ଦୁର୍ଘଟଣାରେ ୧୭ଜଣଙ୍କ ଜୀବନ ଗଲା: ମହୀଶୂରରେ ୧୦ ମୃତ, ଗୌହାଟୀରେ ପ୍ରାଣ ହରାଇଲେ ୭ ଇଂଜିନିୟରିଂ ଛାତ୍ର

ମହୀଶୁର : କର୍ଣ୍ଣାଟକ ମହୀଶୂରର ଟି ନରସିପୁରା-କୋଲ୍ଲୋଗଲା ରୋଡ୍‌ ସ୍ଥିତ କୁରୁବୁର ନିକଟରେ ଆଜି ଏକ ଇନ୍ନୋଭା କାର୍‌ ଗୋଟିଏ ବସ୍‌ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ସମସ୍ତ ମୃତକମାନେ ବଲ୍ଲାରିର। ସେମାନେ ଏମ୍‌ଏମ୍‌ ହିଲ୍ସକୁ ବୁଲିବାପାଇଁ ଯାଉଥିବାବେଳେ ବାଟରେ ଦୁର୍ଘଟଣା ହୋଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲା। ଇନ୍ନୋଭାରେ ଥିବା ଜଣେ ଯାତ୍ରୀ ବଞ୍ଚି ଯାଇଛନ୍ତି। ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷେ ମୃତକମାନଙ୍କ ପରିଚୟ ଜଣାପଡ଼ିନି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ସଂପର୍କୀୟଙ୍କମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଘୋଷଣା କରିଛନ୍ତି। ଏଥିସହିତ ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ଗୌହାଟୀରେ ପ୍ରାଣ ହରାଇଲେ ୭ ଇଂଜିନିୟରିଂ ଛାତ୍ର

ଗୌହାଟୀ : ଆସାମର ଗୌହାଟୀରେ ଆଜି ବଡ଼ି ଭୋର ସମୟରେ ଏକ ଦ୍ରୁତଗାମୀ ଏସ୍‌ୟୁଭି ଏକ ପିକଅପ୍‌ ଟ୍ରକ୍‌ ସହ ଧକ୍କା ହେବା ଫଳରେ ୭ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ଗୌହାଟୀର ଜଲୁକବାରି ଫ୍ଲାଏଓଭର ନିକଟରେ ଆଜି ଏହି ଦୁର୍ଘଟଣା ହୋଇଛି। ଏସ୍‌ୟୁଭି ରୋଡ୍‌ ଡିଭାଇଡରରେ ପିଟି ହୋଇ ବିପରୀତ ପାର୍ଶ୍ବରୁ ଆସୁଥିବା ଏକ ପିକ୍‌ଅପ୍‌ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୭ ଜଣ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ୬ ଜଣ ଆହତଙ୍କ ମଧ୍ୟରୁ ୩ ଜଣ ଏସ୍‌ୟୁଭିରେ ଥିଲେ ଏବଂ ଅନ୍ୟ ୩ ଜଣ ପିକଅପ୍‌ ଟ୍ରକ୍‌ରେ ଥିଲେ। ସେମାନଙ୍କୁ ଗୌହାଟି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ପୁଲିସ ଅନୁଯାୟୀ ସ୍କର୍ପିଓ ଏସୟୁଭିରେ ୧୦ ଜଣ ବସିଥିଲେ। ଦୁର୍ଘଟଣା ଏତେ ଜୋର ହୋଇଥିଲା ଯେ ଉଭୟ ଏସ୍‌ୟୁଭି ଏବଂ ପିକଅପ୍‌ ଟ୍ରକ୍‌କୁ ଚିହ୍ନି ହେଉନାହିଁ। ସମସ୍ତ ମୃତକମାନେ ଆସାମ ଇଂଜିନିୟରିଂ କଲେଜର ଛାତ୍ର। ସେମାନେ ହଷ୍ଟେଲ୍‌ରେ ରହୁଥିଲେ। ମୃତ ଛାତ୍ରମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ଦିବ୍ରୁଗଡ଼ର ଇମନ ବରୁଆ, ଶିବସାଗରର କୌଶିକ ମୋହନ, ଗୌହାଟୀର ଅରିନ୍ଦମ ଭୁୱଲ, ‌ଗୌହାଟୀର ନିୟୋର ଡେକା, ନାଗାଓଁର ଉପାଙ୍ଗଶୁ ଶର୍ମା, ମଜୁଲିର ରାଜକିରଣ ଭୂୟାଁ ଏବଂ ମଙ୍ଗଳଦୋଇର କୌଶିକ ବରୁ୍ଆ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ସକାଳେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର