ପେଟିଏମ୍‌ରେ ପଶିଲା ଇଡି! ୱାଲେଟ୍‌ ଉପ‌ରେ ମୁକେଶ, ଏଚ୍‌ଡିଏଫ୍‌ସିର ଆଖି

ନିବେଶକ ହରାଇଲେ ୪୨,୫୦୦ କୋଟି, ଛଟେଇ କରିବନି ‌ପେଟିଏମ୍

ମୁମ୍ବାଇ: ପେଟିଏମ୍ ‌ଓ ଏହାର ବ୍ୟାଙ୍କ ସଂସ୍ଥା ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରୁଥିବା ଜଣାପଡ଼ିଛି। ଗତକାଲି ଏହି ଖବରକୁ କମ୍ପାନି ପକ୍ଷରୁ ଖଣ୍ଡନ କରାଯାଇଥିଲା। କିନ୍ତୁ ପୁଣି ଥରେ ତଦନ୍ତ ଚାଲିଥିବା ଖବର ସାମ୍ନାକୁ ଆସିଛି। ବୈଦେଶିକ ମୁଦ୍ରା ବିନିମିୟ ନିୟମକୁ କମ୍ପାନି ଉଲ୍ଲଂଘନ କରିଥିବା ଅଭିଯୋଗରେ ତଦନ୍ତ ହେଉଛି। ତେବେ ନିର୍ଦ୍ଦିଷ୍ଟ ଭାବେ କମ୍ପାନି କେଉଁ ନିୟମ ଉଲ୍ଲଂଘନ କରିଛି ତାହା ସ୍ପଷ୍ଟ ହୋଇନି। ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଇଡି ପେଟିଏମ୍ ସମ୍ପର୍କିତ ତଥ୍ୟ ମାଗିଛି। ତେବେ ତଦନ୍ତକାରୀମାନେ ଏପର୍ଯ୍ୟନ୍ତ ପେଟିଏମ୍ ସହିତ ସିଧାସଳଖ ଯୋଡ଼ିହୋଇନଥିବା ଜଣାପଡ଼ିଛି।

ଅନ୍ୟ ପକ୍ଷରେ ସଙ୍କଟ ଦେଇ ଗତି କରୁଥିବା ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କ ଏବେ ଅନ୍ୟମାନଙ୍କ ଲାଗି ବ୍ୟବସାୟ ବଢ଼ାଇବାର ସୁଯୋଗରେ ପରିଣତ ହୋଇଛି। ଚଳିତ ମାସ ୨୯ ପରେ ରିଜର୍ଭ ବ୍ୟାଙ୍କ କଟକଣା ଲାଗୁ ହେବ। ତେଣୁ ଏହା ପୂର୍ବରୁ ନିଜ ୱାଲେଟ୍‌କୁ ଅନ୍ୟ ବ୍ୟାଙ୍କ ସହ ଯୋଡ଼ିବା ଲାଗି ପେଟିଏମ୍ ଉଦ୍ୟମ ଆରମ୍ଭ କରିଛି। ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପେଟିଏମ୍‌ ଏହାର ୱାଲେଟ୍‌କୁ ବିକ୍ରି କରିବା ଲାଗି ଉଦ୍ୟମ ଆରମ୍ଭ କରିଛି। ସେଥିପାଇଁ ଏହା ମୁକେଶ ଅମ୍ବାନିଙ୍କ ସଂସ୍ଥା ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍‌ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛି। ୱାଲେଟ୍‌ ସଫଳତାର ସହ ବିକ୍ରି ହୋଇଗଲେ ‌ସେଥିରେ ଥିବା ଗ୍ରାହକମାନଙ୍କୁ ଆଉ କୌଣସି ଚିନ୍ତା କରିବାକୁ ପଡ଼ିବନି। ତେବେ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ଖବର ପ୍ରକାଶ ପାଇବା ପରେ ଷ୍ଟକ୍ ବଜାରରେ ପେଟିଏମ୍‌ର ସେୟାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଉଛି। ତିନି ଦିନରେ କମ୍ପାନିର ‌ସେୟାର ମୂଲ୍ୟ ୪୨.୪ ପ୍ରତିଶତ ହ୍ରାସ ପାଇବାରୁ ନିବେଶକମାନେ ୨୦,୫୦୦ କୋଟି ଟଙ୍କା ହରାଇଛନ୍ତି।

ଅନ୍ୟପକ୍ଷରେ କମ୍ପାନି ସମ୍ପର୍କିତ ନକାରାତ୍ମକ ଖବରକୁ ନେଇ ଚିନ୍ତିତ ହୋଇପଡ଼ିଥିବା କର୍ମଚାରୀଙ୍କୁ ଶାନ୍ତ କରିବା ଲାଗି ଏହାର ସିଇଓ ବିଜୟ ଶେଖର ଶର୍ମା ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। କାହାକୁ ଛଟେଇ କରାଯିବ ନାହିଁ ବୋଲି ସେ କହିଛନ୍ତି। କର୍ମଚାରୀମାନଙ୍କ ଲାଗି ଆୟୋଜିତ ଏକ ଟାଉନ୍‌ ହଲ୍‌ ବୈଠକକୁ ସମ୍ବୋଧିତ କରି ‌ସେ କହିଛନ୍ତି ଯେ ଆପଣମାନେ ପେଟିଏମ୍‌ ପରିବାରର ସଦସ୍ୟ। ଚିନ୍ତା କରିବାର କୌଣସି କାରଣ ନାହିଁ। ବହୁ ବ୍ୟାଙ୍କ ଆମକୁ ସାହାର୍ଯ୍ୟ କରୁଛନ୍ତି ବୋଲି ସେ କର୍ମଚାରୀମାନଙ୍କୁ କହିଛନ୍ତି।

ରାଜନ ସତର୍କ କରାଇଥିଲେ


ବ୍ୟାଙ୍କ ସେବ‌ାରେ ବିପ୍ଳବ ଆଣିବା ଲାଗି ନବସୃଜନକୁ ଗ୍ରହଣ କରିବାକୁ ରିଜର୍ଭ ବ୍ୟାଙ୍କ ମନ ବଳାଇଥିଲା। ସେହି ଭାବନାରୁ ‌ପେମେଣ୍ଟ ବ୍ୟାଙ୍କର ପରିକଳ୍ପନା କରାଯାଇଥିଲା। ତେବେ ଏହାକୁ ନେଇ ୨୦୧୬ରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ସତର୍କ କରାଇଥିଲେ। ଏଭଳି ସଂସ୍ଥା ଓ ରିଜର୍ଭ ବ୍ୟାଙ୍କ ଭିତରେ ସମ୍ପର୍କ ଆରାମଦାୟକ ରହିନପାରେ ବୋଲି ସେ ଜାଣିଥିଲେ। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଥିଲେ ଯେ ବହୁ ବର୍ଷ ଧରି ବ୍ୟାଙ୍କ ସେବାରେ ବିପ୍ଳବ ଆଣିବା ଦରକାର ବୋଲି ଆଲୋଚନା ହେଉଥିଲା। ଯେତେବେଳେ ଅନିଶ୍ଚିତତା ରହିଥାଏ ସେହି ସମୟରେ ‘ନା’ କହିବା ବହୁତ ସହଜ। ନା କହି‌ଦେଲେ ବ୍ୟବସ୍ଥା ଆଉ ବିକଶିତ ହେବନି। ତେଣୁ, ଅପେକ୍ଷା କରିବା, ଦେଖିବା ଏବଂ ବ୍ୟବସ୍ଥା ଯେଉଁଭଳି ଭାବେ ବିକଶିତ ହେବ ସେହି ଅନୁସାରେ ତାହାର ନିୟନ୍ତ୍ରଣ ଲାଗି ଉଦ୍ୟମ କରାଯିବା ଦରକାର ବୋଲି ରାଜନ କହିଥିଲେ। ପେମେଣ୍ଟ୍‌ ବ୍ୟାଙ୍କ ଗଠନ ଲାଗି ୨୦୧୩ ଅଗଷ୍ଟରେ ଏକ ଆଲୋଚନାପତ୍ର ଜାରି କରାଯାଇଥିଲା। ଏହା ପରେ ଆବେଦନ ଆହ୍ବାନ କରାଯାଇଥିଲା। ପେଟିଏମ୍‌ର ବିଜୟ ଶେଖର ଶର୍ମାଙ୍କ ସମେତ ୧୧ ସଂସ୍ଥା ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଭୋଡାଫୋନ୍‌ର ଏମ୍‌ପେସା, ଆଦିତ୍ୟ ବିର୍ଲା ମନି ଓ ଟେକ୍ ମହିନ୍ଦ୍ରା ଲାଇସେନ୍ସ ପାଇବା ସତ୍ତ୍ବେ ବ୍ୟାଙ୍କ ଆରମ୍ଭ କରିନଥିଲେ।

ସମ୍ବନ୍ଧିତ ଖବର