ସମ୍ବଲପୁର: ସମ୍ବଲପୁର ଲୋକ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଛି। ଆଉ ଭିଡ଼ର ମନ ଜିଣିଲା ଭଳି ଦେଶ, ବିଦେଶର କଳାକାରଙ୍କ ଆକର୍ଷଣୀୟ ନୃତ୍ୟ ମହୋତ୍ସବକୁ ଜମାଇ ଦେଇଛି। ଶନିବାର ପ୍ରଥମେ ସଂଗୀତ ଅଧିବେଶନରେ ସ୍ଥାନୀୟ ଗାୟକ, ଗାୟିକାମାନେ ଆସର ଜମାଇଥିଲେ। ପ୍ରୀତିନନ୍ଦା ମିଶ୍ରଙ୍କ ଘଣ୍ଟ ବାଜୁଛେ ଶଂଖ ବାଜୁଛେ ଭଜନରୁ ସାଂସ୍କୃତିକ ସଂଧ୍ୟାର ଆରମ୍ଭ ହୋଇଥିଲା। ଏହାପରେ ବର୍ଷିଆନ୍ ଗାୟକ ବିଭୂତି ପଟ୍ଟନାୟକଙ୍କ ମୁଇଁ ସେ ମାଁ ମାଟିର୍ ପିଲାରେ.. ଗୀତ ଦର୍ଶକଙ୍କୁ ଝୁମାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଈଶ୍ବରୀ ବେହେରାଙ୍କ ଶ୍ରୀକୃଷ୍ଣ ଭଜନ ତୋର୍ ପାଦେ ଶରନ୍ ଗଲିରେ ମୁରଲୀ.. ସଭିଙ୍କ ମନକୁ ଛୁଇଁଥିଲା। ବାରଣାସୀରୁ ଆସିଥିବା ସୁନୀଲ ମହାନନ୍ଦ ଲୋକପ୍ରିୟ ଗୀତ ଗୁରିରେ ତୋର୍ ଗୁଲାପି ଗାଲେ ଗାଇଥିଲେ। ଶେଷରେ ପଦ୍ମଶ୍ରୀ ଖଟେଇଙ୍କ ବ୍ରହ୍ମା ଦେଇଥିଲେ ମୋହନ ମୁରଲି ଶ୍ରୋତାଙ୍କୁ ବିଭୋର କରିଥିଲା। ଏହି ଯୁବ ଓ ବର୍ଷିଆନ୍ କଣ୍ଠଶିଳ୍ପୀମାନେ ସଂଗୀତ ଆସରକୁ ଜମେଇ ଦେଇଥିଲେ। ଏହାପରେ କଳା ଓ କଳାକାର ଅନୁଷ୍ଠାନର ସମ୍ବଲପୁରୀ ନାଚ ସହ ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସୁଦୂର ପଞ୍ଜାବରୁ ଆସିଥିବା କଳାକାରଙ୍କ ଭାଙ୍ଗଡ଼ା ନାଚ ଦର୍ଶକଙ୍କ ମଧ୍ୟରେ ଉନ୍ମାଦନା ଭରି ଦେଇଥିଲା। ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନ ତରଫରୁ ସିଂହାରୀ ନୃତ୍ୟ ଦର୍ଶକଙ୍କ ମନକୁ ଛୁଇଁଥିଲା। ହରିଆଣାର ଘୁମର ନୃତ୍ୟ ମନୋରଂଜନଭରା ଥିଲା। ହେଲେ ସ୍ଥାନୀୟ ନଟରାଜ ଅନୁଷ୍ଠାନ ପକ୍ଷରୁ ପରିବେଷିତ ଢାପ୍ ନାଚ ସମାବେଶ ବାନ୍ଧିଥିଲା। ମଧ୍ୟପ୍ରଦେଶରୁ ଆସିଥିବା କଳାକାରମାନେ ବଧାଇ ନାଚ ପରିବେଷଣ କରିଥିଲେ। ଶ୍ରୀଲଙ୍କାର କାଣ୍ଡିଆନ୍ ନାଚ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏହାବ୍ୟତୀତ ଷଢ଼େଇକେଳାର ଛଉ, ଆସାମର ବିହୁ, ମହାରାଷ୍ଟ୍ରର ଲବ୍ଣି, ତେଲେଙ୍ଗାନାର ଲମ୍ବାଡ଼ି, ଭଦ୍ରକର ଭିଜନ୍ ଓଡ଼ିଶା ସଂସ୍ଥା ପରିବେଷିତ ନାଚରେ ଦର୍ଶକ ଝୁମିଥିଲେ।
ଏହା ପୂର୍ବରୁ ଦୁଇଜଣ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ, ପୁଲିସ୍ ଆଇଜି ଦୀପକ କୁମାର, ଏସ୍ପି ବି ଗଂଗାଧର ଅତିଥିଭାବେ ଯୋଗ ଦେଇଥିଲେ। ଲୋକମହୋତ୍ସବର ନୋଡାଲ୍ ଅଧିକାରୀ ତଥା ଏସ୍ଏମ୍ସି କମିସନର୍ ପ୍ରଦୀପ ସାହୁ ଏବଂ ସଂଯୋଜକ ରଂଜନ ସାହୁ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ଲୋକଗୀତ କ୍ଷେତ୍ରରେ ଆଜୀବନ ଅବଦାନ ପାଇଁ ଭୋଜରାଜ ପାରୁଆ ଏବଂ ଲୋକସଂଗୀତ ପାଇଁ ଚିତ୍ତରଂଜନ ବେହେରାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସୂର୍ଯ୍ୟ ପାଣିଗ୍ରାହୀ ପରିଚାଳନା କରିଥିଲେ।
କାହିଁକି ଆସୁନାହାନ୍ତି ଅତିଥି?
୫ ଦିନ ଧରି ଚାଲିବାକୁ ଥିବା ସମ୍ବଲପୁର ଲୋକ ମହୋତ୍ସବ ଓ ଶେଷ ଦିନରେ ହକି ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିଙ୍କ ଲମ୍ବା ତାଲିକା ରହିଛି। ହେଲେ ଅଧିକାଂଶ ଅତିଥି ଆସୁ ନଥିବା ଦେଖିବାକୁ ମିଳୁଛି। ପ୍ରଥମ ସଂଧ୍ୟାରେ ସ୍ଥାନୀୟ ବିଧାୟକ, ସାଂସଦଙ୍କ ସମେତ ସଂସ୍କୃତି ମନ୍ତ୍ରୀ ଓ ରାଜ୍ୟସଭା ସାଂସଦ ଭଳି ଅତିଥିଙ୍କ ଦେଖା ନଥିଲା। ଦ୍ବିତୀୟ ଦିନ ଅତିଥି ତାଲିକାରେ ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କ ନାମ ଥିଲା। ହେଲେ ସମ୍ବଲପୁରର ଅଧିକାରୀମାନେ ଉପସ୍ଥିତ ଥିବାବେଳେ ବାହାରୁ କେହି ଆସିନଥିଲେ। ଶନିବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଓଏମ୍ସିର ପରିଚାଳନା ନିର୍ଦ୍ଦେଶକ ତଥା ସମ୍ବଲପୁରର ପୂର୍ବତନ ଜିଲ୍ଲାପାଳ ବଳବନ୍ତ ସିଂହଙ୍କୁ ଅତିଥିଭାବେ ନିମନ୍ତ୍ରଣ କରା ଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ କେହି ଆସି ନଥିଲେ। ତେଣୁ ଆୟୋଜକମାନେ ଅତିଥିଙ୍କୁ ଠିକ୍ରେ ନିମନ୍ତ୍ରଣ କରିଛନ୍ତି ନା’ ନାହିଁ ତାକୁ ନେଇ ଆଲୋଚନା ହେଉଛି। ସେହିପରି ଲୋକମହୋତ୍ସବ ଭଳି ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୁବନେଶ୍ବରରୁ ଏଭଳି ମାଳମାଳ ପ୍ରଶାସନିକ ଅଧିକାରୀଙ୍କ ଅତିଥି କରାଯିବାର ପ୍ରାସଂଗିକତାକୁ ନେଇ ମଧ୍ୟ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି।