବାକୁ ଗାଙ୍ଗପୁର ନେବାକୁ ଭଡ଼ା କରିଥିଲା। ୧୮ଶହ ଟଙ୍କା ଭଡ଼ା ନେବି ବୋଲି ଗୋବିନ୍ଦ କହିବା ପରେ ଯୁବକଜଣକ ଏଥିରେ ରାଜି ହୋଇଥିଲା।
କିଛି ସମୟ ପରେ ଭଞ୍ଜନଗର ମୁଖ୍ୟସଡ଼କରେ ଥିବା ଏକ ପରିବା ଦୋକାନରେ ଯୁବକଜଣକ ଅଟକିଥିଲା। ଭୋଜି ପାଇଁ ୩୦ କେଜି ଲେଖାଏଁ ସବୁ ପନିପରିବା ପ୍ୟାକିଂ କରିବାକୁ ଅର୍ଡ଼ର ଦେଇଥିଲା। ତେବେ ଏହାମଧ୍ୟରେ ଆଉ କିଛି ସାମଗ୍ରୀ କିଣିବି ବୋଲି କହି, ଯୁବକଜଣକ ପରିବା ବେପାରୀଙ୍କୁ ୧୨୦୦ ଟଙ୍କା ମାଗିଥିଲା। ପରିବା ନେବା ବେଳେ ସବୁ ଟଙ୍କା ଫେରାଇଦେବ ବୋଲି କହି ପୁରୁଣାବଜାର ସାହିରେ ଥିବା ସାହେବ ପଣ୍ଡାଙ୍କ ଆଳୁ ଗୋଦାମକୁ ଯାଇଥିଲା। ସେଠାରେ ସାହେବଙ୍କୁ ସେ ଦୁଇ ପ୍ୟାକେଟ୍ ଆଳୁ ଓ ୩୦ କେଜି ପିଆଜ ମାଗିଥିଲା। କିନ୍ତୁ ପ୍ୟାକିଂ ହେବା ଭିତରେ ସେ ଆଉ କିଛି ସାମଗ୍ରୀ କିଣିବ କହି ସାହେବଙ୍କୁ ବି ସମାନ ଢଙ୍ଗରେ ୮୦୦ ଟଙ୍କା ମାଗି ଫେରାଇବ ବୋଲି କହିଥିଲା। ଏହାପରେ ଜଣେ ମହିଳାଙ୍କଠୁ ଚାଙ୍ଗୁଡ଼ି ଓ କୁଲା ଆଦି ଆଣିଥିଲା।
ପୁଣି ପରିବା ଦୋକାନରେ ପହଞ୍ଚି ଅଟୋଚାଳକ ଗୋବିନ୍ଦକୁ ପରିବା ଲୋଡ଼୍ କରିବାକୁ କହି ହଠାତ୍ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ଆଉ ଫେରି ନଥିଲା। ଫଳରେ ଗୋବିନ୍ଦ ବ୍ୟବସାୟୀଙ୍କ ଦ୍ବାରା ଆକ୍ରୋଶର ଶିକାର ହୋଇଥିଲେ। ତାଙ୍କୁ ସବୁ ଟଙ୍କା ମାଗିଥିଲେ। ନିରୁପାୟ ହୋଇ ଗୋବିନ୍ଦ ବ୍ୟବସାୟୀଙ୍କୁ କିଛି ଟଙ୍କା ଦେଇଥିବା ପ୍ରକାଶ କରିଛନ୍ତି।