ଅଧୁରା ରହିଲା ପୁରୀ-କୋଣାର୍କ ରେଳପଥ ସ୍ବପ୍ନ
ଏଥର ବି ଭଣ୍ଡେଇଲେ କେନ୍ଦ୍ର ସରକାର, ଚୂଡ଼ାନ୍ତ ସର୍ଭେ ପରେ ବି ଅଟକିଛି ପ୍ରକଳ୍ପ
ପୁରୀ : କୋଣାର୍କକୁ ଗଡ଼ିବ ଟ୍ରେନ୍। ବର୍ଷେ କି ଦୁଇବର୍ଷ ନୁହେଁ, ଦୁଇଦଶନ୍ଧି ଧରି ଏହି ସ୍ବପ୍ନ ଦେଖି ଆସୁଛନ୍ତି ପୁରୀବାସୀ। ଏହାଦ୍ବାରା କେବଳ ପର୍ଯ୍ୟଟନର ବିକାଶ ହେବ ତା’ ନୁହେଁ, ସ୍ଥାନୀୟ ଅଞ୍ଚଳର ଗମନାଗମନ ଓ ଆର୍ଥିକ ସ୍ଥିତି ବି ସୁଦୃଢ଼ ହୋଇପାରିବ। ଦେଶ ବିଦେଶରୁ ବୁଲି ଆସୁଥିବା ପର୍ଯ୍ୟଟକମାନେ ସୁବିଧାରେ ପୁରୀ ସହ କୋଣାର୍କ, ଚନ୍ଦ୍ରଭାଗା ବୁଲି ପାରିବେ। ହେଲେ ଏହି ସ୍ବପ୍ନ ସାକାର ହୋଇପାରିନି। ବର୍ଷକ ତଳୁ ରେଳବାଇ ବୋର୍ଡକୁ ପୂର୍ବତଟ ରେଳପଥ ଚୂଡ଼ାନ୍ତ ଡିପିଆର୍ ପଠାଇଥିଲେ ବି ଏହା ଅନୁମୋଦନ ଅପେକ୍ଷାରେ ରହିଛି। ଅନୁଦାନ ମିଳୁନଥିବାରୁ ଏହି ପ୍ରକଳ୍ପ ପୂର୍ଣ୍ଣରୂପ ନେଇ ପାରୁନି। ଚଳିତ ବଜେଟ୍ରେ ପୁରୀ-କୋଣାର୍କ ରେଳପଥ ପାଇଁ ଅନୁଦାନ ଘୋଷଣା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ସରକାର ପୁଣିଥରେ ସମସ୍ତଙ୍କୁ ଭଣ୍ଡାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ରେଳମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ ପରେ ଅଶ୍ବିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଜନ ଆଶୀର୍ବାଦ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପୁରୀ-କୋଣାର୍କ ରେଳପଥ ପ୍ରସଙ୍ଗ ଉଠିଥିଲା। ସେ ସମୟରେ ପୁରୀ-କୋଣାର୍କ ରେଳପଥ ସର୍ଭେ କାମ ଚାଲିଛି ବୋଲି କହିଥିଲେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ। ଡେପୁଟି ଚିଫ୍ ଇଂଜିନିୟର ଜି. କେ. ରାଓ ଏକ ଚିଠିରେ ସ୍ପଷ୍ଟ କରିଥିଲେ କି ପୁରୀ-କୋଣାର୍କ ରେଳପଥ ରାମଚଣ୍ଡୀ ଦେଇ ଯିବାକୁ ଯୋଜନା ହୋଇଛି। ପୂର୍ବରୁ ଏହାର ପ୍ରାଥମିକ ଇଂଜିନିୟରିଂ ତଥା ଟ୍ରାଫିକ୍(ପିଇଟି) ସର୍ଭେ କରାଯାଇଥିଲା। ଏହାର ବିସ୍ତୃତ ରିପୋର୍ଟ ବି ପ୍ରସ୍ତୁତ ହୋଇଥିଲା। ପରେ ଏହି ରିପୋର୍ଟରେ ସାମାନ୍ୟ ପରିବର୍ତ୍ତନ କରି ୨୦୧୭ ମସିହାରେ ରେଳବାଇ ବୋର୍ଡକୁ ଏହା ପ୍ରଦାନ କରାଯାଇଥିଲା।
