ଦୁର୍ନୀତି ଅଭିଯୋଗ: ରୋଲ୍‌ସ ରଏସ୍‌ ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ: ବ୍ରିଟେନ୍‌ର ପ୍ରତିରକ୍ଷା କଂପାନି ରୋଲ୍‌ସ ରଏସ୍‌ ଓ ଏହାର କିଛି ଅଧିକାରୀଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି। ୨୪ ହକ୍ ଓ ୧୧୫ ଆଡ୍‌ଭାନ୍ସଡ୍‌ ଟ୍ରେନର୍‌ ବିମାନ କିଣାରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି। ରୋଲ୍‌ସ ରଏସ୍‌ ଇଣ୍ଡିଆର ନିର୍ଦେଶକ ଟିମ୍ ଜୋନ୍‌ସ, ଅସ୍ତ୍ର ଡିଲର ସୁଧୀର ଚୌଧୁରୀ, ଭାନୁ ଚୌଧୁରୀ ଓ ବ୍ରିଟିଶ ଏରୋସ୍ପେସ୍ ସିଷ୍ଟମ୍‌ସ ମଧ୍ୟ ଏହି ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ ରହିଛି। ଏମାନଙ୍କ ବ୍ୟତୀତ ସିବିଆଇ ଏଫ୍‌ଆଇଆର୍‌ରେ କିଛି ଅଜଣା ସରକାରୀ ଓ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ନାମ ମଧ୍ୟ ରହିଛି। ସମସ୍ତଙ୍କ ବିରୋଧରେ ଭାରତ ସରକାରଙ୍କ ସହ ଜାଲିଆତି କରିଥିବା ଅଭିଯୋଗ ରହିଛି।

ସିବିଆଇ ମାମଲା ରୁଜୁ କରିଥିବାରୁ ଖୁବ୍‌ଶୀଘ୍ର ଏହି ଅଭିଯୁକ୍ତମାନଙ୍କୁ ନୋଟିସ୍‌ ଜାରି କରି ପଚରାଉଚୁରା କରାଯିବ। ସିବିଆଇ ଅନୁସାରେ, ନିଜ କ୍ଷମତାର ଅପବ୍ୟବହାର କରି ୨୪ଟି ହକ୍ ଓ ୧୧୫ ଆଡ୍‌ଭାନ୍ସଡ୍ ଜେଟ୍ ଟ୍ରେନରକୁ ୭୩୪ ନିୟୁତ ପାଉଣ୍ଡ୍‌ରେ କିଣିବା ପ୍ରସ୍ତାବକୁ ମଞ୍ଜୁର କରିବା ସହ ତାହା କିଣିଥିଲେ। ୨୦୧୬ରେ ଏହାକୁ ନେଇ ସିବିଆଇ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା। ଏବେ ତାହାକୁ ନିୟମିତ ମାମଲାରେ ପରିଣତ କରାଯାଇଛି। ୨୦୦୩ରେ ୬୬ ହକ୍ ଓ ୧୧୫ ବିମାନ କିଣିବା ପ୍ରସ୍ତାବକୁ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମଞ୍ଜୁରି ପ୍ରଦାନ କରିଥିଲେ। ଏହା ବ୍ୟତୀତ ଦୀର୍ଘମିଆଦୀ ଉତ୍ପାଦ ସହାୟତା ଲାଗି ଭାରତ ଓ ବ୍ରିଟିସ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିଲା। ୨୪ ହକ୍ ବିମାନ ପ୍ରଦାନ କରିବା ଏବଂ ୪୨ଟି ବିମାନ ଲାଗି ପ୍ରଯୁକ୍ତି ହସ୍ତାନ୍ତର କରିବା ପାଇଁ ୨୦୦୪ ମାର୍ଚ୍ଚରେ ରୋଲ୍‌ସ ରଏସ୍‌ ସହ ଦୁଇଟି ଚୁକ୍ତି ସ୍ବାକ୍ଷର ହୋଇଥିଲା। ୨୦୧୨ରେ ରୋଲ୍‌ସ ରଏସ୍‌ ବିରୋଧରେ ବ୍ରିଟେନ୍‌ର ଗମ୍ଭର ଠକେଇ କାର୍ଯ୍ୟାଳୟ ଜାରି କରିଥିବା ରିପୋର୍ଟରେ କଂପାନି ଭାରତ ସମେତ ବିଭିନ୍ନ ଦେଶରେ ପ୍ରକଳ୍ପ ହାସଲ କରିବା ଲାଗି ଲାଞ୍ଚ ଦେଇଥିବା ଦାବି କରାଯାଇଥିଲା। ଦଲାଲ ଓ ଟିକସ ଅଧିକାରୀମାନଙ୍କୁ କଂପାନି ଲାଞ୍ଚ ଦେଇଥିଲା।

ସମ୍ବନ୍ଧିତ ଖବର