ଆଜି ‘ଓଡ଼ିଆ ନବବର୍ଷ’: ଧୁମଧାମ୍ରେ ପାଳନ ହେବ ‘ପଣା ସଂକ୍ରାନ୍ତି’
ଭୁବନେଶ୍ବର: ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ଏଥିସହ ସାରା ଓଡ଼ିଶାରେ ପାଳିତ ହେବ ଓଡ଼ିଆ ନବବର୍ଷ। ପ୍ରତ୍ୟେକ ଓଡ଼ିଆ ଏହି ଦିବସକୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଥା’ନ୍ତି। ପଣା ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ସାରା ସହର ଦୁଇ ଦିନ ହେଲା ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର ଓ ମଠଗୁଡ଼ିକରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥିବା ବେଳେ ଫଳ ଓ ପରିବା ବଜାର ସରଗରମ ହୋଇ ଉଠିଛି। ସଂକ୍ରାନ୍ତିକୁ ନଜରରେ ରଖି କଖାରୁ, କଞ୍ଚା କଦଳୀ, ଶାଗ ଓ ବାଇଗଣ ଆଦିର ଦାମ୍ ବଢ଼ିଥିବା ବେଳେ ନଡ଼ିଆ, କଦଳୀ ଓ ଆମ୍ବ ଦର ବି ଆକାଶଛୁଆଁ ହୋଇଛି। ଖରା ସତ୍ତ୍ବେ ହନୁମାନ ଜୟନ୍ତୀ ପାଇଁ ଯଜ୍ଞ ଓ ପ୍ରସାଦବଣ୍ଟନ ଆଦି ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ଗ୍ରହ ଚଳନରୁ ପ୍ରସ୍ତୁତ ରାଶିଚକ୍ର ଅନୁସାରେ ‘ମହାବିଷୁବ ସଂକ୍ରାନ୍ତି’ ହେଉଛି ବର୍ଷର ପ୍ରଥମ ଦିନ। ‘ମେଷ’ ହେଉଛି ପ୍ରଥମ ରାଶି। ପ୍ରଥମ ରାଶିର ପ୍ରଥମ ଦିନ ହେଉଛି ମହାବିଷୁବ ସଂକ୍ରାନ୍ତି। ତେଣୁ ମହାବିଷୁବ ସଂକ୍ରାନ୍ତି ତିଥିକୁ ଓଡ଼ିଆ ନୂଆବର୍ଷ ଭାବେ ପାଳନ କରାଯାଏ। ଏହି ପର୍ବକୁ ପାଳନ କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ରାଜଧାନୀର ବିଭିନ୍ନ ମହଲରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡ଼ିଆ ପରିବାର ସହ ମଠ, ମନ୍ଦିର ସବୁ ଉତ୍ସବମୁଖର ହୋଇପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଇଁ ରାଜଧାନୀରେ ପ୍ରତ୍ୟେକ ହିନ୍ଦୁ ପରିବାର ସହ ମନ୍ଦିର, ମଠ ଓ ହିନ୍ଦୁ ଧର୍ମାନୁଷ୍ଠାନଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ ପଣା ତିଆରି ଏକ ଅନନ୍ୟ ପରମ୍ପରା। ପଣା ତିଆରି ପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସେଥିପାଇଁ ଆଜିଠାରୁ ଆବଶ୍ୟକ ଫଳ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଦୋକାନ ବଜାରରେ ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା। ପଣା ପାଇଁ ଫଳର ଚାହିଦାକୁ ଦେଖି ବ୍ୟବସାୟୀମାନେ ଉଚ୍ଚାଦରରେ ବିକ୍ରି କରିଥିବା ଦେଖାଯାଇଛି। ୨୦ ଟଙ୍କାରେ ଆଗରୁ ବିକ୍ରି ହେଉଥିବା ନଡ଼ିଆ ଗତକାଲିଠାରୁ ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଛି। ପାଚିଲା ବେଲ ଦର ମଧ୍ୟ ଆକାଶଛୁଆଁ ରହିଛି। ସେହିଭଳି ଦେଶୀ କଦଳୀ ଡଜନ୍କୁ ୮୦ରୁ ୧୦୦ ଟଙ୍କା ରହିଛି। ଏସବୁ ସତ୍ତ୍ବେ ଭୁବନେଶ୍ବରିଆଙ୍କ ପଣା ପ୍ରେମରେ କିଛି ବି ହ୍ରାସ ହୋଇଥିବା ପରିଲକ୍ଷିତ ହୋଇନାହିଁ। ଫଳ ବଜାରରେ ଆଜି ସନ୍ଧ୍ୟାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
ମହାବିଷୁବ ସଂକ୍ରାନ୍ତି ଅବସରରେ ପାଳିତ ହୁଏ ହନୁମାନ ଜୟନ୍ତୀ। ଏଥିପାଇଁ ରାଜଧାନୀର ବିଭିନ୍ନ ହନୁମାନ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ସବୁ ହନୁମାନ ମନ୍ଦିରକୁ ଆଲୋକମାଳାରେ ସଜାଇ ଦିଆଯାଇଛି। ସିଆର୍ପି ଛକରେ ଥିବା ହନୁମାନ ମନ୍ଦିରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେହିଭଳି ବିଜେବି ନଗର, ବରମୁଣ୍ଡା, ଗଣ୍ଡମୁଣ୍ଡା, ୟୁନିଟ୍-୬, କୋଚିଲେଇ ହାଟ ଓ ଡୁମୁଡୁମା ପ୍ରଭୃତି ହନୁମାନ ମନ୍ଦିର ଉତ୍ସବମୁଖର ହୋଇପଡ଼ିଛି।