‘ଷ୍ଟେଟ୍ ଅଫ୍ ୱାର୍କିଂ ଇଣ୍ଡିଆ ୨୦୨୩’ ରିପୋର୍ଟ: କଲେଜ ଶିକ୍ଷା ପରେ ପ୍ରତି ୫ରେ ୨ ଜଣ ଯୁବକ ବେକାର

ନୂଆଦିଲ୍ଲୀ: କରୋନା ମହାମାରୀ ବ୍ୟାପିବା ପରେ ଇତି ମଧ୍ୟରେ ଦେଶର ବେକାରି ସ୍ଥିତିରେ ବେଶ ଉନ୍ନତି ପରିଲକ୍ଷିତ ହୋଇଛି। କିନ୍ତୁ ୨୫ ବର୍ଷରୁ କମ୍ ବୟସର ଶିକ୍ଷିତ ଯୁବକଯୁବତୀଙ୍କ ‌କ୍ଷେତ୍ରରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ପ୍ରତି ୫ ଜଣ ଶିକ୍ଷିତ ଯୁବକଯୁବତୀଙ୍କ ମଧ୍ୟରୁ ୨ ଜଣ ବେକାର ରହିଛନ୍ତି। ଅର୍ଥାତ କଲେଜ ପାଠପଢ଼ା ଶେଷ କରିବା ପରେ ଦୁଇ ପଞ୍ଚାମାଂଶ ଛାତ୍ରଛାତ୍ରୀଙ୍କୁ ଚାକିରି ମିଳୁନି। ଅଜିମ୍ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟ ଜାରି କରିଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି।

‘ଷ୍ଟେଟ୍ ଅଫ୍ ୱାର୍କିଂ ଇଣ୍ଡିଆ ୨୦୨୩’ ରିପୋର୍ଟ ଅନୁଯାୟୀ ଭାରତର ବେକାରି ହାର ୨୦୨୧-୨୨ରେ ୬.୬ ପ୍ରତିଶତକୁ ହ୍ରାସ ପାଇଛି। ମହାମାରୀ ବ୍ୟାପିବା ପୂର୍ବରୁ ଏହି ହାର ୮.୮ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ୨୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ମଧ୍ୟରେ ବେକାରି ହାର ସର୍ବାଧିକ ୪୨.୩ ପ୍ରତିଶତ ଥିବା ବେଳେ ୨୫-୨୯ ବର୍ଷ ବୟସ ଭିତରର ପିଲାଙ୍କ ମଧ୍ୟରେ ଏହି ହାର ୨୨.୮ ପ୍ରତିଶତ, ୩୦-୩୪ ବର୍ଷ ବୟସ୍କ ପିଲାଙ୍କ ମଧ୍ୟରେ ବେକାରି ହାର ୯.୮ ପ୍ରତିଶତ, ୩୫-୩୯ ବର୍ଷ ବୟସର ପିଲାଙ୍କ ଭିତରେ ୪.୫ ପ୍ରତିଶତ ଓ ୪୦ ବର୍ଷରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ବେକାରି ହାର ସର୍ବନିମ୍ନ ୧.୬ ପ୍ରତିଶତ ରହିଛି। ନିରକ୍ଷରଙ୍କ ମଧ୍ୟରେ ବେକାରି ହାର ସବୁ ବୟସ ବର୍ଗରେ ୨-୧୩.୫ ପ୍ରତିଶତ ମଧ୍ୟରେ ରହିଛି। ୨୯ ବର୍ଷରୁ କମ୍ ବୟସର ସବୁ ବର୍ଗର ପିଲାଙ୍କ ମଧ୍ୟରେ ବେକାରଙ୍କ ସଂଖ୍ୟା ଅଧିକ ରହିଛି। ରିପୋର୍ଟରେ କୁହାଯାଇଛି ଯେ କଲେଜରେ ସ୍ନାତକ ପାଠପଢ଼ା ଶେଷ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନେ ଚାକିରି ପାଉନାହାନ୍ତି। ଏହି ବର୍ଗରେ ହାରାହାରି ଭାବେ ଅଧିକାଂଶ ପିଲା ୨୦ ବର୍ଷ ପାଖାପାଖି ବୟସରେ ଚାକିରି ପାଉଛନ୍ତି, ଅନ୍ୟଥା‌ ୩୦ ବର୍ଷ ପାଖାପାଖି ବୟସ‌ରେ ଚାକିରି କରୁଛନ୍ତି। ପିଲାମାନେ ଯେଉଁ ଚାକିରି ପାଉଛନ୍ତି ତାହା ସେମାନଙ୍କ ଦକ୍ଷତା ଓ ଅଭିଳାଷ ସହ ଖାପଖାଉଛି ନା ନାହିଁ ତାହା ଜାଣିବା ଲାଗି ଅଧିକ ଗବେଷଣାର ଆବଶ୍ୟକତା ଥିବା ରିପୋର୍ଟରେ କୁହାଯାଇଛି।

ସହରାଞ୍ଚଳରେ ବାସ କରୁଥିବା ମହିଳାମାନଙ୍କ ବେକାରି ହାର ସର୍ବାଧିକ ୯.୯ ପ୍ରତିଶତ ରହିଛି। ଅବଶ୍ୟ ଚାରି ବର୍ଷ ପୂର୍ବେ ଏହି ହାର ୧୨ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ସେଥିରେ କିଛିଟା ସୁଧାର ହୋଇଛି। ସହରାଞ୍ଚଳ ପୁରୁଷଙ୍କ ମଧ୍ୟରେ ବେକାରି ହାର ୭.୮ ପ୍ରତିଶତ ଥିବା ବେଳେ ଗ୍ରାମୀଣ ପୁରୁଷଙ୍କ ମଧ୍ୟରେ ଏହି ହାର ୬.୫ ପ୍ରତିଶତ ରହିଛି। ଗ୍ରାମୀଣ ମହିଳାଙ୍କ ଭିତରେ ବେକାରି ହାର ୪.୫ ପ୍ରତିଶତ ରହିଛି। ଗତ ପାଞ୍ଚ ବର୍ଷ ଭିତରେ ଗ୍ରାମାଞ୍ଚଳରେ ଶ୍ରମଶକ୍ତିରେ ମହିଳାଙ୍କ ଯୋଗଦାନ ବଢ଼ିଛି। କିନ୍ତୁ ଚାକିରି ପାଇଁ ନୁହେଁ, ଅଧିକାଂଶ ମହିଳା ସ୍ବାବଲମ୍ବୀ ହୋଇଥିବାରୁ ବେକାରି ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର