ଜାତୀୟ ରାଜପଥ ନେଇ ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ୍‌

ଶବ ଉପରେ ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ନେଇ ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍‌ କରିଛି ବିଜେଡି। ଅନୁଗୁଳ ସହର ଉପକଣ୍ଠରେ ଆଜି ଏକ ସଡ଼କ ଦୁର୍ଘଟଣାରେ ରାଜପଥରେ ୩ ଜଣଙ୍କ ଜୀବନ ଯାଇଥିଲା‌ ବେଳେ ଏହି ଦୁର୍ଘଟଣା ପାଇଁ ଧର୍ମେନ୍ଦ୍ରଙ୍କୁ ଦାୟୀ କରିଛି ଦଳ। ଧର୍ମେନ୍ଦ୍ର ଶବ ଉପରେ ରାଜନୀତି କରୁଛନ୍ତି ବୋଲି ବିଜେଡି ପକ୍ଷରୁ ପ୍ରେସ୍‌ ବିବୃତିରେ କୁହାଯାଇଛି। ଅନୁଗୁଳ ‌ସହର ଦେଇ ଯାଇଥିବା ଜାତୀୟ ରାଜପଥ ଅତି କଦର୍ଯ୍ୟ ହୋଇପଡ଼ିଛି। ଏହାର ମରାମତି କାମ ଚାଲିଛି ଯେ ଶେଷ ହେଉନି। ଆଜି ସହର ଉପକଣ୍ଠ ପଞ୍ଚମହଲାରେ ଦୁର୍ଘଟଣା ଘଟି ଛେଣ୍ଡିପଦା ବିଧାନସଭା କ୍ଷେତ୍ର ଅଧୀନରେ ଥିବା ଡେରେଜାଙ୍ଗ ଗାଁର ୩ ଜଣଙ୍କ ମୃତ୍ୟୁ ହୋଇଛି।

ଜାତୀୟ ରାଜପଥ ମରାମତି ଶେଷ ନ ହେବାରୁ ଏହି ଦୁର୍ଘଟଣା ଘଟିଥିବା ବିଜେଡି ଅଭିଯୋଗ କରିଛି। କେନ୍ଦ୍ର ସରକାର ଦେଶର ବିକାଶ କରୁଥିବା କହୁଥିଲା ବେଳେ ୫୫ ନମ୍ବର ଜାତୀୟ ରାଜପଥ କାମ ସାରି ନପାରିବା କେଉଁ ପ୍ରକାର ବିକାଶ ବୋଲି ଦଳ ପକ୍ଷରୁ କୁହାଯାଇଛି। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା କହିଛନ୍ତି, ଧର୍ମେନ୍ଦ୍ର ଏ ମାଟିର ପୁଅ। କିନ୍ତୁ ନିଜ ମାଟି ପାଇଁ କ’ଣ କରିଛନ୍ତି ତାହା ଏହି ଜାତୀୟ ରାଜପଥ ପ୍ରମାଣ ଦେଉଛି। ବିଜେଡି ନେତା କୁନ ବିହାରୀ ଦାସ କହିଛନ୍ତି, ଏଠାରେ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ଲୋକଙ୍କ ବାରମ୍ବାର ଦାବି କେମିତି ତାଙ୍କୁ ଶୁଭୁନି ତାହା ଆଶ୍ଚର୍ଯ୍ୟ କରୁଛି। ‌ଶୋଚନୀୟ ରାସ୍ତା ପାଇଁ ଅକାଳରେ ଜୀବନ ହାରୁଥିବା ଲୋକଙ୍କ ମୃତ୍ୟୁ ପାଇଁ କେନ୍ଦ୍ରମନ୍ତ୍ରୀ ନିଜେ ନୈତିକ ଦାୟିତ୍ବ ନିଅନ୍ତୁ ବୋଲି ସେ ଆହ୍ବାନ ଦେବା ସହ ଆଉ କେତେ ମୁଣ୍ଡ ଗଡ଼ିଲେ ଧର୍ମେନ୍ଦ୍ର ଚେତିବେ ବୋଲି ପ୍ରଶ୍ନ କହିଛନ୍ତି। ଏହାସହିତ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଜାତୀୟ ରାଜପଥକୁ ଓଡ଼ିଶା ସରକାରଙ୍କ ବିଜୁ ଏକ୍ସପ୍ରେସ୍‌ ୱେ ସହ ତୁଳନା କରିଛନ୍ତି। ଅପରପକ୍ଷରେ ରାସ୍ତା ଅବସ୍ଥା ପାଇଁ ବିଜେଡି ନେତ୍ରୀ ତଥା ଅନୁଗୁଳ ବିଧାନସଭା ବିଧାୟକ ପ୍ରାର୍ଥୀ ସଂଯୁକ୍ତା ସିଂହ ସିଧାସଳଖ ଧର୍ମେନ୍ଦ୍ରଙ୍କୁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର