ତାପମାତ୍ରା ବୃଦ୍ଧି ଜାରି ରହିଲେ ଓଡ଼ିଶାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ: ୱାଙ୍ଗ୍‌ଚୁକ୍‌

ଭୁବନେଶ୍ୱର: ‘‘ଉପଭୋକ୍ତାବାଦ ଆଜି ପରିବେଶ ପାଇଁ ସବୁଠାରୁ ବଡ ବିପଦ ପାଲଟିଛି। ଏହି ଉପଭୋକ୍ତାବାଦ ହିଁ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପମାତ୍ରାରେ ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି। ଯଦି ଆଜିର ମଣିଷ ନିଜ ଇଛାକୁ ନିୟନ୍ତ୍ରଣ ନକରି ଏଭଳି ତଥାକଥିତ ବିକାଶର ମାର୍ଗକୁ ଆପଣାଇବା ଜାରି ରଖିବ, ତେବେ ଭବିଷ୍ୟତରେ ଏକ ଭୟଙ୍କର ବିପଦ ଆମକୁ ସହଜରେ ଗ୍ରାସ କରିବ। ପାଶ୍ଚାତ୍ୟ ସଭ୍ୟତାର ବିକାଶ ପଥରେ ନଯାଇ ଭଗବାନ ବୁଦ୍ଧ, ମହାତ୍ମା ଗାନ୍ଧୀ ଓ ଭାରତର ପ୍ରାଚୀନ ମୁନିଋଷିମାନେ ଦେଇଥିବା ବିକାଶର ମନ୍ତ୍ରକୁ ଆପଣାଇ ପାରିଲେ ଭାରତ ପ୍ରକୃତ ଅର୍ଥରେ ‘ବିଶ୍ୱ ଗୁରୁ’ ହୋଇପାରିବ।’’ ଏକଥା କହିଛନ୍ତି ସୁପ୍ରସିଦ୍ଧ ପରିବେଶବିତ୍‌ ସୋନମ୍‌ ୱାଙ୍ଗ୍‌ଚୁକ୍‌।

ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀରେ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ଅବସରରେ ଶ୍ରୀ ୱାଙ୍ଗ୍‌ଚୁକ୍‌ ଆହୁରି କହିଥିଲେ, ‘‘ବିକାଶର କଥା କହି ଓ ମିଛ ଦୃଷ୍ଟାନ୍ତ ଦେଖାଇ ବିଳାସପୂର୍ଣ୍ଣ ଜୀବନଶୈଳୀ କିମ୍ବା ପ୍ରାକୃତିକ ସମ୍ପଦର ଅନାବଶ୍ୟକ ଶୋଷଣ ଦ୍ୱାରା ଆମେ ଭବିଷ୍ୟତ ପିଢ଼ିକୁ ବିପଦର ମୁହଁକୁ ଠେଲି ଦେଉଛେ। ଆମେ ପ୍ରାକୃତିକ ସଂସାଧନକୁ ଧ୍ବଂସ କରି ଚାଲିଛେ ଓ ପରିବେଶକୁ ଅସୁରକ୍ଷିତ କରିଦେଉଛେ। ଆମେ ଆମର ଆଗାମୀ ପିଢ଼ି ପାଇଁ କିଛିହେଲେ ସଞ୍ଚୟ କରି ରଖୁନାହୁଁ।’’ ଏହା କେଉଁଭଳି ବିକାଶ ବୋଲି ଶ୍ରୀ ୱାଙ୍ଗଚୁକ ପ୍ରଶ୍ନ କରିଥିଲେ। ଉଦାହରଣ ଦେଇ ସେ ଦର୍ଶାଇଥିଲେ, ‘‘ଯେତେବେଳେ ଲଦାଖରେ ଜଣେ ଲୋକ ଦୈନିକ ୫ ଲିଟର ପାଣି ବ୍ୟବହାର କରିବାକୁ ପାଉନାହିଁ, ସେତିକିବେଳେ ଆପଣମାନେ ଏକାଧିକ ଗାଡି ଓ ଅତ୍ୟଧିକ ପୋଷାକ ଧୋଇବାକୁ ଦୈନିକ ପ୍ରାୟ ୧୦୦ ଲିଟରରୁ ଅଧିକ ପାଣିକୁ ବ୍ୟବହାର ନାଁରେ ଅପଚୟ କରୁଛନ୍ତି। ଏସବୁ ଦିଗ ପ୍ରତି ଧ୍ୟାନଦେବା ଆବଶ୍ୟକ।’’ ସେ କହିଥିଲେ, ପିର୍‌ପଞ୍ଜାଲ, ଲଦାଖ ଓ ହିମାଳୟର ଅନ୍ୟାନ୍ୟ ସ୍ଥାନରେ ରହିଥିବା ବରଫ ଯେପରି ତରଳିବାକୁ ଆରମ୍ଭ କଲାଣି, ଯଦି ସ୍ଥିତି ଜାରିରହେ ତେବେ ନିକଟ ଭବିଷ୍ୟତରେ ଭୟାନକ ବିପଦ ଆସିଯିବ। ହିମବାହ ବରଫ ଉପରେ କଳା ଅଙ୍ଗାରକ (ବ୍ଲାକ୍‌ କାର୍ବନ) ସ୍ପଷ୍ଟ ପ୍ରତୀୟମାନ ହେଉଛି। ଏସବୁର ନିୟନ୍ତ୍ରଣ ପାଇଁ ଆଜିବି କୌଣସି ନୀତି ନିୟମ ବା କାର୍ଯ୍ୟକ୍ରମ ପରିଚାଳନା ହେଉନାହିଁ। ଲଦାଖ ହେଉଛି ବିଶ୍ୱର ‘ତୃତୀୟ ମେରୁ’ (ଥାର୍ଡ଼ ପୋଲ୍‌) ଏବଂ ଏସିଆ ମହାଦେଶର ଥର୍ମୋମିଟର। ଯଦି ସେଠାକର ଭଙ୍ଗୁର ପରିବେଶ ପ୍ରତି ସାମାନ୍ୟ ବିପଦ ସୃଷ୍ଟିହୁଏ, ତେବେ ଏସିଆ ମହାଦେଶ ସହିତ ସମଗ୍ର ବିଶ୍ୱର ୨୪୦ ନିୟୁତ ଲୋକଙ୍କର ଜୀବନଜୀବିକା ବିପନ୍ନ ହୋଇଯିବ ବୋଲି ଶ୍ରୀ ୱାଙ୍ଗ୍‌ଚୁକ୍‌ ଚେତାଇଦେଇଥିଲେ।

ଓଡ଼ିଶା ସଂପର୍କରେ ସେ କହିଥିଲେ, ‘‘ଏ ରାଜ୍ୟ ସହିତ ମୋର ସମ୍ପର୍କ ଅତି ଘନିଷ୍ଠ। ଗତ କିଛିବର୍ଷ ମଧ୍ୟରେ ଏଠାରେ ଯେପରି ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ସମଗ୍ର ଦେଶରେ ରେକର୍ଡ କଲାଣି, ଏସବୁ ଜାରି ରହିଲେ ଏହା ଆଗାମୀ ଦିନରେ ଓଡ଼ିଶାର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ।’’ ତେଣୁ ପରିବେଶ ସୁରକ୍ଷା ପ୍ରତି ସଚେତନ ହୋଇ କାର୍ଯ୍ୟକରିବାକୁ ସେ ଅନୁରୋଧ କରିଥିଲେ। ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା, ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ଡ. ବିଶ୍ୱଜିତ, ରବି ଦାସ, ସୁଧୀର ପଟ୍ଟନାୟକ ତଥା ଲୋହିଆ ଏକାଡେମୀର ସମ୍ପାଦକ ଦେବୀ ପ୍ରସାଦ ରାୟମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ଏକାଧିକ ସଂଗଠନ ପକ୍ଷରୁ ମଧ୍ୟ ଶ୍ରୀ ୱାଙ୍ଗ୍‌ଚୁକ୍‌ଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର