ପଥର ଖଣିରେ କ୍ରେନ୍ ଖସି ଚାଳକ ମୃତ

ଖୋର୍ଦ୍ଧା: ଆଜି ହାତିଆ ନୂଆ ନିର୍ମାଣ ପଥର ଖଣିରେ ଦୁର୍ଘଟଣା ଘଟି ଜଣେ କ୍ରେନ୍ ଚାଳକଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଆଜି ପୂର୍ବାହ୍ଣରେ ନିଜିଗଡ଼ ମୌଜାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ଲଟ ନଂ ୨୭୭(ପି)ରେ ଥିବା ସତ୍ୟ ମଲ୍ଟିପ୍ଲେକ୍ସ ପ୍ରା ଲିର ପଥର ଖଣିରେ ପଥର ବାହାର କରୁଥିବା ବେଳେ ଏକ କ୍ରେନ୍ଟି ଭାରସାମ୍ୟ ହରାଇ ପ୍ରାୟ ୩୦ ଫୁଟ ତଳକୁ ଖସିଯାଇଥିଲା । ଫଳରେ କ୍ରେନ୍ଟି ଚୂରମାର ହୋଇଯିବା ସହ ଚାଳକ ଜଙ୍କିଆ ମଳିପଡ଼ାର ଦିଲିପ କଳସ (୨୪)ଙ୍କ ପଥର ମଧ୍ୟରେ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଂଚିଥିଲେ । ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମୃତ୍ୟୁ ଘଟିଥିବା କ୍ରେନ୍ ଚାଳକଙ୍କ ପିତା ରତ୍ନାକର କଳସଙ୍କ ଲିଖିତ ଅଭିଯୋଗ ଭିତ୍ତିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ତେବେ ଖଣିରେ ଆବଶ୍ୟକ ଅନୁମତି ନଥାଇ ଅନେକ ଭାରୀଯାନ, ଟ୍ରକ୍ ଆଦି ଚାଲୁଥିବା ଓ ଆବଶ୍ୟକ ଅନୁମତିପତ୍ର ଆଦି ନଥାଇ ଚାଳକ ଆଦି କର୍ମଚାରୀଙ୍କୁ ନିୟୋଜିତ କରାଯାଉଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର