ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତା, ପ୍ରଯୋଜକ ଓ ନିର୍ମାତା ସତୀଶ କୌଶିକଙ୍କ ମୃତ୍ୟୁ ସିନେମା ଦୁନିଆକୁ ଦୋହଲାଇ ଦେଇଥିଲା। ବିଶେଷ ଭାବେ ସତୀଶଙ୍କ ମୃତ୍ୟୁ ପରେ ତାଙ୍କ ୧୧ବର୍ଷର ଝିଅ ବଂଶିକା ବାପାଙ୍କୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି।
ଇତି ମଧ୍ୟରେ ପୁତୁରା ନିଶାନ୍ତ ସତୀଶ କୌଶିକଙ୍କ ଶେଷ ରୀତିନୀତି ସମ୍ପୂର୍ଣ୍ଣ କରିଛନ୍ତି। ଆଉ ସତୀଶ ଅଧା ଛାଡ଼ି ଯାଇଛନ୍ତି ସମସ୍ତ କାମ ପୁରା କରିବାକୁ ଅଣ୍ଟା ଭିଡିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁତୁରା ନିଶାନ୍ତ କହିଛନ୍ତି, ‘ସତୀଶ କୌଶିକଙ୍କ ସମ୍ପର୍କରେ ମୁଁ ପୁତୁରା ହେଉଥିଲେ ବି ସେ ମୋତେ ପୁଅ ଠାରୁ ବି ଅଧିକ ଭଲ ପାଆନ୍ତି। ତାଙ୍କର ସାହାଯ୍ୟ ଓ ସମର୍ଥନ ପାଇଁ ମୁଁ ଏତେ ବାଟ ଆଗେଇ ଆସିଛି। କ୍ୟାରିୟରରେ ଦାଦା ହିଁ ମୋତେ ବ୍ରେକ ଦେଇଥିଲେ। ସେ ମୋତେ ସତୀଶ କୌଶିକ ଏଣ୍ଟରଟେନମେଣ୍ଟର ପ୍ରଯୋଜକ କରିଥିଲେ। ପାଖାପାଖି ୧୨ବର୍ଷ ହେବ ମୁଁ ତାଙ୍କ ସହିତ କାମ କରି ଆସଛି।
ହଠାତ ଦାଦା ଚାଲିଯିବା ପରେ ମୋତେ ସବୁକିଛି ଅନ୍ଧାର ଦେଖାଯାଉଛି। କେଉଁ କାମ ଆରମ୍ଭ କରି କେମିତି କରିବି କିଛି ବୁଝି ପାରୁନାହିଁ। ଦାଦାଙ୍କ ସାଙ୍ଗ ବୋନି କପୁର, ଅନୁପମ ଖେର, ସଲମାନ ଖାନ ଓ ଅଶୋକ ପଣ୍ଡିତ ମୋତେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି।
ଯେତେ ଯାହା ହେଲେ ବି ଦାଦା ଛାଡ଼ି ଯାଇଥିବା କାମକୁ ପୁରା କରିବା ମୋର ପ୍ରଥମ ପ୍ରାଧାନ୍ୟ। ଦାଦାଙ୍କ ପରେ ଖୁଡ଼ି ଏହି କମ୍ପାନିର ମାଲିକ ହେବେ। ଯେମିତି ମୁଁ ଦାଦାଙ୍କ ସହ ମିଶି କାମ କରୁଥିଲି। ସେମିତି ଖୁଡ଼ିଙ୍କ ସହ ବି କରିବି।’