ସବୁ ଯୋଜନା ପରେ ବି ଜଳୁଛି ଶିମିଳିପାଳ: ନିଆଁ ଲିଭାଇ ପାରୁନାହାନ୍ତି ୧୦୦୦ କର୍ମଚାରୀ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ରୋକିବା ନେଇ ବନ ବିଭାଗର ସମସ୍ତ ଯୋଜନା ଫେଲ୍ ମାରିଛି। ନିୟୋଜିତ ଏକ ହଜାର କର୍ମଚାରୀ ନିଆଁ ଲିଭାଇବାକୁ ବାଟ ପାଉନାହାନ୍ତି। ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନିଆଁ ବ୍ୟାପୁଛି। ଯେତିକି ଲିଭୁଛି ତା’ଠାରୁ ଅଧିକ ଜଳୁଛି ଜଙ୍ଗଲ। ଗତ ୩ ଦିନରେ ଶିମିଳିପାଳର ୧୦୦ରୁ ଊର୍ଦ୍ଧ୍ବ ସ୍ଥାନ‌ରେ ନିଆଁ ଲାଗିଥିବା ବେଳେ ୩୫ଟି ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇପାରିଛି। ବିଶେଷ କରି ଶିମିଳିପାଳ ଉତ୍ତର ଓ ଦକ୍ଷିଣ ଡିଭିଜନ୍‌ରେ ନିଆଁ ଲାଗୁଥିବା ବନ ବିଭାଗ କହିଛି। ଦୁଇ ସପ୍ତାହ ହେଲା ମୟୂରଭଞ୍ଜରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

ସଂପ୍ରତି ତାପମାତ୍ରା ୪୩ ଡିଗ୍ରି ଉପରେ ରହୁଛି। ଆଉ ସପ୍ତାହେ ଧରି ପ୍ରବଳ ଖରା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ବି ଜାରି ହୋଇଛି। ତେଣୁ ଆଗାମୀ ସପ୍ତାହରେ ଶିମିଳିପାଳରେ ଅଧିକ ସ୍ଥାନରେ ନିଆଁ ଲାଗିବାର ଆଶଙ୍କା ରହିଛି। ଏମିତି ସମୟରେ ନିୟୋଜିତ ବନ କର୍ମଚାରୀ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ବନାଗ୍ନି ନିୟନ୍ତ୍ରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏନେଇ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶଚାନ୍ଦ ଗୋଗିନାନୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ତାଙ୍କ କହିବା କଥା ହେଲା, ନିଆଁକୁ ଆୟତ୍ତ କରିବା ନିମନ୍ତେ ସବୁ ପ୍ରକାର ଉଦ୍ୟମ କରାଯାଉଛି। ଆବଶ୍ୟକ ହେଲେ ଅଧିକ କର୍ମଚାରୀ ନିୟୋଜିତ ହେବେ। ନିଆଁ ଲିଭାଇବାରେ ଆମେ ଜଙ୍ଗଲ ପାଖ ଗ୍ରାମବାସୀଙ୍କ ସହଯୋଗ କାମନା କରୁଛୁ।

ସମ୍ବନ୍ଧିତ ଖବର