ଆଉ ଏକ ବିଦ୍ୟୁତ୍ ଦର କେଳେଙ୍କାରୀ, ରହସ୍ୟ ଖୋଲୁଛି କୋଇଲା
ଭୁବନେଶ୍ବର : ଯେଉଁ ନିୟମ ବଳରେ ସୁନ୍ଦରଗଡ଼ର ଏନ୍ଟିପିସି ଦର୍ଲିପାଲି ବିଦ୍ୟୁତ୍ କେନ୍ଦ୍ରକୁ ଡୁଲିଙ୍ଗା ଖଣିରୁ କୋଇଲା ଯୋଗାଇ ଦିଆଯାଇଛି, ଠିକ୍ ସେହି ନିୟମରେ ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟ୍କୁ କୋଇଲା ମନୋହରପୁର ଖଣିରୁ ଆସୁଛି। ଅଥଚ ମନୋହରପୁର କୋଇଲା ଖଣିରୁ ଉତ୍ତୋଳିତ କୋଇଲା ମୂଲ୍ୟ ଡୁଲିଙ୍ଗା କୋଇଲା ଖଣିରୁ ଉତ୍ତୋଳିତ ମୂଲ୍ୟ ଠାରୁ ୭୪୭ ଟଙ୍କା ୫୮ ପଇସା ଅଧିକ ରହିବ କେମିତି?
Sambad is now on WhatsApp
Join and get latest news updates delivered to you via WhatsApp
ସର୍ବୋପରି ଏନ୍ଟିପିସି ତାଳଚେର ଶସ୍ତାରେ ତାମିଲନାଡ଼ୁକୁ ବିଜୁଳି ଯୋଗାଉଥିବା ପ୍ରସଙ୍ଗରେ ଓଇଆର୍ସି କାହିଁକି ନିରବ ରହିଛନ୍ତି? ଓପିଜିସିର ମହଙ୍ଗା ବିଦ୍ୟୁତ୍ ପ୍ରତି ଆୟୋଗ ଏବଂ ସରକାର କାହା ସ୍ବାର୍ଥରେ ଆଖିବୁଜି ଦେଇଛନ୍ତି?
ଏନ୍ଟିପିସିକୁ ଶସ୍ତା, ଓପିଜିସି ପାଇଁ ମହଙ୍ଗା
ଉପଭୋକ୍ତାଙ୍କ ପାଇଁ ବୋଝ ଓସିପିଏଲ୍
ଓଇଆର୍ସିଙ୍କ ଆଖିବୁଜା ମଞ୍ଜୁରି, ସରକାର ନିରବ
ଏଭଳି ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ରାଜ୍ୟରେ ବିଦ୍ୟୁତ୍ ବ୍ୟବସ୍ଥାରେ ଆଉ ଏକ ବଡ଼ କେଳେଙ୍କାରୀ ସାମ୍ନାକୁ ଆସିଛି। ଖୋଳତାଡ଼ ବେଳେ ଜଣାପଡ଼ିଛି ଯେ କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ ୨୦୦୩ର ଧାରା ୬୧(କ)କୁ ଅସାଧୁ ତତ୍ତ୍ବ ମିଳିମିଶି ଦଳିଚକଟି ଦେଇଛନ୍ତି। କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ ଆୟୋଗ ଦ୍ବାରା ପ୍ରଣୀତ କୋଇଲା ମୂଲ୍ୟ ନିର୍ଣ୍ଣୟ ପଦ୍ଧତିକୁ ମଧ୍ୟ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି) ଦ୍ବାରା ଖୋଲା ଉଲ୍ଲଂଘନ କରାଯାଇଛି। ଏମିତି ପେଞ୍ଚ ହୋଇଛି, ଯେଉଁଥିରେ କୋଇଲା ଉତ୍ତୋଳନ ମୂଲ୍ୟ ପାଖାପାଖି ୭୦ ପ୍ରତିଶତ ମହଙ୍ଗା ହୋଇଯାଇଛି।
ସର୍ବୋପରି ମନୋହାରପୁର କୋଇଲା ଖଣି ପରିଚାଳନା କରୁଥିବା ଓଡ଼ିଶା କୋଲ୍ ଆଣ୍ଡ ପାୱାର ( ଓସିପିଏଲ୍)ର କାରସାଦି ମଧ୍ୟ କିଛି କମ୍ ନାହିଁ। ଏହି ସଂସ୍ଥାର ଲାଭଜନକ ମନୋଭାବ ମଧ୍ୟ ସରକାରୀ ସଂସ୍ଥା ଓପିଜିସିର ବିଦ୍ୟୁତ ଉତ୍ପାଦନ ମୂଲ୍ୟ ବୃଦ୍ଧି ପଛର ଅନ୍ୟତମ କାରଣ। ମାତ୍ର ଏସବୁ ପ୍ରତି ନା ଓଇଆର୍ସିର ପରବାୟ ଅଛି ନା ରାଜ୍ୟ ସରକାରଙ୍କର।
ଅନୁସନ୍ଧାନ ବେଳେ ଜଣାପଡ଼ିଛି, କୋଇଲା ଖଣି ଆବଣ୍ଟନରେ ଅନୁସୃତ ପଦ୍ଧତିରେ ଦେଶ ୧ ଲକ୍ଷ ୮୬ହଜାର କୋଟି ଟଙ୍କାର ରାଜସ୍ବ ହରାଇଛି ବୋଲି ତତ୍କାଳୀନ ସିଏଜି ବିନୋଦ ରାୟ ଆପତ୍ତି ଉଠାଇଥିଲେ। ଏହାକୁ କେନ୍ଦ୍ର କରି ସୁପ୍ରିମ୍ କୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ୨୦୧୪ ଅଗଷ୍ଟରେ ଦେଇଥିବା ରାୟ ଆଧାରରେ ସରକାର ୨୦୪ କୋଇଲା ଖଣିର ଲିଜ୍ ରଦ୍ଦ କରିଥିଲେ। ଏଥିସହ କୋଇଲା ଖଣି ଆବଣ୍ଟନ ପାଇଁ ନୂଆ ଆଇନ ଆସିଥିଲା। ସେହି ସ୍ବତନ୍ତ୍ର ଆଇନରେ (coal mines special provision act) ଜନସାଧାରଣଙ୍କ ସ୍ବାର୍ଥ ଓ ପରିବେଶକୁ ଗୁରୁତ୍ବ ଦେଇ ସରକାରୀ ଉଦ୍ୟୋଗଗୁଡ଼ିକର ନିଜସ୍ବ ଉପଯୋଗ ଲାଗି କୋଇଲା ଖଣି ଆବଣ୍ଟନ କରାଯାଇଥିଲା। ସେଥିରେ ପ୍ରମୁଖ ସର୍ତ୍ତ ଥିଲା, ଆବଣ୍ଟିତ କୋଇଲା ଖଣିକୁ ବ୍ୟାବସାୟିକ ଲାଭ ଲକ୍ଷ୍ୟରେ ଉପଯୋଗ କରାଯାଇ ପାରିବ ନାହିଁ। ବରଂ ତାହାର ମୂଲ୍ୟଯୁକ୍ତ ଉପଯୋଗର ଫାଇଦାରେ ଉପଭୋକ୍ତା ଅଂଶୀଦାର ହେବେ।
ସେହି ସର୍ତ୍ତରେ ଏନ୍ଟିପିସି ସୁନ୍ଦରଗଡ଼ ଜିଲ୍ଲା ଡୁଲିଙ୍ଗା ଖଣି ପାଇଥିଲା ଏବଂ ଟନ୍ ପିଛା ୧୦୩୯ ଟଙ୍କା ୧୦ ପଇସା ଖର୍ଚ୍ଚରେ (ଇନ୍ପୁଟ୍ ବ୍ୟୟ) ଦର୍ଲିପାଲିସ୍ଥିତ ତାପଜ ବିଦ୍ୟୁତ କେନ୍ଦ୍ରକୁ କୋଇଲା ଆସୁଛି। ହେଲେ ଯେଉଁ ପ୍ରସଙ୍ଗଟି ଏବେ ଓଡ଼ିଶାବାସୀଙ୍କ ସ୍ବାର୍ଥ ପରିପନ୍ଥୀ ବୋଲି ଅନୁସନ୍ଧାନ ବେଳେ ଜଣାପଡ଼ିଛି, ତାହା ହେଲା ସମାନ ସର୍ତ୍ତରେ ଓପିଜିସିକୁ ମନୋହରପୁର ଖଣି ମିଳିଥିଲା। ଓଡ଼ିଶା କୋଲ୍ ଆଣ୍ଡ ପାୱାର (ଓସିପିଏଲ୍) ପରିଚାଳନାରେ ଏହି ସଂସ୍ଥାକୁ କୋଇଲା ଯୋଗାଇ ଦିଆଯାଉଛି। ଏଠାକୁ ଆସୁଥିବା କୋଇଲା ପାଇଁ ଲଗାଣ ବ୍ୟୟ ବା ଇନ୍ପୁଟ ଖର୍ଚ୍ଚ ଟନ୍ ପିଛା ୧୭୮୬ ଟଙ୍କା ୬୮ ପଇସା ହିସାବ କରାଯାଉଛି, ଯାହା ଅଯୌକ୍ତିକ।
ଶକ୍ତି ବିଶେଷଜ୍ଞଙ୍କ ଯୁକ୍ତି ହେଉଛି, ସରକାରଙ୍କ ଦୂରଦୃଷ୍ଟିହୀନ ନିଷ୍ପତ୍ତି ଯୋଗୁଁ ଶତ ପ୍ରତିଶତ ସରକାରୀ ସଂସ୍ଥା ଓପିଜିସିର ନିଜସ୍ବ ଖଣି ଥିବା ସତ୍ତ୍ବେ କୋଇଲା ଟନ୍ ପିଛା ଅଧିକ ୭୪୮ ଟଙ୍କା ଅଧିକ ପୈଠ କରିବାକୁ ପଡୁଛି। ଏହି ଅଧିକ ଖର୍ଚ୍ଚଟି ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରକୁ ଯାଉଥିବା କାରଣରୁ, ଏହି ଅଯଥା ବର୍ଦ୍ଧିତ ଖର୍ଚ୍ଚର କାରଣ-ନିରାକରଣ ତର୍ଜମାସାପେକ୍ଷ।
କୋଇଲା ଉତ୍ତୋଳନ ଏବଂ ତାହାର ରେଳ ବୋେଝଇ ପର୍ଯ୍ୟନ୍ତ ଚୁକ୍ତିବଦ୍ଧ ଘରୋଇ ସଂସ୍ଥା ବିଜିଆର୍ ମାଇନ୍ସକୁ ଟନ୍ ପିଛା ୩୯୯ ଟଙ୍କା ଦିଆଯାଉଛି। ଓସିପିଏଲ୍ର ପ୍ରଶାସନିକ ତଥା ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇଲେ ଟନ୍ ପ୍ରତି ଏକକାଳୀନ ଖର୍ଚ୍ଚ ୪୫୦ ଟଙ୍କା ଟପିବ ନାହିଁ। ହେଲେ ଓଡ଼ିଶାରେ କୋଇଲା ଉତ୍ତୋଳନର ବାସ୍ତବ ଖର୍ଚ୍ଚକୁ ତୁଳନା ନକରି ଓସିପିଏଲ୍ ନିରାଧାର ଭାବେ କୋଲ୍ ଇଣ୍ଡିଆ ଦ୍ବାରା ଧାର୍ଯ୍ୟ ଇନ୍ପୁଟ ଖର୍ଚ୍ଚ ଟନ୍ ପିଛା ୭୫୮ ଟଙ୍କା ହିସାବ ଯୋଡୁଛି। ଫଳରେ ରୟାଲ୍ଟି ଦେୟ ୬୩ ଟଙ୍କା ବଦଳରେ ୧୦୬ ଟଙ୍କା ୧୨ ପଇସା ଏବଂ ଜାତୀୟ ଖଣିଜ ଅନୁସନ୍ଧାନ ଟିକସ ୧ ଟଙ୍କା ୨୬ ପଇସା ବଦଳରେ ୨ ଟଙ୍କା ୧୨ ପଇସାକୁ ଅଯଥାରେ ବୃଦ୍ଧି ପାଉଛି।
ପୁନଶ୍ଚ ନିଜ ନାମରେ ଆବଣ୍ଟିତ ଖଣିକୁ ଓପିଜିସି ନିଜେ ପରିଚାଳନା ନକରି ଓସିପିଏଲ୍କୁ ହସ୍ତାନ୍ତର କରିବା ଓ ପରିଶେଷରେ ଘରୋଇ ସଂସ୍ଥା ବିଜିଆର୍ ମାଇନ୍ସ ଦ୍ବାରା ତାହା ପରିଚାଳିତ ହେଉଥିବାରୁ ବର୍ଦ୍ଧିତ ମୂଳ ବ୍ୟୟ ଆଧାରରେ କୋଇଲା ଟନ୍ ପିଛା ଜିଏସ୍ଟି ୪୨ ଟଙ୍କା ୫୮ ପଇସା ବଦଳରେ ୬୦ ଟଙ୍କା ୩୯ ପଇସାକୁ ବୃଦ୍ଧିପାଇଛି। କେବଳ ସେତିକି ନୁହେଁ, ଗ୍ରିନ୍ ସେସ୍ ବାବଦରେ ୪୦୦ ଟଙ୍କା ଗଣିବାକୁ ପଡୁଛି।
ମାତ୍ର ଡୁଲିଙ୍ଗା ଖଣିକୁ ପ୍ରତ୍ୟକ୍ଷ ପରିଚାଳନା କରୁଥିବା ଏନ୍ଟିପିସି କ୍ଷେତ୍ରରେ ଗ୍ରିନ୍ ସେସ୍, ଜିଏସ୍ଟି ସମେତ ଆୟ କର ଭଳି ବିଭିନ୍ନ ଅତିରିକ୍ତ ବ୍ୟୟ ଇନ୍ପୁଟ ଖର୍ଚ୍ଚକୁ ଆସୁନାହିଁ। ଯଦି ମନୋହରପୁର ଖଣି ଓପିଜିସିର ପ୍ରତ୍ୟକ୍ଷ ପରିଚାଳନାରେ ରହନ୍ତା, ତେବେ କୋଇଲା ଉତ୍ତୋଳନରୁ ଯୋଗାଣ ଯାଏ ଅତିରିକ୍ତ ଜିଏସ୍ଟି କିମ୍ବା ଗ୍ରିନ୍ ସେସ୍ ଗଣିବାକୁ ପଡ଼ନ୍ତା ନାହିଁ।
ଅନ୍ୟ ପକ୍ଷରେ କେନ୍ଦ୍ରର ସ୍ବତନ୍ତ୍ର ଆଇନ, ୨୦୧୫ (ସିଏମ୍ଏସ୍ପି ଆଇନ)କୁ ଉଲ୍ଲଂଘନ କରି ଓସିପିଏଲ୍ ୨୦୨୧-୨୨ ଓ ୨୦୨୨-୨୩ରେ ଯଥାକ୍ରମେ ୧୪୬ କୋଟି ଓ ୩୩୩ କୋଟି ୩୩ ଲକ୍ଷ ଟଙ୍କା ଲାଭ ଦେଖାଇଥିବାରୁ ମୂଳ ସଂସ୍ଥା ଓପିଜିସିକୁ ଅଯଥାରେ ୨୫୦ ଟଙ୍କାର ଆୟକର ପୈଠ କରିବାକୁ ପଡ଼ିଛି।ଏହା କୋଇଲାର ମୂଲ୍ୟ ବୃଦ୍ଧିରେ ଅନ୍ୟତମ ସହାୟକ ହୋଇଛି। ସରଳ ଭାବରେ କହିଲେ, ଓପିଜିସି ଯଦି ଏନ୍ଟିପିସି ଭଳି ପ୍ରତ୍ୟକ୍ଷ ଭାବେ ମନୋହରପୁର ଖଣି ପରିଚାଳନା କରେ ତେବେ କୋଇଲା ଟନ୍ ପିଛା ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା କମିଯିବ। ଏମିତି ସ୍ଥିତିରେ ଓପିଜିସିର ବିଦ୍ୟୁତ ଉତ୍ପାଦନ ମୂଲ୍ୟ ୟୁନିଟ୍ ପିଛା ୫୦ ପଇସାରୁ ଅଧିକ କମିବ ଓ ଉପଭୋକ୍ତାମାନେ ଉପକୃତ ହୋଇପାରିବେ।
ସୂଚନାଯୋଗ୍ୟ ଯେ ଓପିଜିସିର ଦ୍ବିତୀୟ ଓ ତୃତୀୟ ସମ୍ପ୍ରସାରଣ (ଷ୍ଟେଜ୍-୨ ଓ ୩)ର କୋଇଲା ଚାହିଦା ପୂରଣ ନିମନ୍ତେ କେନ୍ଦ୍ର ସରକାର ସ୍ବତନ୍ତ୍ର ଆଇନ ଆଧାରରେ ମନୋହରପୁର କୋଇଲା ବ୍ଲକ୍ ଆବଣ୍ଟନ କରିଥିଲେ। ସେତେବେଳେ ଆମେରିକୀୟ କମ୍ପାନି ଏଇଏସ୍ର ୪୯% ଅଂଶଧନ ଥିଲା। ଅାଇନ ଅନୁଯାୟୀ ସେତେବେଳେ ସରକାରୀ ନିଗମ ଓପିଜିସିର ୭୪% ଅଂଶଧନ ନଥିବାରୁ ଓପିଜିସିର ସହଯୋଗୀ ସଂସ୍ଥା ଭାବେ ଓସିପିଏଲ୍ ଗଠନ କରାଯାଇଥିଲା। ଇତିମଧ୍ୟରେ ଏଇଏସ୍ ନିଜ ଅଂଶଧନ ପ୍ରତ୍ୟାହାର କରିଥିବାରୁ ଓପିଜିସି ଏବେ ଶତ ପ୍ରତିଶତ ସରକାରୀ ସଂସ୍ଥା। ଏଭଳି ପରିପ୍ରେକ୍ଷୀରେ ଓଇଆର୍ସି ଏବେ ଓସିପିଏଲ୍ ଭଳି ସଂସ୍ଥାର ଯଥାର୍ଥତା ସମ୍ପର୍କରେ ଗଭୀର ଭାବେ ଚିନ୍ତା କରିବା ଜରୁରି ହୋଇପଡ଼ିଛି। ଅର୍ଥାତ୍ ପରିବର୍ତ୍ତିତ ପରିସ୍ଥିତିରେ ଓସିପିଏଲ୍ର ସ୍ଥିତି ଓ ସ୍ଥାୟୀତ୍ବ ଉଭୟ କ୍ଷତିକାରକ ଏବଂ ଉପଭୋକ୍ତା ସ୍ବାର୍ଥ ପରିପନ୍ଥୀ ହୋଇଥିବାରୁ ଏହାକୁ ବନ୍ଦ କିମ୍ବା ଓପିଜିସିରେ ବିଲୀନ ଘଟାଇବା ଜରୁରି ବୋଲି ବିଦ୍ୟୁତ ସମୀକ୍ଷକମାନେ ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଛନ୍ତି। ମାତ୍ର ସରକାର ଏବଂ ଓଇଆର୍ସି କେଉଁ ବିଶେଷ କାରଣରୁ ଏ ପ୍ରସଙ୍ଗରେ ନିଦାବିଷ୍ଣୁ ସାଜିଛନ୍ତି, ତାହା ରହସ୍ୟଜନକ।