ଟ୍ରକ୍‌ ଧକ୍କାରେ ୩ ଜଣଙ୍କ ଜୀବନ ଗଲା: ଜାତୀୟ ରାଜପଥ ୫୫ରେ ପୁଣି ମର୍ମନ୍ତୁଦ ଦୁର୍ଘଟଣା

ଅନୁଗୁଳ: ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ। ଏଥିରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଆଜି ସକାଳେ ପୁଣି ମୁଣ୍ଡ ଗଡ଼ିଛି। ଏକ ଟ୍ରକ୍‌ ଧକ୍କାରେ ଗୋଟିଏ ଗାଁର ତିନିଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ସେମାନେ ହେଉଛନ୍ତି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଡେରେଜାଙ୍ଗ ଗାଁର କୃପାସିନ୍ଧୁ ଦେହୁରୀ(୪୩), ରାଜେନ୍ଦ୍ର ପ୍ରଧାନ(୨୨) ଓ ସୁବ୍ରତ ପ୍ରଧାନ (୧୬)। ଅନୁଗୁଳ ସଦର ଥାନା ପଞ୍ଚମହଲାଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୃତକଙ୍କ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ଡେରେଜାଙ୍ଗ ଗାଁର କୃପାସିନ୍ଧୁ ଓ ରାଜେନ୍ଦ୍ର ଅନୁଗୁଳ ବଜାରରେ ମାଛ ବ୍ୟବସାୟ କରୁଥିଲେ। ସେ ଦୁହେଁ ଆଜି ସକାଳ ପ୍ରାୟ ୬ଟା ବେଳେ ବ୍ୟବସାୟ କରିବାକୁ ଅନୁଗୁଳ ମାଛ ମାର୍କେଟକୁ ଏକ ବାଇକ୍‌ରେ ବାହାରିଥିଲେ। ଗାଁର ସୁବ୍ରତ ପ୍ରଧାନ ନିକଟରେ ମ‌ାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ସେ ଯୁକ୍ତଦୁଇ ବିଜ୍ଞାନ ପଢ଼ିବାକୁ ପ୍ରସ୍ତୁତ ହେଉଥି‌ଲେ। ଏଥିପାଇଁ ଅନୁଗୁଳ ସହରର ଏକ ଘରୋଇ କୋଚିଂ ସେଣ୍ଟର୍‌ରେ ଟିଉନସ୍‌ ହେବା ପାଇଁ ଗାଁର ଏହି ଦୁଇ ଯୁବକଙ୍କ ବାଇକ୍‌ରେ ଲିଫ୍ଟ ମାଗି ଆସୁଥିଲେ। ସମ୍ବଲପୁର ଆଡ଼ୁ ଅନୁଗୁଳ ଯାଉଥିବା ଏକ ଟ୍ରକ୍‌ (ଏମ୍‌ପି-୦୯ଏଚ୍‌ଏଚ୍‌- ୮୨୭୬) ପଞ୍ଚମହଲା ନିକଟରେ ପଛରୁ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଟ୍ରକ୍‌ ଏହି ବାଇକ୍‌କୁ ପ୍ରାୟ ୨ ଶହ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଫଳରେ ଟ୍ରକ୍‌ ଚଳ ତଳେ ୩ ଜଣ ଯାକ ପେଷି ହୋଇଯାଇଥିଲେ। ଘଟଣାସ୍ଥଳରେ ସେମାନଙ୍କ ପ୍ରା‌ଣବାୟୁ ଉଡ଼ିଯାଇଯାଇଥିଲା। ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ଛିଣ୍ଡି ‌ରାସ୍ତାରେ ପଡ଼ିଥିବା ଦେଖାଯାଇଥିଲା। କ୍ଷତବିକ୍ଷତ ମୃତଦେହଗୁଡ଼ିକ ପରସ୍ପରଠାରୁ ୫୦ ମିଟର ଦୂରରେ ପଡ଼ିଥିଲା। ଟ୍ରକ୍‌ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଡେରେଜାଙ୍ଗ ଗ୍ରାମବାସୀ ‌ଓ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ବିଭିନ୍ନ ଦାବିରେ ରାସ୍ତା ଅବରୋଧ କରିଥିଲେ। ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିଲା।

ଏସ୍‌ଡିପିଓ ରମାକାନ୍ତ ମହାଳିକଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ, ଅନୁଗୁଳ ତହସିଲଦାର ଆଶିଷ ମହାପାତ୍ର ଦୁର୍ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ସାଢ଼େ ତିନି ଘଣ୍ଟା ରାସ୍ତା ଅବରୋଧ କରାଯିବା ପରେ ପୂର୍ବାହ୍ଣ ସାଢ଼େ ୯ଟାବେଳେ ମୃତଦେହ ୩ଟିକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଗାଁରେ ମୃତଦେହ ୩ଟି ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗୋଟିଏ ଜାଗାରେ ସଂସ୍କାର କରାଯାଇଥିଲା। ୫୫ ନମ୍ବର ଜାତୀୟରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନହାନି ହେଉଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର