ଏଆଇ, ଚାଟ୍‌ଜିପିଟି ବିଶେଷଜ୍ଞଙ୍କ ଦରମା ୧.୫ କୋଟି

ନୂଆଦିଲ୍ଲୀ : ଚାଟ୍‌ଜିପିଟି ଭଳି ବୈପ୍ଳବିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଲୋକମାନଙ୍କ ଚାକିରି ନେଇଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହି ପ୍ରଯୁକ୍ତିରେ ବିଶେଷ ଦକ୍ଷତା ରଖିଥିବା ଲୋକଙ୍କ କାହାଣୀ କିନ୍ତୁ ଭିନ୍ନ ରହିଛି। ସେମାନଙ୍କୁ ମୋଟା ଅଙ୍କର ଦରମାରେ ନିଯୁକ୍ତି ଦେବା ଲାଗି ବହୁ କଂପାନି ଆଗ୍ରହ ପ୍ରକାଶ କରିଛନ୍ତି। ଏଆଇ ଓ ଚାଟ୍‌ଜିପିଟି ବିଶେଷଜ୍ଞଙ୍କୁ ବାର୍ଷିକ ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ଦରମା ଦେବାକୁ କିଛି କଂପାନି ଚାହୁଛନ୍ତି।

ରିଜ୍ୟୁମ୍‌ବିଲ୍‌ଡର୍‌ ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୯୧ ପ୍ରତିଶତ କଂପାନି ଚାଟ୍‌ଜିପିଟି ବିଷୟରେ ଜ୍ଞାନ ଥିବା କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଚାହୁଛନ୍ତି। ବିଜନେସ୍ ଇନ୍‌ସାଇଡର ନାମକ ଆଉ ଏକ ସଂସ୍ଥା କରିଥିବା ସର୍ଭେରୁ ଜଣାପଡ଼ିଛି ଯେ ଚାଟ୍‌ଜିପିଟିକୁ ଭଲ ଭାବେ ଜାଣିଥିବା କର୍ମଚାରୀଙ୍କୁ କିଛି କଂପାନି ୧,୮୫,୦୦୦ ଡଲାର ପର୍ଯ୍ୟନ୍ତ ଦରମା ଦେବାକୁ ପ୍ରସ୍ତୁତ ଅଛନ୍ତି। ରିଜ୍ୟୁମ୍‌ବିଲ୍‌ଡର ପକ୍ଷରୁ ୧,୧୮୭ ନିଯୁକ୍ତିଦାତାଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା। ସେଥିରୁ ୩୦ ପ୍ରତିଶତ ନିଯୁକ୍ତିଦାତା କହିଥିଲେ ଯେ ଚାଟ୍‌ଜିପିଟି ଜାଣିଥିବା କର୍ମଚାରୀଙ୍କୁ ସେମାନେ ତୁରନ୍ତ ନିଯୁକ୍ତି ଦେବାକୁ ଚାହୁଛନ୍ତି। ଅଧିକାଂଶ ସଂସ୍ଥା ଭାବୁଛନ୍ତି ଯେ ସେଭଳି କର୍ମଚାରୀ କଂପାନିକୁ ପ୍ରତିଦ୍ବନ୍ଦ୍ବିତାରେ ଆଗରେ ରଖିବାରେ ସହାୟକ ହେବେ।

ଆଉ ଏକ ସର୍ଭେରୁ ଜଣାପଡ଼ିଛି ଯେ ୨୦୨୪ ସୁଦ୍ଧା ୪୩ ପ୍ରତିଶତ କର୍ମଚାରୀ ମାନବ ସମ୍ବଳ ପ୍ରବନ୍ଧକଙ୍କ ସ୍ଥାନରେ ଏଆଇ ଟୁଲ୍ ଜରିଆରେ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଚାହୁଛନ୍ତି। ସର୍ଭେରେ ଭାଗ ନେଇଥିବା ଦୁଇ ତୃତୀୟାଂଶ କଂପାନିଙ୍କ ମତ ହେଉଛି ସଠିକ୍ କର୍ମଚାରୀ ଚୟନରେ ଏଆଇ ସହାୟକ ହେବ। ୧୫% କର୍ମଚାରୀ କେବଳ ଏଆଇ ଉପରେ ନିର୍ଭରଶୀଳ ରହିବାକୁ ଚାହୁଛନ୍ତି। ବିଶ୍ବ ଅର୍ଥନୈତିକ ଫୋରମ୍ ୨୦୨୦ରେ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁସାରେ ୨୦୨୫ ସୁଦ୍ଧା ୮.୫ କୋଟି ଚାକିରିର ସ୍ଥାନ ନେବ ଏଆଇ। କିନ୍ତୁ ଏହା ୯.୭ କୋଟି ନୂଆ ନିଯୁକ୍ତି ବି ସୃଷ୍ଟି କରିବ। ଗୋଲ୍ଡମ୍ୟାନ୍‌ ସଚ୍‌ସର ଏକ ରିପୋର୍ଟ ଅନୁସାରେ ଏଆଇ ପାଇଁ ୩୦ କୋଟି ଚାକିରି ବିପଦରେ ରହିଛି।

ସମ୍ବନ୍ଧିତ ଖବର