କିନ୍ତୁ ସେ ସମୟରେ ବନ ବିଭାଗ ବୋର୍ଡର ରିପୋର୍ଟକୁ ନେଇ ଆପତ୍ତି ଉଠାଇଥିଲା। ପ୍ରସ୍ତାବିତ ପ୍ରକଳ୍ପ ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟର ସମ୍ବେଦନଶୀଳ(ଇକୋ ସେନ୍ସିଟିଭ୍ ଜୋନ୍) ଅଞ୍ଚଳ ସହ ସିଆରଜେଡ୍ ନିୟମକୁ ଉଲ୍ଲଂଘନ କରୁଥିବା ଚିଠି ଲେଖି ଜଣାଇଥିଲା। ପୁନର୍ବାର ଏହାର ସର୍ଭେ କରାଯାଇଥିଲା ଓ ଆଉ ଏକ ନୂଆ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଏହି ସର୍ଭେ ରିପୋର୍ଟରେ ବନ ବିଭାଗ ଆପତ୍ତି ଉଠାଇଥିବା ସମ୍ବେଦନଶୀଳ ଅଞ୍ଚଳକୁ ବାଦ୍ ଦିଆଯାଇଛି। ବିକଳ୍ପ ରାସ୍ତା ଖୋଜାଯାଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି ଓ ଏହା ୨୦୨୧ ଅଗଷ୍ଟ ୨୧ ତାରିଖରେବୋର୍ଡକୁ ପ୍ରଦାନ(ଚିଠି ନଂ-୨୦୨୦/ଡବ୍ଲୁ-୨/ଇଷ୍ଟକୋଷ୍ଟ ରେଲ୍ୱେ/୦୩/୩୮/୨୩.୬.୨୦୨୧) କରାଯାଇଛି ବୋଲି ଇଂ. ରାଓ ଏହା ସ୍ପଷ୍ଟ କରିଥିଲେ।
ଡିପିଆର ଅନୁଯାୟୀ, ପୁରୀରୁ କୋଣାର୍କ ମଧ୍ୟରେ ୩୩ କିମି ରେଳପଥ ନିର୍ମାଣ ହେବ। ଏ ବାବଦକୁ ପ୍ରାୟ ୭୨୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ନିକଟରେ ପୁରୀ ରେଳ ଷ୍ଟେସନ୍ ବିକାଶ ପ୍ରକଳ୍ପ ଉପରେ ମତ ରଖି ପୁରୀ-କୋଣାର୍କ ରେଳପଥ କଥା ବିଚାର କରୁଛୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ। କିନ୍ତୁ ଚଳିତ ବଜେଟ୍ରେ ପୁରୀ-କୋଣାର୍କ ରେଳପଥ ବାବଦରେ ଟଙ୍କାଟିଏ ଖର୍ଚ୍ଚ ପାଇଁ ବ୍ୟବସ୍ଥା କରାଯାଇନାହିଁ।
ଉଲ୍ଲେଖଯୋଗ୍ୟ, ୨୦୧୭ ଏପ୍ରିଲ ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ-କୋଣାର୍କ ରେଳପଥ ବାବଦ ଖର୍ଚ୍ଚର ୫୦ ପ୍ରତିଶତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ତଥାପି ପ୍ରକଳ୍ପରେ ସେଭଳି ଅଗ୍ରଗତି ଦେଖିବାକୁ ମିଳିନି। ପୁରୀ ବିକାଶ ପରିଷଦ ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖି ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ୫ଶହ କୋଟି ଟଙ୍କାର ଅନୁଦାନ ମଞ୍ଜୁର ପାଇଁ ଦାବି କରିଥିଲା। କିନ୍ତୁ ଚଳିତ ବଜେଟ୍ରେ ଅର୍ଥ ମଞ୍ଜୁର ନ ହେବା ଦୁର୍ଭାଗ୍ୟଜନକ ବୋଲି ପରିଷଦର କର୍ମକର୍ତ୍ତା କହିଛନ୍ତି।