କିଡ୍‌ନି ପ୍ରତିରୋପଣ ସଚେତନତା ନାହିଁ: ନଷ୍ଟ ହେଉଛି ଅମୂଲ୍ୟ ଅଙ୍ଗ, ହୋଇପାରୁନି ମୃତବ୍ୟକ୍ତିଙ୍କ ଅଙ୍ଗଦାନ

ଭୁବନେଶ୍ବର: ଠିକ୍ ଗୋଟିଏ ବର୍ଷ ପୂର୍ବରୁ ଏମ୍‌ସର ନେଫ୍ରୋଲୋଜି ବିଭାଗରେ ଚିକିତ୍ସାଧୀନ ୨୦ ବର୍ଷର ପୁଅର ଶରୀରରେ ପ୍ରତିରୋପଣ କରାଯାଇଥିଲା ୫୦ ବର୍ଷର ବାପାଙ୍କ କିଡନି। ବାପାଙ୍କ ସ୍ନେହ ସହିତ ତାଙ୍କ କିଡନି ପୁଅକୁ ଏକ ନୂଆ ଜନ୍ମ ଦେଇଥିଲା। ଆଜି ଏମ୍‌ସକୁ ଆସିଥିବା ଜଣେ ୩୨ ବର୍ଷିୟା ମହିଳା ନିଜର ୧୨ ବର୍ଷର ପୁଅକୁ କିଡନି ଦେଇ ପ୍ରାଣଘାତୀ ରୋଗରୁ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କେବଳ ଏତିକି ନୁହନ୍ତି, ଗୋଟିଏ ବର୍ଷ ମଧ୍ୟରେ ଏମ୍‌ସର ନେଫ୍ରୋଲୋଜି ବିଭାଗରେ କିଡନି ପ୍ରତିରୋପଣ କରାଯାଇଥିବା ୧୬ ଜଣଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କ ସ୍ତ୍ରୀ କିଡନି ଦେଇ ବଞ୍ଚାଇଥିବାବେଳେ ବାକି ସମସ୍ତଙ୍କୁ ତାଙ୍କ ମା’ କିମ୍ବା ବାପା କିଡନି ଦେଇ ନବଜନ୍ମ ନେଇଛନ୍ତି। ମାନବୀୟ ମୂଲ୍ୟ ଆଧାରରେ ଏହା ଏକ ଉଚ୍ଚ ପରମ୍ପରା, କିନ୍ତୁ ସ୍ବାସ୍ଥ୍ୟ ଦୃଷ୍ଟିରୁ ଆଦୌ ନିରାପଦ ନୁହେଁ। ଏଥିଯୋଗୁଁ କିଡନି ଦେଉଥିବା ବ୍ୟକ୍ତି ମଧ୍ୟ ଶେଷ ଜୀବନ ପର୍ଯ୍ୟନ୍ତ ଗୋଟିଏ କିଡନିରେ ବଞ୍ଚିବାକୁ ବାଧ୍ୟ ହୁଅନ୍ତି। ଅନ୍ୟପକ୍ଷରେ ଆଜି ପର୍ଯ୍ୟନ୍ତ ଏମସ ସମେତ ଓଡ଼ିଶାର ଡାକ୍ତରଖାନାଗୁଡ଼ିକରେ ମୃତବ୍ୟକ୍ତିଙ୍କ କିଡନି ପ୍ରତିରୋଣ କାର୍ଯ୍ୟ ସଫଳ ହୋଇନାହିଁ। ଏହା ଦୁଃଖଦାୟକ ବୋଲି ଏମସ କିଡନି ରୋଗ ବିଶେଷଜ୍ଞମାନେ ମତ ଦିଅନ୍ତି।

ବିଧାନସଭାରେ ଦିଆଯାଇଥିବା ସୂଚନା ଅନୁସାରେ, ଗତବର୍ଷ କେବଳ ସଡ଼କ ଦୁର୍ଘଟଣାରେ ୫,୦୦୦ରୁ ଊର୍ଧ୍ବ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହା ବାହାରେ ଅନ୍ୟାନ୍ୟ ଦୁର୍ଘଟଣା, ରୋଗ ଓ ବୃଦ୍ଧାବସ୍ଥା ଯୋଗୁଁ ଅମୂଲ୍ୟ ଜୀବନ ଯାଉଥିବା ଲୋକଙ୍କ ସଂଖ୍ୟା କମ୍‌ ନୁହେଁ। ଏପରିକି ବିଭିନ୍ନ ଡାକ୍ତରଖାନାରେ ମଧ୍ୟ ଅନେକ ଲୋକଙ୍କ ମୃତ୍ୟୁ ହେଉଛି। ଏମ୍‌ସ ଭଳି ଡାକ୍ତରଖାନାରେ ଏଭଳି ଅନେକ ସମୟରେ ଘଟେ, ଯେତେବେଳେ ଗୋଟିଏ କୋଠରିରେ ସୁସ୍ଥ କିଡନି ଥିବା ଜ‌ଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଉଥିବ ତ ପାଖ କୋଠରିରେ କିଡନି ଦରକାର କରୁଥିବା ବ୍ୟକ୍ତି ଚିକିତ୍ସାଧୀନ ଥିବେ। କିନ୍ତୁ ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା କିମ୍ବା ସଚେତନତା ଅଭାବ ଯୋଗୁଁ ଏଭଳି ଗୋଟିଏ ଅମୂଲ୍ୟ ଅଙ୍ଗ ପୋଡ଼ି ନଷ୍ଟ ହୋଇଯାଏ। ବିଶେଷଜ୍ଞଙ୍କ ଅନୁସାରେ, ମୃତ୍ୟୁର ୮ରୁ ୧୦ ଘଣ୍ଟା ମଧ୍ୟରେ କିଡନି ନିଆଯାଇ ପ୍ରତିରୋପଣ କରା ଯାଇପାରେ। ସେହି ଦୃଷ୍ଟିରୁ ଦେଖିବାକୁ, ଗଲେ ରାଜ୍ୟରେ ଅଙ୍ଗଦାନ ନେଇ ସଚେତନତା ଓ ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା ଥିଲେ, କୌଣସି ବ୍ୟକ୍ତିଙ୍କୁ କିଡନି ଭଳି ଅଙ୍ଗ ପ୍ରତିରୋପଣ ପାଇଁ ଜୀବିତ ବ୍ୟକ୍ତିଙ୍କ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ।

ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ସମ୍‌ ହସ୍ପିଟାଲରେ ମସ୍ତିଷ୍କ ମୃତ୍ୟୁ ହୋଇଥିବା ଜଣେ ବ୍ୟକ୍ତିଙ୍କର ଏକା ସହିତ ଦୁଇଟି କିଡନି, ଦୁଇଟି ଲଙ୍ଗ୍ସ ଓ ଗୋଟିଏ ଲିଭର ବାହାର କରାଯାଇ କଟକ, ନୂଆଦିଲ୍ଲୀ ଓ କୋଲକାତାର ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ଜଣାପଡ଼ିଛି। ଏହା ବ୍ୟାପକ ହୋଇ ପାରିଲେ ଆହୁରି ଅନେକ ଉପକୃତ ହୋଇ ପାରିବେ। ଏମ୍‌ସର ଜଣେ ନେଫ୍ରୋଲୋଜି ବିଶେଷଜ୍ଞ ଏ ପ୍ରସଙ୍ଗରେ କହନ୍ତି, ନିଜ ସନ୍ତାନ କିମ୍ବା ସମ୍ପର୍କୀୟଙ୍କ ପ୍ରତି ସ୍ନେହ ଥିବା କାରଣରୁ ଅନେକ ବ୍ୟକ୍ତି ସେମାନଙ୍କୁ ନିଜ କିଡନି ଦିଅନ୍ତି। କିନ୍ତୁ ଜୀବିତ ବ୍ୟକ୍ତିଙ୍କ ବଦଳରେ ମୃତବ୍ୟକ୍ତିଙ୍କ କିଡନି ପ୍ରତିରୋପଣ କରାଗଲେ ଏହା ବେଶି ସଫଳ ହୋଇ ପାରିବ। ଏଥିପ୍ରତି ସମସ୍ତେ ସଚେତନ ହେବାର ଆବଶ୍ୟକ।

ସମ୍ବନ୍ଧିତ ଖବର