ସାହାରା ଜମାକାରୀଙ୍କୁ ଆଶ୍ବସ୍ତି: ସମୟସୀମା ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢ଼ାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାହାରା ଗ୍ରୁପ ଅଫ୍‌ କୋ-ଅପରେଟିଭ୍‌ ସୋସାଇଟିର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଡିସେମ୍ବର ୩୧, ୨୦୨୪ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଓ ବିଚାରପତି ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠରେ ହୋଇଥିବା ଶୁଣାଣିରେ କେନ୍ଦ୍ର ସମବାୟ ମନ୍ତ୍ରାଳୟ ପକ୍ଷରୁ ‌ଏଥିପାଇଁ ଆବେଦନ ଦାଖଲ କରାଯାଇଥିଲା। ସାହାରା-ସେବି ୫ ହଜାର କୋଟି ଆକାଉଣ୍ଟ୍‌ରୁ ସାହାରା ଗ୍ରୁପ ଅଫ୍‌ କୋ-ଅପରେଟିଭ୍‌ ସୋସାଇଟିର ଜମାକାରୀଙ୍କୁ ୨୯୦ କୋଟି ଟଙ୍କା ଫେରସ୍ତ ହୋଇଛି। ଓଡ଼ିଶାରେ ଚିଟଫଣ୍ଡ ଦୁର୍ନୀତି ସଂପର୍କିତ ପିନାକ ପାଣି ମହାନ୍ତି ବନାମ କେନ୍ଦ୍ର ସରକାର ଓ ଅନ୍ୟ ମାମଲାର ଶୁଣାଣି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୨୦୨୩ ମାର୍ଚ୍ଚ ୨୯ରେ ସୁପ୍ରିମକୋର୍ଟ ସାହାରା-ସେବି ଚିଟଫଣ୍ଡ୍‌ ଖାତାରେ ଥିବା ୨୩ ହଜାର ୯୩୭ କୋଟି ଟଙ୍କାରୁ ୫ ହଜାର କୋଟି ଟଙ୍କା ସାହାରା ଗ୍ରୁପ୍‌ ଅଫ୍‌ କୋ-ଅପରେଟିଭ୍‌ ସୋସାଇଟି ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅର୍ଥ ରାଶିକୁ କେନ୍ଦ୍ରୀୟ ସମବାୟ ନିବନ୍ଧକଙ୍କୁ ପ୍ରଦାନ କରାଯିବ ଓ ନିବନ୍ଧକ ସାହାରା ଗୋଷ୍ଠୀର ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ କରି ଜମା କରାଯାଇଥିବା ଅର୍ଥକୁ ପ୍ରମାଣ ଆଧାରରେ ଫେରସ୍ତ କରିବେ। ଏଥି ସହିତ ଅର୍ଥ ଆବଣ୍ଟନ ପ୍ରକ୍ରିୟା ୯ ମାସରେ ‌ଶେଷ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ସମୟ ସୀମା ଧାର୍ଯ୍ୟ କରାଯାଇଥିଲା।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବେଦନରେ କୁହାଯାଇଥିଲା ସେ ଏପ୍ରିଲ ୧୧, ୨୦୨୪ ସୁଦ୍ଧା ୮୪,୭୫୦ କୋଟି ଟଙ୍କା ଫେରସ୍ତ ପାଇଁ ମୋଟ ୧.୨୨ କୋଟି ଆବେଦନ ହସ୍ତଗତ ହୋଇଛି।

ଆବେଦନଗୁଡ଼ିକର ପ୍ରକ୍ରିୟାକରଣ, ଯାଞ୍ଚ ତଥା ଦାବିଗୁଡ଼ିକର ବିଚାର ସମୟସାପେକ୍ଷ । ଏଥି ସହିତ ଏକାଧିକ ଆବେଦନରେ ନିବେଶକଙ୍କ ନାମ ତଥା ଆକାଉଣ୍ଟ୍‌ ନମ୍ବରରେ ବି ବିସଙ୍ଗତି ରହିଛି। ୧୦ ହଜାର ଟଙ୍କା ନିବେଶ କରିଥିବା ସମସ୍ତ ଜମାକାରୀଙ୍କ ଯଦି ସେମାନଙ୍କର ଡାଟା ମେ ୨୦୨୩ରେ ସାହାରା ସୋସାଇଟି ଦ୍ବାରା ଦାଖଲ କରାଯାଇଥିବା ଡାଟା ସହିତ ମେଳ ହୁଏ, ତାହେଲେ ସେମାନଙ୍କୁ ଶୀଘ୍ର ଅର୍ଥ ଫେରସ୍ତ ସୁନିଶ୍ଚିତ କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ସମୟସୀମା ବୃଦ୍ଧି ପାଇଁ ହୋଇଥିବା ପ୍ରାର୍ଥନାକୁ ବିଚାର କରି ଖଣ୍ଡପୀଠ ଏହାକୁ ଅନୁମତି ପ୍ରଦାନ କରିବା ସହିତ ନିବେଶକଙ୍କୁ ଟଙ୍କା ଫେରସ୍ତ କରିବାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୦କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର