ଗୁଗୁଲ୍‌ରେ ୨୦ ବର୍ଷ ପୂରଣ କଲେ ସୁନ୍ଦର ପିଚାଇ

ନୂଆଦିଲ୍ଲୀ: ଗୁଗୁଲ୍‌ର ସିଇଓ ପଦରେ କାର୍ଯ୍ୟରତ ଭାରତୀୟ ବଂଶୋଦ୍ଭବ ସୁନ୍ଦର ପିଚାଇଙ୍କ କାର୍ଯ୍ୟ କାଳ ୨୦ ବର୍ଷ ପୂରିଛି। ସେ ‘ଗୁଗୁଲ୍‌’ କମ୍ପାନିରେ ଦୁଇ ଦଶନ୍ଧି ପୂରଣ କରିବା ଅବସରରେ ସାମାଜିକ ଗଣମାଧ୍ୟମରେ ଏକ ଭାବପୂର୍ଣ୍ଣ ପୋଷ୍ଟ୍‌ କରିଛନ୍ତି। ସେ ଲେଖିଛନ୍ତି, ୨୦୦୪ ଏପ୍ରିଲ ୨୬ରେ ଗୁଗୁଲ୍‌ରେ ମୋର ପ୍ରଥମ ଦିନ ଥିଲା। ସେବେଠାରୁ ଅନେକ କିଛି ପରିବର୍ତ୍ତନ ହୋଇଛି- ପ୍ରଯୁକ୍ତି, ଆମର ଉତ୍ପାଦ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା….., ମୋର କେଶ। କିନ୍ତୁ ଯାହା ପରିବର୍ତ୍ତନ ହୋଇନାହିଁ ତାହା ହେଲା ଏହି ସୁନ୍ଦର କମ୍ପାନିରେ କାମ କରି ମୁଁ ପାଉଥିବା ରୋମାଞ୍ଚ।

୨୦ ବର୍ଷ ବିତିଛି, ତଥାପି ମୁଁ ଭାଗ୍ୟବାନ ଅନୁଭବ କରୁଛି ବୋଲି ପିଚାଇ ଲେଖିଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ୍‌ରେ କରିଥିବା ଏହି ପୋଷ୍ଟ ସହିତ ସେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଉକ୍ତ ଫଟୋରେ କେତୋଟି ବେଲୁନ ରହିଛି ଯେଉଁଥିରେ ଦୁଇଟି ବେଲୁନକୁ ବ୍ୟବହାର କରି ଇଂରାଜୀରେ ‌୨୦ ଲେଖାଯାଇଛି। କିଛି ଘଣ୍ଟା ମଧ୍ୟରେ ଉକ୍ତ ପୋଷ୍ଟକୁ ଲକ୍ଷାଧିକ ଲାଇକ୍‌ ମିଳିଛି। ଅନେକ ବ୍ୟକ୍ତି ମଜାଳିଆ ମତ ମଧ୍ୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୪ ମସିହାରେ ଗୁଗୁଲ୍‌ରେ ସୁନ୍ଦର ପିଚାଇ ଜଣେ ପ୍ରଡକ୍ଟ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ନିଜର ଦକ୍ଷତା ଓ ନିଷ୍ଠା ବଳରେ ସେ ଗୁଗୁଲ୍‌ର ସିଇଓ ଏବଂ ‘ଆଲଫାବେଟ୍‌’ର ନିର୍ଦ୍ଦେଶକ ବୋର୍ଡରେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର