କ୍ରେଡିଟ୍‌ ସୁଇସ୍‌ ବୁଡ଼ିବା ଆଶଙ୍କା: ପାଣ୍ଠି ଦେବାକୁ ମନା କଲା ସାଉଦି ନ୍ୟାସନାଲ୍ ବ୍ୟାଙ୍କ

ସେୟାର ମୂଲ୍ୟ ଖସୁଛି

ନୂଆଦିଲ୍ଲୀ/ ଜୁରିକ୍‌: ସପ୍ତାହକ ଭିତରେ ଆମେରିକାର ଦୁଇଟି ବ୍ୟାଙ୍କ ସିଲିକନ୍ ଭାଲି ବ୍ୟାଙ୍କ ଓ ସିଗ୍ନେଚର ବ୍ୟାଙ୍କ ବୁଡ଼ିଯାଇଥିବା ବେଳେ ଆଉ ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ବୁଡ଼ିଯିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ତାହା ହେଉଛି କ୍ରେଡିଟ୍ ସୁଇସ୍‌ ବ୍ୟାଙ୍କ। ଲେହ୍‌ମ୍ୟାନ୍ ବ୍ରଦର୍ସ ବୁଡ଼ିଯିବ ବୋଲି ୨୦୦୮ରେ ଆକଳନ କରିଥିବା ୱାଲ୍‌ ଷ୍ଟ୍ରିଟ୍ ଆନାଲିଷ୍ଟ୍‌ ରବର୍ଟ କିୟୋସାକି କହିଛନ୍ତି ଯେ ଆଗକୁ ବୁଡ଼ିବାକୁ ଯାଉଥିବା ବଡ଼ ବ୍ୟାଙ୍କ ହେଉଛି କ୍ରେଡିଟ୍ ସୁଇସ୍‌। ବଣ୍ଡ୍‌ ବଜାରରେ ଦେଖାଦେଇଥିବା ଅସ୍ଥିରତା ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଛି। ବିଶ୍ବ ଷ୍ଟକ ବଜାର ତୁଳନାରେ ବଣ୍ଡ୍‌ ବଜାର ବଡ଼। ସେଥିରେ କିଛି ଅଘଟଣ ଘଟିଲେ ତାହାର ପ୍ରଭାବ ମଧ୍ୟ ବଡ଼ ଧରଣର ହେବ ବୋଲି କାୟୋସାକି କହିଛନ୍ତି।

କ୍ରେଡିଟ୍‌ ସୁଇସ୍‌ ହେଉଛି ବିଶ୍ବର ଅଷ୍ଟମ ବୃହତ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ବ୍ୟାଙ୍କ। ଏହା ହେଉଛି ସ୍ବିଜରଲ୍ୟାଣ୍ଡ୍‌ର ଦ୍ବିତୀୟ ବଡ଼ ବ୍ୟାଙ୍କ। କିଛି ଦିନ ତଳେ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ୨୦୨୧ ଓ ୨୦୨୨ରେ ଆର୍ଥିକ କ୍ଷେତ୍ରରେ କିଛିଟା ଦୁର୍ବଳତା ପରିଲକ୍ଷିତ ହୋଇଛି। ଏହାର ଅର୍ଥ ହେଉଛି ବିପଦକୁ ଆକଳନ କରିବାରେ ବ୍ୟାଙ୍କ ବିଫଳ ରହିଛି। କିଛି ମାସ ହେଲାଣି କ୍ରେଡିଟ୍ ସୁଇସ୍‌ ସମସ୍ୟା ଦେଇ ଗତି କରୁଛି। ୨୦୨୧ ମାର୍ଚ୍ଚରେ ବ୍ରିଟେନ୍‌ର ଆର୍ଥିକ ସଂସ୍ଥା ଗ୍ରିନ୍‌ସିଲ୍‌ ଦେବାଳିଆ ହେବା ପରଠାରୁ କ୍ରେଡିଟ୍ ସୁଇସ୍ ତାହାର ୮୦% ବଜାର ମୂଲ୍ୟ ହରାଇସାରିଲାଣି। ବ୍ୟାଙ୍କର ସେୟାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଉଛି।
ସଙ୍କଟରେ ପଡ଼ିଥିବା କ୍ରେଡିଟ୍‌ ସୁଇସ୍‌କୁ ଅଧିକ ପାଣ୍ଠି ଦେବା ଲାଗି ଏହାର ମୁଖ୍ୟ ଅଂଶଧନକାରୀ ସାଉଦି ନ୍ୟାସନାଲ୍‌ ବ୍ୟାଙ୍କର ଅଧ୍ୟକ୍ଷ ଅମର ଅଲ୍‌ ଖୁଦିଆରି ମନା କରିଦେଇଛି। ଅନ୍ୟ ଅଂଶଧନକାରୀମାନେ ମଧ୍ୟ ବ୍ୟାଙ୍କକୁ ସାହାଯ୍ୟ କରିନପାରନ୍ତି ବୋଲି ଆଶଙ୍କା କରାଯାଉଛି। ଯଦି ସେଭଳି କିଛି ହେବ ତେବେ ସାରା ବିଶ୍ବକୁ ଏକ ବଡ଼ ଧରଣର ଆର୍ଥିକ ସଙ୍କଟ ସାମ୍ନା କରିବାକୁ ପଡ଼ିବ। କାରଣ କ୍ରେଡିଟ୍ ସୁଇସ୍‌ ହେଉଛି ଏତେ ବଡ଼ ବ୍ୟାଙ୍କ ଯାହା ‌ବିଫଳ ହେବ ବୋଲି କଳ୍ପନା ମଧ୍ୟ କରାଯାଇପାରୁନାହିଁ।

ବ୍ୟାଙ୍କର ସ୍ଥିତି ବହୁତ ଭଲ ଅଛି। ଆମକୁ ସରକାରୀ ସହାୟତା ଦରକାର ନାହିଁ ବୋଲି କ୍ରେଡିଟ୍ ସୁଇସ୍‌ର ଅଧ୍ୟକ୍ଷ ଆକ୍ସେଲ୍ ଲେହ୍‌ମ୍ୟାନ୍ କହିଛନ୍ତି। ଆମକୁ ସିଲିକନ୍ ଭାଲି ବ୍ୟାଙ୍କ ସହ ତୁଳନା କରିବା ଠିକ୍ ନୁହେଁ। ଆମ ପୁଞ୍ଜି ଅନୁପାତ ଓ ବାଲାନ୍ସ ସିଟ୍ ବେଶ ଦୃଢ଼ ରହିଛି। ନିଜ ସ୍ଥିତିରେ ସୁଧାର ଆଣିବା ଲାଗି ଗତ ଅକ୍ଟୋବରଠାରୁ ଯୋଜନା କାର୍ଯ୍ୟକାରୀ ହୋଇସାରିଛି ବୋଲି ସେ କହିଛନ୍ତି। ବିଫଳ ହେବାର କମ୍ ଆଶଙ୍କା ଥିବା ବିଶ୍ବର ୩୦ଟି ବ୍ୟାଙ୍କ୍ ତାଲିକାରେ କ୍ରେଡିଟ୍ ସୁଇସ୍‌ର ନାମ ରହିଛି। ଯେକୌଣସି ପ୍ରକାର ସମସ୍ୟାର ମୁକାବିଲା କରିବା ଲାଗି ଏହା ବିପୁଳ ପରିମାଣର ପାଣ୍ଠି ଅଲଗା ରଖିଛି। ୨୦୨୨ରେ ସ୍ବିଜରଲ୍ୟାଣ୍ଡ୍‌ର ଏହି ବ୍ୟାଙ୍କ ୭୮୦ କୋଟି ଡଲାର କ୍ଷତି ସହିଥିଲା। ଅନ୍ୟ ଏକ ଘଟଣାକ୍ରମରେ କ୍ରେଡିଟ୍‌ ସୁଇସ୍‌ରୁ ନୀଳକଣ୍ଠ ମିଶ୍ର ଇସ୍ତଫା ଦେଇଛନ୍ତି। ସେ ଆକ୍ସିସ୍ ବ୍ୟାଙ୍କରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ସେ ବ୍ୟାଙ୍କର ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ରଣନୀତି ଓ ପ୍ରତିଭୂତି ଗବେଷଣା ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର