ସମବାୟ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କ ଅଧିନକୁ ଆସିବ, ଅଧ୍ୟାଦେଶ ଆଣିବେ ସରକାର

ନୂଆଦିଲ୍ଲୀ : ଦେଶରେ ଥିବା କୋପରେଟିଭ ବା ସମବାୟ ବ୍ୟାଙ୍କ ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଅଧିନକୁ ଆଣିବାକୁ ସରକାର ଏକ ଅଧ୍ୟାଦେଶ ଆଣିବେ । ଏ ସଂପର୍କିତ ପ୍ରସ୍ତାବକୁ ବୁଧବାରଦିନ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି ।

କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି ଯେ ଦେଶରେ କାର୍ଯ୍ୟକରୁଥିବା ୧୪୮୨ଟି ଅର୍ବାନ କୋପରେଟିଭ ବ୍ୟାଙ୍କ ଓ ୫୮ଟି ମଲଟି-ଷ୍ଟେଟ କୋପରେଟିଭ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅଧିନକୁ ଅଣାଯିବ । ଏଥିଲାଗି ସରକାର ଖୁବଶୀଘ୍ର ଏକ ଅଧ୍ୟାଦେଶ ଜାରି କରିବେ । ରାଷ୍ଟ୍ରପତି ଏଥିରେ ସ୍ୱାକ୍ଷର କରିବାପରେ ଏହା ଲାଗୁ ହେବ ବୋଲି ସେ କହିଛନ୍ତି ।

ଗତ ବର୍ଷ ପଂଜାବ ଓ ମହାରାଷ୍ଟ୍ର କୋପରେଟିଭ ବ୍ୟାଙ୍କ (ପିଏମସି) ଦେବାଳିଆ ହେବା ପରେ ସରକାର ଗତ ଫେବ୍ରୁଆରି ମାସରେ ବ୍ୟାଙ୍କିଙ୍ଗ୍‌ ରେଗୁଲେସନ ଆଇନ ରେ ସଂଶୋଧନ କରିଥିଲେ । ଗତ ଫେବ୍ରୁଆରି ମାସରେ ଆସିଥିବା କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ ସମବାୟ ବ୍ୟାଙ୍କ ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଅଧିନକୁ ଆଣିବାକୁ ସରକାର ଏକ ଅଧ୍ୟାଦେଶ ଆଣିବେ ।

ଦେଶରେ କାର୍ଯ୍ୟକରୁଥିବା ୧୪୮୨ଟି ଅର୍ବାନ କୋପରେଟିଭ ବ୍ୟାଙ୍କ ଓ ୫୮ଟି ମଲଟି-ଷ୍ଟେଟ କୋପରେଟିଭ ବ୍ୟାଙ୍କର ମୋଟ ୮.୬ କୋଟି ଜମାକାରୀ ଅଛନ୍ତି । ସେମାନେ ମୋଟ ପ୍ରାୟ ୪.୮୪ ଲକ୍ଷ କୋଟି ଜମା ରଖିଛନ୍ତି ।

ସମ୍ବନ୍ଧିତ ଖବର