ବାୟୁମାନ ଖରାପ ହେବା ପରେ ଦିଲ୍ଲୀରେ ନିର୍ମାଣ ଏବଂ ଭାଙ୍ଗିବା କାର୍ଯ୍ୟ ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣ ପୁଣି ଥରେ ଚିନ୍ତା ବଢ଼ାଇଛି। ବାୟୁ ଗୁଣବତ୍ତା ଖରାପ ହେତୁ ଜାତୀୟ ରାଜଧାନୀରେ ନିର୍ମାଣ ଏବଂ ଭାଙ୍ଗିବା କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। କିଛି ମାସ ପୂର୍ବରୁ କେନ୍ଦ୍ରର ବାୟୁ ଗୁଣବତ୍ତା ପ୍ୟାନେଲ୍ ଆବଶ୍ୟକୀୟ ପ୍ରକଳ୍ପ ବ୍ୟତୀତ ଦିଲ୍ଲୀ-ଏନସିଆରରେ ସମସ୍ତ ନିର୍ମାଣ ଏବଂ ଭାଙ୍ଗିବା କାର୍ଯ୍ୟକୁ ନିଷିଦ୍ଧ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ହେଲେ ଗତ ମାସରେ ବାୟୁ ଗୁଣବତ୍ତାରେ ଉନ୍ନତି ଆସିବାରୁ ଏହି ପ୍ରତିବନ୍ଧକଗୁଡିକ ହଟାଇ ଦିଆଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ନଭେମ୍ବର ଆରମ୍ଭରୁ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଲୋକଙ୍କ ଜୀବନକୁ କଷ୍ଟସାଧ୍ୟ କରିଥିଲା। ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦ ଏବଂ ଫରିଦାବାଦରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୦୦ ଉପରେ ଥିଲା। ଏମିତି କି ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବା ପାଇଁ ଦିଲ୍ଲୀ ସରକାର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ। ଦିଲ୍ଲୀ ବ୍ୟତୀତ ନୋଏଡାରେ ମଧ୍ୟ ନଭେମ୍ବର ୮ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ହେଲେ ନଭେମ୍ବର ଦ୍ବିତୀୟ ସପ୍ତାହ ଆଡକୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଟିକିଏ କମ ହେବା ପରେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ ସରକାର। ପରିବେଶ ମନ୍ତ୍ରୀ ଗୋପାଳ ରାୟ ଘୋଷଣା କରିଥିଲେ ଯେ, ଦିଲ୍ଲୀରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପୁଣି ଥରେ ଖୋଲାଯିବ। ଏହା ସହ ପ୍ରଦୂଷଣକୁ ଆଖି ଆଗରେ ରଖି ୫୦% ସରକାରୀ କର୍ମଚାରୀ ଘରୁ କାମ କରିବାର ନିୟମ ମଧ୍ୟ ହଟାଇ ଦିଆଯିବ। ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟାଳୟକୁ ଆସି କାମ କରିବେ। ସହରରେ ବାୟୁ ଗୁଣବତ୍ତା ଉନ୍ନତ ହେବା ସହିତ ରାଜପଥ, ସଡ଼କ, ଫ୍ଲାଏଓଭର ଇତ୍ୟାଦି ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଯାଇଛି।
ହେଲେ ଏବେ ଶୀତ ବଢ଼ିବା ସହ ପ୍ରଦୂଷଣ ପାଇଁ ବାୟୁ ଗୁଣବତ୍ତା ଖରାପ ହେତୁ ଦିଲ୍ଲୀରେ ପୁଣି ଥରେ କଟକଣା ଲଗାଯାଇଛି।